କ’ଣ ମାନସିକ ନେଇ କାଉଡିଆ ସାଜିଲେ ବାବୁସାନ, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଉଡ୍ ଷ୍ଟାର ବାବୁସାନଙ୍କ ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର ‘ଦମନ’ର ରିଲିଜ ଡେଟକୁ ଏକ ନିଆରା ଢଙ୍ଗରେ ଘୋଷଣା କରାଯାଇଛି। ଦୁର୍ଗାପୂଜାରେ ଚଳଚ୍ଚିତ୍ର ‘ଦମନ’ ପରଦାକୁ ଆସିବ । ହାତରେ ବାହୁଙ୍ଗୀ ଧରି ପାଣିଭାର ନେଇ ଓଲିଉଡ଼ ସୁପରଷ୍ଟାର ବାବୁସାନଙ୍କ ସହିତ ପିଣ୍ଟୁ ନନ୍ଦ ,ବବି ମିଶ୍ରଙ୍କ ସହ ଫିଲ୍ମର ପୁରା ଟିମ ଲିଙ୍ଗରାଜଙ୍କଠାରେ ପାଣି ଢାଳି ଆଶୀର୍ବାଦ କାମନା କରି ସିନେମାର ରିଲିଜ ତାରିଖ ଘୋଷଣା କରିଛନ୍ତି। ସମସ୍ତେ ବିନ୍ଦୁସାଗରରରୁ ଜଳ ଉଠାଇ ପ୍ରଭୁ ଲିଙ୍ଗରାଜଙ୍କ ମଥାରେ ଜଳାଭିଷେକ କରିଛନ୍ତି। ଚଳଚ୍ଚିତ୍ର ‘ଦମନ’ରେ ମୁଖ୍ୟ ଭୁମିକାରେ ରହିଛନ୍ତି ବାବୁସାନ। ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳ ବିଶେଷ କରି ମାଲକାନଗିରିରେ ଲୋକଙ୍କୁ ମ୍ୟାଲେରିଆ ଓ ବସନ୍ତ ହେଲେ ସେମାନେ ଅନ୍ଧବିଶ୍ବାସରେ ବୁଡ଼ି ରହୁଥିଲେ। ଏହାସହିତ ରୋଗକୁ ମଧ୍ୟ ଚିହ୍ନିପାରୁ ନଥିଲେ । ଫିଲ୍ମରେ ସେ ସମ୍ପର୍କରେ ବର୍ଣ୍ଣନା କରାଯାଉଛି ।


ଏହିଭଳି ସ୍ଥାନରେ କିପରି ଜଣେ ଡାକ୍ତର ରୋଗ ଆଉ ରୋଗୀକୁ ଅନ୍ଧ ବିଶ୍ଵାସର ଅନ୍ଧାର ଗଳିକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି ତାହା ଚିତ୍ରିତ ହୋଇଛି । ତା’ସହ ଏଭଳି ଅଞ୍ଚଳ ବାହ୍ୟ ଦୁନିଆରୁ ଅଲଗା ନ ହୋଇ ସବୁ ପ୍ରକାର ସେବା କିଭଳି ପାଇବ ଏଥିପାଇଁ ଜଣେ ବାଳକ ସଂଘର୍ଷ କରୁଥିବା ଫିଲ୍ମରେ ଦେଖିବାକୁ ମିଳିଛି । ସେ ନିଜ କର୍ତ୍ତବ୍ୟକୁ ଅଧିକ ପ୍ରାଧାନ୍ୟ ଦେବା ସହ କିପରି ଲୋକମାନଙ୍କ ପାଇଁ ସବୁ ପରିସ୍ଥିତିରେ ସଂଘର୍ଷ କରିଛି ସେ ବିଷୟରେ ଦେଖିବାକୁ ମିଳିଛି । ଏହାର ଟ୍ରେଲର ଦେଖି ଦର୍ଶକ ଫିଲ୍ମକୁ ଖୁବ ପସନ୍ଦ କରିଛନ୍ତି । ଏହି ଚଳଚ୍ଚିତ୍ର ଓଡି଼ଆ ଚଳଚ୍ଚିତ୍ର ଜଗତରେ ନୂଆ ଏକ ପରିଚୟ ସୃଷ୍ଟି କରିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି ।

‘ଦମନ’ର ପ୍ରଯୋଜନାରେ ଦୀପେନ୍ଦ୍ର ସାମଲ ଥିବାବେଳେ ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି ଯୁବ ନିର୍ଦ୍ଦେଶକ ବିଶାଳ ମୋର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା । ପ୍ରଥମ ଥର ପାଇଁ ବାୟୋପିକ ମୁଭିରେ ବାବୁସାନ ଅଭିନୟ କରୁଥିବା କହିଥିବା ବେଳେ ଏହି ସିନେମାଟି ସମସ୍ତଙ୍କ ହୃଦୟକୁ ଛୁଇଁ ଓ ଓଡ଼ିଆ ଦର୍ଶକଙ୍କ ଭିତରେ ଆଦୃତି ଲାଭ କରୁ ବୋଲି ବାବା ଲିଙ୍ଗରାଜଙ୍କ ପାଖରେ ନିବେଦନ କଲି ବୋଲି ବାବୁସାନ କହିଛନ୍ତି ।

ସମ୍ବନ୍ଧିତ ଖବର