ସିବିଆଇକୁ ପଡ଼ୋଶୀଙ୍କ ବୟାନ: କେବେ ବନ୍ଦ ହୁଏ ନାହିଁ, କିନ୍ତୁ ମୃତ୍ୟୁ ପୂର୍ବ ଦିନ ସୁଶାନ୍ତଙ୍କ ଘର ଲାଇଟ୍‌ ବନ୍ଦ ଥିଲା

ତରବରିଆ ଭାବେ ବ୍ୟବଚ୍ଛେଦ କରାଯାଇଥିଲା

ମୁମ୍ବାଇ:  ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ କଥା ଏବେ ସାମନାକୁ ଆସିବାରେ ଲାଗିଛି। ଆଜି ସୁଶାନ୍ତଙ୍କ ଜଣେ ପଡ଼ୋଶୀଙ୍କ ବୟାନ ସାମ୍ନାଙ୍କୁ ଆସିଛି। ସେ କହିଛନ୍ତି, ସୁଶାନ୍ତ ଘରର ଲାଇଟ୍ କେବେ ବନ୍ଦ ହୁଏ ନାହିଁ। କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବ ଦିନ ଅର୍ଥାତ ଜୁନ୍‌ ୧୩ତାରିଖ‌ରେ ତାଙ୍କ ଘରର ଲାଇଟ୍‌ ରାତି ପ୍ରାୟ ସାଢ଼େ ୧୦ଟାରୁ ୧୦ଟା ୪୫ ଭିତରେ ବନ୍ଦ ହୋଇଥିଲା। ଏହା ନିହାତି ଅସ୍ବାଭାବିକ ଥିଲା। କେବଳ ରୋଷେଇ ଘର ଲାଇଟ୍ ହିଁ ଜଳୁଥିଲା। ଏଥିସହ ୧୩ ତାରିଖ ଦିନ ତାଙ୍କ ଘରେ କୌଣସି ପାର୍ଟି ହୋଇନଥିବା ପଡ଼ୋଶୀଜଣକ କହିଛନ୍ତି।

ତରବରିଆ ଭାବେ ବ୍ୟବଚ୍ଛେଦ କରାଯାଇଥିଲା
ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିବା କୋପର୍‌ ହସ୍ପିଟାଲର ୫ଜଣିଆ ଡାକ୍ତରୀ ଦଳକୁ ଆଜି ସିବିଆଇ ପଚରାଉଚରା କରିଛି। କିନ୍ତୁ ସେମାନଙ୍କଠାରୁ ସନ୍ତୋଷଜନକ ଉତ୍ତର ପାଇ ନାହିଁ ‌ବୋଲି ସୂଚନା ମିଳିଛି। ସିବିଆଇ ‌ସେମାନଙ୍କୁ ପ୍ରଶ୍ନ କରିଥିଲା ଯେ ସୁଶାନ୍ତଙ୍କ କୋଭିଡ୍‌ ରିପୋର୍ଟ ଆସିବା ପୂର୍ବରୁ ତରବରିଆ ଭାବେ ତାଙ୍କର ଶବ ବ୍ୟବଚ୍ଛେଦ କାହିଁକି କରାଗଲା? ଏହାର ଉତ୍ତରରେ ଜଣେ ଡାକ୍ତର କହିଥିଲେ, ଏମିତି କେଉଁଠାରେ ନିୟମ ନାହିଁ ଯେ କୋ‌ଭିଡ୍‌ ରିପୋର୍ଟ ଆସିବା ପୂର୍ବରୁ ବ୍ୟବଚ୍ଛେଦ ହୋଇପାରିବ ନାହିଁ। ତେବେ ସେହି ଟିମ୍‌ର ଆଉ ଜଣେ ଡାକ୍ତର ମୁମ୍ବାଇ ପୁଲିସ୍‌ ବି‌ରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ମୁମ୍ବାଇ ପୁଲିସର ନିର୍ଦ୍ଦେଶକ୍ରମେ ବିଳମ୍ବିତ ରାତିରେ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଡାକ୍ତରଙ୍କ ଏହି ବୟାନ ପୁଣିଥରେ ମୁମ୍ବାଇ ପୁଲିସକୁ ସନ୍ଦେହଘେରକୁ ଆଣିଛି।

ଅପରପକ୍ଷେ ଏମ୍‌ସ୍‌ର ୪ଜଣିଆ ଫରେନ୍‌ସିକ୍‌ ଟିମ୍‌ ସୁଶାନ୍ତଙ୍କ ବ୍ୟବଚ୍ଛେଦ ରିପୋର୍ଟ ଯାଞ୍ଚ କରିବେ ବୋଲି ଜଣାଯାଇଛି। ସିବିଆଇ ହାତକୁ ତଦନ୍ତଭାର ଯିବା ପରେ ଏହି ରିପୋର୍ଟର ପୁଣି ଥରେ ଯାଞ୍ଚ କରିବାକୁ ସିବିଆଇ ଫରେନ୍‌ସିକ୍‌କୁ ଦାୟିତ୍ବ ଦେଇଛି। ଫରେନ୍‌ସିକ୍‌ ମେଡିସିନ୍‌ର ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା ଏହି ଟିମ୍‌ର ନେତୃତ୍ବ ନେବେ। ଯାଞ୍ଚ ପରେ ସିବିଆଇକୁ ଖୁବ୍‌ଶୀଘ୍ର ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଅବଗତ କରାଇବେ।

ସିନ୍ ରିକ୍ରିଏଟ୍‌ କରାଇବ ସିବିଆଇ
ସିବିଆଇ ଏବେ ହତ୍ୟା ଓ ଆତ୍ମହତ୍ୟା ଦୁଇଟି ଦିଗ ଉପରେ ତଦନ୍ତ କରୁଛି। ତେବେ ସୁଶାନ୍ତଙ୍କ ମୃତ୍ୟୁ ଦିନ ଘର ଭିତର ସ୍ଥିତି କେମିତି ଥିଲା, ତାହା ଜାଣିବା ପାଇଁ ସିନ୍‌-ରିକ୍ରିଏଟ୍ କରାଇବ ସିବିଆଇ। ଏଥିରେ ସୁଶାନ୍ତଙ୍କ ଘରେ ରହୁଥିବା ବନ୍ଧୁ ସିଦ୍ଧାର୍ଥ ପିଠାନି, ରୋଷେୟା ନିରଜ ଓ ଦୀପେଶଙ୍କ ସହାୟତା ନିଆଯିବ ବୋଲି ଜଣାଯିବ। ସେଦିନ ସୁଶାନ୍ତଙ୍କ ଘରେ କ’ଣ ଘଟିଥିଲା, ମୃତ୍ୟୁ ବେଳେ ବାକି ୩ଜଣ କେଉଁଠି ଥିଲେ, ସୁଶାନ୍ତଙ୍କୁ ଫ୍ୟାନ୍‌ରେ ଝୁଲିବା ପ୍ରଥମେ କିଏ ଦେଖିଥିଲା, ଦେଖିବା ପରେ ସେମାନେ କାହାକୁ ଜଣାଇଥିଲେ; ଆଦିର ଟିକିନିଖି ଡେମୋ ପ୍ରଦର୍ଶନ କରିବେ।

ସମ୍ବନ୍ଧିତ ଖବର