ପ୍ରଥମ ଥର ପାଇଁ ନାଚ ପଛର ଦୁଃଖଭରା କାହାଣୀ ବଖାଣିଲେ ଡ୍ୟାନ୍ସିଙ୍ଗ ଅଙ୍କଲ, ଶୁଣିବା ପରେ କାନ୍ଦି ପକାଇଲେ ସଲମାନ୍
ମୁମ୍ବାଇ : ନିଜର ଡ଼୍ୟାନ୍ସ ଭିଡ଼ିଓ ପାଇଁ ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ସଞ୍ଜିବ ଶ୍ରୀବାସ୍ତବ ଅର୍ଥାତ ଡ଼ବୁ ଅଙ୍କଲ ଏବେ ଘରେ ଘରେ ପରିଚିତ । ତାଙ୍କର ଡ଼୍ୟାନ୍ସ ଭିଡ଼ିଓ ପାଇଁ ସେ ରାତାରାତି ଲୋକପ୍ରିୟ ହେବା ସହ ଏବେ ବଲିଉଡ଼ରୁ ତାଙ୍କୁ ଅଫର୍ ଆସୁଛି । ଏବେ ସେ ସୋନି ଟିଭିରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ଦଶ୍ କା ଦମ୍ର ସୁଟିଂ ସାରିଥିବା ଜଣାପଡ଼ିଛି । ଏହି ସୋ’ର ସୁଟିଂ ସମୟରେ ସେ ନିଜର ନାଚର ଜଲ୍ଓ୍ଵା ଦେଖାଇବା ସହ ସୋ’ର ହୋଷ୍ଟ ସଲମାନ୍ଙ୍କୁ ମଧ୍ୟ ନିଜ ସହ ନଚାଇଥିଲେ । ତେବେ ଏତେ ସବୁ ମସ୍ତି ପରେ ସଲମାନ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଚାହିଁଥିଲେ । ଯାହା ଉତ୍ତରରେ ଡ଼ବୁ ଅଙ୍କଲ ତାଙ୍କ ପରିବାର ସହ ଘଟିଥିବା ଏକ ଦୁଃଖଦ ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଥିଲେ, ପୂର୍ବ ବର୍ଷ ଟ୍ରେନ୍ ଦୁର୍ଘଟଣାରେ ମୋ ସାନ ଭାଇ ଚାଲିଯିବା ପରେ ଆମ ଘରୁ ଖୁସି କୁଆଡ଼େ ଉଭାନ ହୋଇ ଯାଇଥିଲା । ମା’ ସେହି ଦିନ ଠାରୁ ଘରୁ ବାହାରିବା ବନ୍ଦ କରି ଦେଇଥିଲେ । କାହା ସହ କଥା ହେଉ ନଥିବା ସହ ହସିବା ଭୁଲି ଯାଇଥିଲେ ମା’ । ବର୍ଷେ ପରେ ମୋର ଏହି ଡ଼୍ୟାନ୍ସ ଭିଡ଼ିଓଟି ଭାଇରାଲ ହେବା ପରେ ପ୍ରଥମ ଥର ପାଇଁ ମୋ ମା’ ହସିଥିଲେ । ଘରର ପରିସ୍ଥିତି ପୂର୍ବ ଭଳି ହେବାକୁ ଲାଗିଥିଲା, ଯାହାକୁ ଦେଖି ମୁଁ ଅଧିକ ନାଚିବା ପାଇଁ ଭାବିଥିଲି । ଏହି ଭିଡ଼ିଓ ପାଇଁ ମୁଁ କାହାଠାରୁ ଟଙ୍କା ଚାହେଁ ନାହିଁ ଏବଂ ମୋତେ ବଡ଼ ବଡ଼ ବଲିଉଡ଼ ଅଫର ମଧ୍ୟ ଦରକାର ନାହିଁ । ଲୋକମାନେ ଏହି ଭିଡ଼ିଓ ଦେଖି ଖୁସି ହେଉଛନ୍ତି, ସେଥିପାଇଁ ମୁଁ ବହୁତ ଖୁସି ।