ଲକ୍ଷ୍ମୀଙ୍କୁ ଅଭିନୟର ବାଟ ଦେଖାଇଲା ନାଚ

ନିଜର ଲୁକ୍କାୟିତ ପ୍ରତିଭା ପାଇଁ କିଏ କେତେବେଳେ କେଉଁ କ୍ଷେତ୍ରରେ ପ୍ରତିଷ୍ଠିତ ହେବ ତାହାର ଭବିଷ୍ୟବାଣୀ କରିବା ସମ୍ଭବ ନୁହେଁ। ଏ ପରିପ୍ରେକ୍ଷୀରେ ତାମିଲ ସିନେ ଜଗତର ଅଗ୍ରଣୀ ପ୍ରତିଭା ଲକ୍ଷ୍ମୀ ମେନନ୍‌ଙ୍କ ଅଭିନୟ ଜୀବନ ଅନ୍ୟ କଳାକାରମାନଙ୍କ ପାଇଁ ଉତ୍ସାହପ୍ରଦ। ଭଲ ପାଠ ପଢ଼ି ଶିକ୍ଷାକ୍ଷେତ୍ରରେ ସୁନାମ ଅର୍ଜିବାକୁ ସ୍ବପ୍ନ ଦେଖିଥିବା ଲକ୍ଷ୍ମୀ ଶେଷରେ ନିଜର ନୃତ୍ୟ ନିଶା ପାଇଁ ଅଭିନୟ କ୍ଷେତ୍ରକୁ ପ୍ରବେଶ କରିଛନ୍ତି। ୧୯୯୬ ମେ’ ୧୯ରେ ଏକ ମାଲାୟାଲୀ କଳାକାର ପରିବାରରେ ଜନ୍ମିତ ଲକ୍ଷ୍ମୀଙ୍କର ମାଆ ଉଷା କୋଚିର ଜଣେ ନୃତ୍ୟ ଶିକ୍ଷୟିତ୍ରୀ। ମାଆଙ୍କ ଠାରୁ ଶିଖିଥିବା ନୃତ୍ୟ ତାଙ୍କ ପାଇଁ ଏକ ନିଶା ପାଲଟିଥିବା ବେଳେ ବିଭିନ୍ନ ମଞ୍ଚରେ ତାହାକୁ ସେ ବେଶ୍‌ ଖୁସିମନରେ ପ୍ରଦର୍ଶନ କରିଆସୁଥିଲେ। ଏକଦା ଦୂରଦର୍ଶନରେ ପ୍ରସାରିତ ଲକ୍ଷ୍ମୀଙ୍କର ଭରତନାଟ୍ୟମ୍‌ ପ୍ରଦର୍ଶନ ଦେଖି ମାଲାୟାଲୀ ସିନେ ନିର୍ଦ୍ଦେଶକ ବିନୟନ୍‌ ତାଙ୍କୁ ୨୦୧୧ରେ ଚଳଚ୍ଚିତ୍ର ‘ରଘୁବିନ୍ତେ ସ୍ବାନ୍ତମ୍‌ ରେଜିୟା’ରେ ଜଣେ ପାର୍ଶ୍ବନାୟିକା ଭାବେ ପ୍ରଥମ ସୁଯୋଗ ଦେଇଥିଲେ। ସେତେବେଳକୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଲଷ୍ମୀଙ୍କର ଅଭିନୟ ଏତେ ନିପୁଣ ହୋଇଥିଲା ଯେ ପରେ ପରେ ନିର୍ଦ୍ଦେଶକ ଅଲି ଆକବର ତାଙ୍କୁ ମାଲାୟାଲୀ ଫିଲ୍ମ ‘ଆଇଡିଆଲ୍‌ କପଲ୍‌’ରେ ମୁଖ୍ୟ ନାୟିକା ଭୂମିକାରେ ଅବତୀର୍ଣ୍ଣ କରାଇଥିଲେ।

ତାଙ୍କର ଏହି ଜୟଯାତ୍ରାର ଫଟୋ ବିଭିନ୍ନ ପତ୍ରିକାରେ ସ୍ଥାନ ପାଇଥିଲା। ଏଥିରେ ପ୍ରଭାବିତ ହୋଇ ତାମିଲ ନିର୍ଦ୍ଦେଶକ ପ୍ରଭୁ ସୋଲୋମନ୍‌ ତାଙ୍କୁ ୨୦୧୨ରେ ତାମିଲ ଚିତ୍ର ‘କୁମ୍‌କି’ରେ ମୁଖ୍ୟ ନାୟିକା ଭାବେ ଉପସ୍ଥାପନ କରିଥିଲେ। ଏହାପରେ ଲକ୍ଷ୍ମୀ ଅଭିନୟ ଦୁନିଆ ସହ ଏପରି ଜଡ଼ିତ ହୋଇପଡ଼ିଲେ ଯେ ଆଉ ଭିନ୍ନ କଥା ଭାବିନଥିଲେ। ତାମିଲ ଫିଲ୍ମ ‘ସୁନ୍ଦରପାଣ୍ଡିଆନ୍‌’ ସମେତ ପଛକୁ ପଛ ତାଙ୍କ ଅଭିନୀତ ଆଉ ତିନିଟି ଚଳଚ୍ଚିତ୍ର ଆଶାତୀତ ବ୍ୟାବସାୟିକ ସଫଳତା ଆଣିଥିଲା। ଏଥିପାଇଁ ତାଙ୍କୁ ‘ସିଫି’ ପକ୍ଷରୁ ‘ତାମିଲ ସିନେମାର ଦ୍ରୁତତମ ଉଦୀୟମାନ ତାରକା’ର ମାନ୍ୟତା ମିଳିଥିଲା। ସେହିପରି ତାଙ୍କୁ ୨୦୧୩ରେ ଦକ୍ଷିଣ ଭାରତର ଶ୍ରେଷ୍ଠ ନବାଗତା ନାୟିକା ଭାବେ ଫିଲ୍ମଫେୟାର ପୁରସ୍କାର ମିଳିଥିଲା।

ଏଥି ସହିତ ‘ସୁନ୍ଦରପାଣ୍ଡିଆନ୍‌’ ଓ ‘କୁମ୍‌କି’ ସିନେମାରେ ତାଙ୍କ ମର୍ମସ୍ପର୍ଶୀ ଅଭିନୟ ପାଇଁ ଶ୍ରେଷ୍ଠ ନାୟିକା ଭାବେ ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ମିଳିଥିଲା। ଏହିପରି ଭାବେ କୋଡ଼ିଏରୁ ଅଧିକ ତାମିଲ, ତେଲୁଗୁ ଓ ମାଲାୟଲୀ ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଭୂମିକା ନିର୍ବାହ କରିଥିବା ଲକ୍ଷ୍ମୀ ୮ଟି ଜାତୀୟ ସ୍ତରର ପୁରସ୍କାର ମଧ୍ୟ ହାସଲ କରିପାରିଛନ୍ତି। ଚଳିତବର୍ଷ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ତାମିଲ ଫିଲ୍ମ ‘ଏଜିପି ସ୍କିଜୋଫ୍ରେନିଆ’ ଏବଂ ମାଲାୟଲୀ ଚଳଚ୍ଚିତ୍ର ‘ସୁନ୍ଦରୀ ଗାର୍ଡେନ୍‌ସ’ ତାଙ୍କ ପାଇଁ ଅଜସ୍ର ଦର୍ଶକୀୟ ସ୍ବୀକୃତି ଅଜାଡ଼ି ଦେଇଛି।

ସମ୍ବନ୍ଧିତ ଖବର