ଆଲିଆଙ୍କ ଫିଲ୍ମକୁ ନେଇ ପୁଲିସର ସଚେତନତା ଅଭିଯାନ: ଡାର୍ଲିଂ ଡୋଣ୍ଟ୍ ସେୟାର ଇଓର ଓଟିପି

ନୂଆଦିଲ୍ଲୀ: ବଲିଉଡର ଯୁବ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍ ଲୋକପ୍ରିୟ। ତାଙ୍କର ଫ୍ୟାନ୍ ଫଲୋଇଙ୍ଗ ବି କିଛି କମ୍ ନୁହେଁ। ଅଭିନୟ ଓ ବ୍ୟକ୍ତିତ୍ବକୁ ନେଇ ସବୁବେଳେ ସେ ପ୍ରଶଂସକଙ୍କ ଚର୍ଚ୍ଚାରେ ଥାନ୍ତି । ଗୋଟିଏ ପଟେ ତାଙ୍କର ବ୍ୟକ୍ତିଗତ ଜୀବନ ଏବଂ ଅନ୍ୟ ପଟେ ତାଙ୍କର ବୃତ୍ତିଗତ ଜୀବନ । ସେ ଖୁବ୍ ଶୀଘ୍ର ନିର୍ମାତା ଭାବରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡାର୍ଲିଂ’ ଅଗଷ୍ଟରେ ନେଟଫ୍ଲିକ୍ସରେ ଆସିବାକୁ ଯାଉଛି । ଏହାର ଟ୍ରେଲର ବହୁତ ମଜାଦାର ଏବଂ ବର୍ତ୍ତମାନ ଏହି ଚଳଚ୍ଚିତ୍ରର ଫଟୋ ସେୟାର କରି ଦିଲ୍ଲୀ ପୁଲିସ ଲୋକଙ୍କୁ ସଚେତନ କରାଇବାକୁ ଚେଷ୍ଟା କରିଛି । ବାସ୍ତବରେ, ଦିଲ୍ଲୀ ପୁଲିସ ନିକଟରେ ନିଜ ଟ୍ୱିଟରରେ ‘ଡାର୍ଲିଂ’ର ଏକ ପୋଷ୍ଟର ସେୟାର କରିଛି ଏବଂ ଲୋକଙ୍କୁ ନିଜର ଓଟିପି କାହା ସହ ସେୟାର ନକରିବାକୁ ନିବେଦନ କରିଛି ।

ନିକଟରେ ‌ଦିଲ୍ଲୀ ପୁଲିସ ଏକ ଟ୍ବିଟ କରି କ୍ୟାପସନରେ ଲେଖିଛି, ‘‘#ଡାର୍ଲିଂ ଡୋଣ୍ଟ ସେୟାର ଇଓର ଓଟିପି ।’’ ସୋସିଆଲ ମିଡିଆରେ ଏହି ଟ୍ୱିଟ୍ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଶେଫାଲୀ ଶାହା ଏବଂ ଆଲିଆ ଭଟ୍ଟ ନଜର ଆସିଛନ୍ତି । ବାସ୍ତବରେ, ଏହି ଫଟୋ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଡାର୍ଲିଙ୍ଗ’ର ଏକ ଦୃଶ୍ୟର । ଯେଉଁଥିରେ ଆଲିଆ ଭଟ୍ଟଙ୍କୁ ପୁଲିସ କିଛି ପ୍ରଶ୍ନ ପଚାରିବା ପରେ ଏକ ଅଜବ ପ୍ରକାରର ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଥିବା ବେଳେ ଶେଫାଲୀ ଶାହା ମଧ୍ୟ ଆଖି ଖୋଲି ଏକ ଚମତ୍କାର ପ୍ରତିକ୍ରିୟା ଦେଉଛନ୍ତି । ଦିଲ୍ଲୀ ପୁଲିସ ଏହି ପ୍ରତିକ୍ରିୟାକୁ ଏପରି କଥା ସହ ଯୋଡ଼ିବାକୁ ଚେଷ୍ଟା କରିଛି। ଯେତେବେଳେ ଜଣେ ସଚେତନ ଓ ସତର୍କ ନାଗରିକଙ୍କୁ ଓଟିପି ପ୍ରଦାନ କରିବାକୁ କୁହାଯାଏ, ସେତେବେଳେ ସେମାନେ ଏପରି ପ୍ରତିକ୍ରିୟା ଦିଅନ୍ତି ।

ସମ୍ବନ୍ଧିତ ଖବର