କରମୁକ୍ତ ହେଲା ‘ଦମନ’

ଭୁବନେଶ୍ବର : ଚଳଚ୍ଚିତ୍ର ‘ଦମନ’କୁ ମୁଖ୍ୟମନ୍ତ୍ରୀ କରମୁକ୍ତ ଘୋଷଣା କରିଛନ୍ତି। ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ରଟି ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ସେବା ମନୋଭାବକୁ ଆହୁରି ମଜଭୁତ କରିବା‌ରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା‌ବ୍ୟକ୍ତ କରିଛନ୍ତି। କୋଭିଡ୍‌ ମହାମାରୀ ସମୟରେ ରାଜ୍ୟ ସରକାର ଯେଭଳି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ସେବା ଯୋଗାଇଲେ, ସେଭଳି କାମ କରିଚାଲିଲେ ଏକ ସୁସ୍ଥ ଓ ସଚେତନ ସାମାଜର ବିକାଶ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଚଳଚ୍ଚିତ୍ର କରମୁକ୍ତ ହୋଇଥିବାରୁ ‘ଦମନ’ର ନିର୍ଦ୍ଦେଶକ ଦେବୀପ୍ରସାଦ ଲେଙ୍କା ଓ ତାଙ୍କ ଟିମ୍‌ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ଲେଙ୍କା ‘ସମ୍ବାଦ’କୁ କହିଛନ୍ତି ଯେ ଦମନକୁ ଦର୍ଶକ ଅକୁଣ୍ଠ ଭଲ ପାଇବା ଦେଇଛନ୍ତି। ପ୍ରମୋସନ୍‌ ପାଇଁ ଟିମ୍‌ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ। କିନ୍ତୁ ଦର୍ଶକଙ୍କ ଭଲ ପାଇବା ଏବଂ ସାମାଜିକ ଗଣମାଧ୍ୟମରେ ବିପୁଳ ସମର୍ଥନ ଯୋଗୁଁ ‘ଦମନ’ ଜାତୀୟ ସ୍ତରରେ ପହଞ୍ଚି ପାରିଛି। ଏହି ସମୟରେ ଚଳଚ୍ଚିତ୍ରକୁ କରମୁକ୍ତ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଆମକୁ ଅଧିକ ଉତ୍ସାହିତ କରିଛି।

ସୂଚନାଯୋଗ୍ୟ ଯେ ପ୍ରାୟ ୧ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ଚଳଚ୍ଚିତ୍ରର ସମସ୍ତ ସୋ’ ଦୁଇ ସପ୍ତାହ ହେଲା ହାଉସ୍‌ଫୁଲ୍‌ ରହିଛି। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି, ତାହା ଏ ଚଳଚ୍ଚିତ୍ରର ବିଷୟବସ୍ତୁ। ଏବେ ଏହା ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି। ଅଭିନେତା ବାବୁସାନ୍‌ ମହାନ୍ତି ଓ ଅଭିନେତା ଦୀପନ୍ବିତ୍‌ ଦାଶମହାପାତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବିନା ହିରୋଇନ୍‌, ଆଇଟମ୍‌ ଗୀତ, ଫାଇଟ୍‌ ନଥାଇ ମଧ୍ୟ ଚଳଚ୍ଚିତ୍ର ସଫଳତାର ଶୀର୍ଷରେ ପହଞ୍ଚି ପାରିଛି।

ସମ୍ବନ୍ଧିତ ଖବର