ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ସୁପର୍ଡୁପର୍ ହିଟ୍ ‘ଚାଲ୍ବାଜ୍’ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ୧୯୮୯ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଶ୍ରୀଦେବୀ ଡବଲ୍ ରୋଲ୍ରେ ନଜର ଆସିଥିଲେ ଏବଂ ତାଙ୍କର ମନଛୁଆଁ ଅଭିନୟ ଦର୍ଶକଙ୍କୁ କିମିଆ କରିଥିଲା। ଶ୍ରୀଦେବୀ ଆଜି ଦୁନିଆରେ ନଥିଲେ ବି ତାଙ୍କ ପ୍ରଶଂସକଙ୍କ ମନରେ ଘରକରି ରହିଛନ୍ତି। ପ୍ରଯୋଜକ-ନିର୍ଦ୍ଦେଶକ ତଥା ଶ୍ରୀଦେବୀଙ୍କ ସ୍ବାମୀ ବୋନି କପୁର ସଂପ୍ରତି ‘ଚାଲ୍ବାଜ୍’କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।
ସୂତ୍ର ଅନୁସାରେ, ବୋନି ‘ଚାଲ୍ବାଜ୍-୨’ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏଥିରେ ସେ ନିଜ ଝିଅ ତଥା ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ମୁଖ୍ୟ ଭୂମିକା ଦେବା ଲାଗି ନିଷ୍ପତ୍ତି ବି କରିସାରିଛନ୍ତି। ଏ ସଂପର୍କରେ ପ୍ରଶ୍ନ କରାଯିବା ପରେ ବୋନି କପୁର କହିଛନ୍ତି, ‘‘ମୋ ଝିଅ ଜାହ୍ନବୀ ତା’ ମା’ ପୂର୍ବରୁ କରିଥିବା ଭୂମିକାରେ ଅଭିନୟ କରିବା ପାଇଁ ବହୁତ ଆଗ୍ରହୀ। ଜାହ୍ନବୀଙ୍କୁ ନେଇ ‘ଚାଲ୍ବାଜ୍’ନିର୍ମାଣ କରିବାକୁ ଅନେକ ଚାହୁଛନ୍ତି। ମୁଁ ଜାଣିନାହିଁ ଯେ ଜାହ୍ନବୀ ସେମାନଙ୍କୁ ହଁ କହିଛନ୍ତି କି ନା। କିନ୍ତୁ ଏହା ନିଶ୍ଚିତ ଯେ ବର୍ତ୍ତମାନ ତିନିଜଣ ପ୍ରଯୋଜକ ଜାହ୍ନବୀଙ୍କ ସହିତ ‘ଚାଲ୍ବାଜ୍’ର ରିମେକ୍ ନେଇ ଆଲୋଚନା କରୁଛନ୍ତି। ଆଉ ଚତୁର୍ଥ ବ୍ୟକ୍ତିଜଣକ ହେଉଛି ମୁଁ।”
ପୂର୍ବରୁ କାହିଁକି ‘ଚାଲ୍ବାଜ୍’ର ରିମେକ୍ କରିବାକୁ ଚାହୁ ନଥିଲେ ଓ ଏବେ କାହିଁକି ଚାହୁଛନ୍ତି, ତାହା ସ୍ପଷ୍ଟ କରିଛନ୍ତି ବୋନି କପୁର। ସେ କହିଛନ୍ତି, “ଏହା ଜମାରୁ ସହଜ କାମ ନୁହେଁ। ଆମକୁ ଏହାର କାହାଣୀରେ ଅନେକ କିଛି ବଦଳାଇବାକୁ ପଡ଼ିବ ଓ ଏହାକୁ ଯୁଗୋପଯୋଗୀ କରିବାକୁ ହେବ। କାହାଣୀର ଆଧୁନିକୀକରଣ କରି ଏହାକୁ ଆଜିର ପିଢ଼ି ପାଇଁ ପ୍ରସ୍ତୁତ କରିବାକୁ ହେବ।”
ତେବେ ବର୍ଷ ବର୍ଷ ଧରି ଏହି ପ୍ରୋଜେକ୍ଟ ସହିତ ଅନେକ ନାମ ଯୋଡ଼ାଯାଇଛି। କିଛି ବର୍ଷ ତଳେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ନେଇ ‘ଚାଲ୍ବାଜ୍’ର ରିମେକ୍ ହେବ ବୋଲି କୁହାଯାଉଥିଲା। ହେଲେ ପରେ ଏହା ଉପରେ କୌଣସି ସୂଚନା ଆସି ନଥିଲା। ପଙ୍କଜ ପାରାଶର୍ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଶ୍ରୀଦେବୀ ଉଭୟ ଅଞ୍ଜୁ ଓ ମଞ୍ଜୁ ଚରିତ୍ରରେ ନଜର ଆସିଥିଲେ। ସାଉଥ୍ ସୁପର୍ଷ୍ଟାର୍ ରଜନୀକାନ୍ତ ଓ ଆକ୍ସନ୍ ହିରୋ ସନ୍ନି ଦେଓଲ୍ ତାଙ୍କ ବିପକ୍ଷରେ ଥିବା ବେଳେ ଫିଲ୍ମଟି ସୁପର୍ହିଟ୍ ହୋଇଥିଲା।