ଲକ୍ଷ୍ମୌ: ଉତ୍ତରପ୍ରଦେଶ ଗାଜିଆବାଦ ପୁଲିସ ହରିୟାଣଭି ସିନେମା ଓ ଅଲବମ ଜଗତର ଲୋକପ୍ରିୟ ଅଭିନେତାଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରିଛି। ଗିରଫ ଅଭିନେତାଙ୍କ ନାମ ଉତ୍ତର କୁମାର ।

Advertisment

ଗାଜିଆବାଦ ପୁଲିସ ଏସସି/ଏସଟି ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ଉତ୍ତର କୁମାରଙ୍କୁ ତ‌ାଙ୍କ ଫାର୍ମ ହାଉସରୁ ଗିରଫ କରିଛି। ପୀଡ଼ିତା ନିକଟରେ ଲକ୍ଷ୍ନୌରେ ଆତ୍ମଦାହ କରିବାକୁ ଚେଷ୍ଟା କରିଥିଲେ ଏବଂ ଅଭିଯୁକ୍ତଙ୍କ ଗିରଫଦାରୀ ଦାବି କରିଥିଲେ। ପୀଡ଼ିତା ହରିୟାଣଭି ଶିଳ୍ପ ସହିତ ଜଡ଼ିତ ଥିବା କହିଥିଲେ।

ପୀଡ଼ିତା ଅଭିନେତ୍ରୀ ଅଭିଯୋଗ କରି କହିଛନ୍ତି, ‘ଅଗଷ୍ଟ ୨୦୨୦ରେ ଏକ ମ୍ୟୁଜିକ୍ ଭିଡିଓର ସୁଟିଂ ସମୟରେ ମୁଁ ଉତ୍ତର କୁମାରଙ୍କୁ ଭେଟିଥିଲି। ଏହି ଗୀତ ପରେ ଆମ ଭିତରେ ବନ୍ଧୁତା ହୋଇଥିଲା। ଉତ୍ତର କୁମାର ଫିଲ୍ମ ଏବଂ ବିଭିନ୍ନ ଷ୍ଟେଜରେ ମୋତେ କାମ ଦେବାର ପ୍ରତିଶ୍ରୁତି ଦେଇଥିଲେ।

କାମ ଦେବାର ଲୋଭ ଦେଖାଇ ଉତ୍ତର ମୋତେ ଲଗାତାର ଯୌନ ଶୋଷଣ କରୁଥିଲେ। ୨୦୨୩ ମସିହାରେ ଫିଲ୍ମର ସଫଳତା ପାର୍ଟି ପରେ ଉତ୍ତର କୁମାର ‌ମୋ ସହିତ ଦୁଷ୍କର୍ମ କରିଥିଲେ। ଏହାପରେ ମୋତେ କ୍ରମାଗତ ଭାବେ ବ୍ଲାକମେଲ୍ କରିବା ଆରମ୍ଭ କରି ଦେଇଥିଲେ।’

ପୀଡ଼ିତା ଚଳିତ ବର୍ଷ ଜୁନରେ ଶାଲିମାର ଗାର୍ଡେନ୍ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୁଲିସ ଜୁଲାଇ ୨୩ ତାରିଖରେ ଏକ ଏଫଆଇଆର ରୁଜୁ କରିଥିଲା। କିନ୍ତୁ ଏହାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ, ପୀଡିତା ଚଳିତ ମାସ ସେପ୍ଟେମ୍ବର ୬ ତାରିଖରେ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ପୁଲିସ ସମୟ ମଧ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।