ବାପା ହେବେ ‘ହ୍ୟାରି ପୋର୍ଟର୍‌’ର ଡାନିଏଲ୍

ଲୋକମୁଖରେ ‘ହ୍ୟାରି ପୋର୍ଟର୍’ ଭାବେ ଜଣାଶୁଣା ଡାନିଏଲ୍ ରାଡ୍‌କ୍ଲିଫ୍ ଏ ବର୍ଷ ବାପା ହେବାକୁ ଯାଉଛନ୍ତି। ବିଶ୍ବପ୍ରସିଦ୍ଧ ‘ହ୍ୟାରି ପୋର୍ଟର୍’ ଉପନ୍ୟାସମାଳାକୁ ନେଇ ନିର୍ମିତ ଚଳଚ୍ଚିତ୍ରସମୂହରେ ମୁଖ୍ୟ ଚରିତ୍ର ରୂପେ ଅବତୀର୍ଣ୍ଣ ହୋଇ ଡାନିଏଲ୍ ରାଡକ୍ଲିଫ୍‌ ରାତାରାତି ବିଶ୍ବପ୍ରସିଦ୍ଧ ହୋଇଯାଇଥିଲେ। ସେ ମାତ୍ର ୧୨ ବର୍ଷର ହୋଇଥିବା ବେଳେ ଶିଶୁ କଳାକାର ଭାବେ ହ୍ୟାରି ପୋର୍ଟର୍ ଚଳଚ୍ଚିତ୍ରରେ ଅଭନୟ କରିଥିଲେ। ଇଂଲଣ୍ଡରେ ଜନ୍ମିତ ଡାନିଏଲ୍ ପୃଥିବୀର ସବୁଠାରୁ ଜଣାଶୁଣା ମୁହଁ ଭିତରୁ ଅନ୍ୟତମ। ଏ ଭିତରେ ଏହି ଶିଶୁ କଳାକାର ବଡ଼ ହୋଇ ୩୩ ବର୍ଷ ବୟସର ହୋଇସାରିଛନ୍ତି। ନିକଟରେ ଡାନିଏଲ୍‌ ଘୋଷଣା କରିଛନ୍ତି ଯେ ସେ ଖୁବ୍ ଶୀଘ୍ର ପିତୃତ୍ବ ଲାଭ କରିବେ। ଦୀର୍ଘ ବର୍ଷର ବାନ୍ଧବୀ ତଥା ଆମେରିକାର ୩୮ ବର୍ଷୀୟା ଅଭିନେତ୍ରୀ ଏରିନ ଡାର୍କ ହେଉଛନ୍ତି ତାଙ୍କ ସନ୍ତାନର ମାଆ।

୨୦୧୩ରେ ମୁକ୍ତିଲାଭ କରିଥିବା ‘କିଲ୍ ୟୋର୍ ଡାର୍ଲିଙ୍ଗ୍‌ସ’ ସେଟ୍‌ରେ ସେମାନେ ପ୍ରଥମେ ପରସ୍ପରକୁ ଭେଟିଥିଲେ। ଏହା ପରେ ପ୍ରାୟ ଏକ ଦଶନ୍ଧି ହେଲା ସେମାନଙ୍କ ପ୍ରେମ ସମ୍ପର୍କ ତିଷ୍ଠି ରହିଛି। ଡାନିଏଲ୍‌ ସର୍ବଦା ନିଜ ବ୍ୟକ୍ତିଗତ ଜୀବନକୁ ଗୋପନୀୟ ରଖିବାକୁ ପସନ୍ଦ କରିଥାନ୍ତି। ଗତ ବର୍ଷ ଏକ ଟିଭି କାର୍ଯ୍ୟକ୍ରମରେ ସେ ପ୍ରକାଶ କରିଥିଲେ ଯେ ସେ ତାଙ୍କ ଭବିଷ୍ୟତର ପିଲାପିଲିଙ୍କୁ ପ୍ରସିଦ୍ଧିରୁ ଦୂରେଇ ରଖିବାକୁ ଚାହାନ୍ତି। କିନ୍ତୁ ସେ ନିଜ ପିଲାଙ୍କୁ ଚଳଚ୍ଚିତ୍ର ସେଟ୍‌କୁ ନେଇ ଯିବେ, କାରଣ ପିଲାଙ୍କ ଲାଗି ସେଟ୍‌ ହେଉଛି ଖୁବ୍ ମନୋହର ସ୍ଥାନ ବୋଲି କହିଥିଲେ। ଗତ ବର୍ଷ ମୁକ୍ତିଲାଭ କରିଥିବା ‘ୱିଅଡ୍‌: ଦି ଆଲ୍ ୟାଙ୍କୋଭିଚ୍ ଷ୍ଟୋରି’ ଚଳଚ୍ଚିତ୍ରରେ ଶେଷ ଥର ଡାନିଏଲ୍‌ଙ୍କ ଅଭିନୟ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର