‘ଦମନ’, ‘ପ୍ରତୀକ୍ଷା’, ‘କୁହୁଡ଼ି’ ଓ ‘ଶାନ୍ତି ଆପାର୍ଟମେଣ୍ଟ’ ଆଦି ସିନେମାରେ ପ୍ରଭାବଶାଳୀ ଅଭିନୟ କରିଥିବା ଦୀପନ୍ବିତ ଦାସମହାପାତ୍ରଙ୍କ ବିପକ୍ଷରେ ପୁଣି ଥରେ ନଜର ଆସିବେ ରାଷ୍ଟ୍ରୀୟ ପୁରସ୍କାର ବିଜୟିନୀ ଅଭିନେତ୍ରୀ ପ୍ରକୃତି ମିଶ୍ର। ନୂଆ ଓଡ଼ିଆ ସିନେମା ‘ବିନ୍ଦୁସାଗର’ରେ ଏହି ଯୋଡ଼ିକୁ ଦର୍ଶକ ପୁଣି ଥରେ ଦେଖିବାକୁ ପାଇବେ। ‘ଯାଯାବର ୨.୦’ ଫେମ୍ ଅଭିଷେକ ସ୍ବାଇଁ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଶିଳାଦିତ୍ୟ ବୋରା ପ୍ରଯୋଜନା କରିଛନ୍ତି। ଏହା ତାଙ୍କର ପ୍ରଥମ ଓଡ଼ିଆ ଛବି।
ଏହି କମେଡି ଫ୍ୟାମିଲି ଡ୍ରାମାରେ ଅନ୍ୟମାନଙ୍କ ମଧ୍ୟରେ ରବିନ ଦାସ ଓ ସତ୍ୟରଂଜନ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଅଭିଷେକ ଦାଶ ଏହାର କାହାଣୀକାର ଓ ‘କର୍ମ’ ଫେମ୍ ଦୀପକ କୁମାର ଏହାର ସିନେମାଟୋଗ୍ରାଫର୍। ଦୀପନ୍ବିତ-ପ୍ରକୃତି ଯୋଡ଼ିକୁ ଦର୍ଶକ ପ୍ରଥମ ଥର ଲାଗି ହିମାଦ୍ରି ତନୟ ଦାସଙ୍କ ପ୍ରଯୋଜିତ ତଥା ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶିତ ‘କୁହୁଡ଼ି’ରେ ଦେଖିବାକୁ ପାଇଥିଲେ। ଏଥିରେ ଦୀପନ୍ବିତ ଓ ପ୍ରକୃତି ପତିପତ୍ନୀ ଭୂମିକାରେ ଥିଲେ।