ମାନବ ଚାଲାଣ ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ପପ୍ ଗାୟକ ଦଲେର୍ ମେହେନ୍ଦୀ; ୨ ବର୍ଷ ଜେଲ୍ ଦଣ୍ଡାଦେଶ
ଦଣ୍ଡଦେଶ ପରେ ଜାମିନରେ ଖଲାସ୍
ନୂଆଦିଲ୍ଲୀ: ଲୋକପ୍ରିୟ ପପ୍ ଗାୟକ ଦଲେର ମେହେନ୍ଦୀଙ୍କୁ ମାନବ ଚାଲାଣ ଅଭିଯୋଗରେ ଶୁକ୍ରବାର ପଟିଆଲା କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୦୩ ମସିହାରେ ରୁଜୁ ହୋଇଥିବା ଏହି ମାମଲାର ଶୁଣାଣି କରିବା ପରେ ଅଦାଲତ ତାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ତତ୍କ୍ଷଣାତ ତାଙ୍କୁ ପୁଲିସ୍ ହେପାଜତକୁ ନିଆଯାଇଛି। ତେବେ ଦଣ୍ଡାଦେଶ ହେବାର କିଛି ସମୟ ପରେ ଦଲେର୍ ଅନ୍ୟ ଏକ ଅଦାଲତରେ ଜାମିନ ଆବେଦନକରିଥିଲେ ଓ ତାଙ୍କ ଜାମିନ ମଞ୍ଜୁର ହୋଇଥିଲା।
#UPDATE: Daler Mehndi sentenced to 2-years in prison after being convicted in a 2003 human trafficking case by Patiala Court. #Punjab
— ANI (@ANI) March 16, 2018
ଅଭିଯୋଗ ଅନୁଯାୟୀ, ଦଲେର୍ ନିଜ ମ୍ୟୁଜିକ୍ ଗ୍ରୁପ୍ର ସଦସ୍ୟ ଦର୍ଶାଇ କାର୍ଯ୍ୟ ଆଶାୟୀ ଲୋକଙ୍କୁ ବିଦେଶ ଚାଲାଣ କରୁଥିଲେ। ସାଥିରେ ବିଦେଶ ନେଇ ସେଠାରେ ସେମାନଙ୍କୁ ଛାଡ଼ି ଦେଇ ଭାରତ ଫେରି ଆସୁଥିଲେ। ଯେଉଁମାନଙ୍କୁ ବିଦେଶ ନେଇ ଯାଇଥିଲେ ସେମାନଙ୍କଠାରୁ ସମୁଦାୟ ୧ କୋଟି ଟଙ୍କା କମିସନ୍ ନେଇଥିଲେ ବୋଲି ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ଦିଆଯାଇଥିବା ପ୍ରମାଣକୁ ବିଚାରକୁ ନେଇ ଅନୈତିକ ମାନବ ଚାଲାଣ ଅଭିଯୋଗରେ ଦଲେର୍ଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି।
ପଞ୍ଜାବ ପୁଲିସ୍ର ଚାର୍ଜସିଟ୍ ଅନୁସାରେ ଭାଙ୍ଗଡ଼ା ପପ୍-ଷ୍ଟାର୍ ଦଲେର ମେହେନ୍ଦୀଙ୍କ ବିରୋଧରେ ପ୍ରାୟ ୩୧ଟି ଅନୈତିକ ମାନବ ଚାଲାଣ ଅଭିଯୋଗ ରହିଛି।
Singer Daler Mehndi convicted in a 2003 human trafficking case by Patiala Court. #Punjab pic.twitter.com/ivutTOMYCZ
— ANI (@ANI) March 16, 2018
ଏହି ଘଟଣାକୁ ନେଇ ପଟିଆଲା ସଦର ପୁଲିସ୍ ଷ୍ଟେସନ୍ରେ ଦଲେ୍ରଙ୍କ ସହ ତାଙ୍କ ଭାଇ ସମସେର୍ ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ସମ୍ସେର୍ଙ୍କୁ ଗିରଫ କରାଯିବା ସହ ଦଲେର୍ଙ୍କ ବିରୋଧରେ ଏକ ଗିରଫ ପରଓ୍ଵାନା ଜାରି କରାଯାଇଥିଲା।
ପୂର୍ବରୁ ୧୯୯୮ ଏବଂ ୧୯୯୯ ମସିହାରେ ଦଲେର୍ଙ୍କ ଭାଇ ସମ୍ସେର୍ ୨ଟି ଗ୍ରୁପ୍ ନେଇ ଆମେରିକା ଯାଇଥିଲେ। ସେଠାରେ ୧୦ ଜଣଙ୍କୁ ଛାଡ଼ି ଦେଇ ଆସିଥିଲେ। ପୁଲିସ୍ ସନ୍ଦେହ କରୁଛି ଯେ ଦଲେର୍ ଏହି ମାନବ ଚାଲାଣ କାରବାର ଜରିଆରେ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, କାନଡ଼ା ପରି ଆହୁରି ଅନେକ ଦେଶକୁ ବେଆଇନ ଭାବେ ଲୋକଙ୍କୁ ପଠାଇଛନ୍ତି।
ଉଲ୍ଲେଖଯୋଗ୍ୟ, ଦଲେର୍ଙ୍କ ପ୍ରସିଦ୍ଧ ଦିନ୍ଦୀ ଗୀତଗୁଡ଼ିକ ମଧ୍ୟରେ ରହିଛି ‘ତୁନାକ୍ ତୁନାକ୍ ତୁନ’, ‘ନା ନା ନା ରେ’, ‘ଜୋର୍ କା ଝଟ୍କା’, ‘ଲୁଟ୍ ଲିୟା’, ‘ଚମ୍କି ଯଓ୍ଵାନୀ’ ପ୍ରମୁଖ।