ମୁମ୍ବାଇ: ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଭେଟେରାନ ହାସ୍ୟ ଅଭିନେତା ଉଲାସ ପଣ୍ଡାଲମଙ୍କ ପତ୍ନୀଙ୍କ ମୃତଦେହ ମିଳିଛି। ତାଙ୍କ ମୃତଦେହ ଘରର ଛାତ ଉପରେ ଦେଖିବାକୁ ମିଳିଥିଲା। ଏହି ଘଟଣା ସମ୍ପର୍କରେ ଉଲାସ ପୁଲିସକୁ ସୂଚନା ଦେଇଛନ୍ତି। ଉଲାସ ପୂର୍ବରୁ ତାଙ୍କ ପତ୍ନୀ ଆଶାଙ୍କ ନିଖୋଜ ନେଇ ପୁଲିସକୁ ସୂଚନା ଦେଇଥିଲେ | ସେ ତାଙ୍କ ପତ୍ନୀ ଆଶା ନିଖୋଜ ହୋଇଯାଇଥିବା ରିପୋର୍ଟରେ ଦାବି କରିଥିଲେ। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି କୁହାଯାଉଛି | ପୁଲିସର ସୂଚନାନୁସାରେ, ଆଶା ଏବଂ ପିଲାମାନେ ରାତିରେ ଉପର ମହଲାରେ ଶୋଇଥିଲେ ଏବଂ ଘଟଣା ସମୟରେ ଉଲାସ ଘରେ ଥିଲେ। ପୁଲିସ କହିଛି ଯେ ଉଲାସ ଏକ ନିଖୋଜ ରିପୋର୍ଟ ଦେବା ପରେ ପୁଲିସ ତାଙ୍କ ବାସଭବନରେ ପହଞ୍ଚିବା ପରେ ଆଶାଙ୍କ ମୃତଦେହ ମିଳିଥିଲା। ଉଲାସ ପଣ୍ଡାଲମ ପୁଲିସକୁ କହିଛନ୍ତି ଯେ ଯେତେବେଳେ ସେ ଉଠି ପ୍ରଥମ ମହଲାକୁ ଗଲେ, ସେତେବେଳେ ସେ ଦେଖିଲେ ତାଙ୍କର କେବଳ ଦୁଇ ପିଲା ଅଛନ୍ତି ଏବଂ ତାଙ୍କ ପତ୍ନୀ ସେଠାରେ ନାହାଁନ୍ତି |
ଏହା ପରେ ସେ ଏକ ନିଖୋଜ ରିପୋର୍ଟ ଦାଖଲ କରିବାକୁ ପୁଲିସ ଷ୍ଟେସନକୁ ଆସିଥିଲେ। ତେବେ ଏବେ ପ୍ରଶ୍ନ ଉଙ୍କି ମାରୁଛି ଯେ ଉଲାସ ପଣ୍ଡାଲମ ତାଙ୍କ ପତ୍ନୀ ଆଶାଙ୍କୁ ଘରର ଚାରିପାଖରେ ଖୋଜିବା ପରିବର୍ତ୍ତେ ନିଖୋଜ ଅଭିଯୋଗ କାହିଁକି ଦାଖଲ କରିଥିଲେ? ପୁଲିସ କହିଛି ଯେ ସେମାନେ ଏହି ଘଟଣାର ତଦନ୍ତ କରୁଛନ୍ତି। ଏହି ସମୟରେ ଆଶାଙ୍କ ପିତା କହିଛନ୍ତି ଯେ ତାଙ୍କ ଝିଅ ଏବଂ ଜ୍ୱାଇଁଙ୍କର ଭଲ ସମ୍ପର୍କ ଥିଲା ଏବଂ ଦମ୍ପତିଙ୍କ ମଧ୍ୟରେ କୌଣସି ବିବାଦ ନଥିଲା | ସେ ଏହା ମଧ୍ୟ କହିଛନ୍ତି ଯେ ମାନସିକ ଅବସାଦ ସମସ୍ୟା ହେତୁ ଆଶା ଆତ୍ମହତ୍ୟା କରିଥାଇ ପାରନ୍ତି। ସେ କହିଛନ୍ତି ଯେ ଉଲାସଙ୍କ ବିରୋଧରେ ତାଙ୍କ ପରିବାରର କୌଣସି ଅଭିଯୋଗ ନାହିଁ। ଉଲ୍ଲେଖ ଥାଉ କି, ଉଲାସ୍ ପଣ୍ଡାଲମ୍ ଅନେକ କମେଡି ଶୋ’ରେ ମିମିକ୍ରି କଳାକାର ଭାବରେ ତାଙ୍କର ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି | ସେ ଅନେକ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି।