ଭୁବନେଶ୍ୱର: ଜଣାଶୁଣା ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କ ସୋମବାର ଅପରାହ୍ନରେ ପରଲୋକ ହୋଇଛି। ଭୁବନେଶ୍ୱର ସ୍ପର୍ଶ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ୱାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି। ସେ ଅନେକ ଦିନ ହେବ କ୍ୟାନସରରେ ପୀଡ଼ିତ ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ।
ସୂଚନାଯୋଗ୍ୟ, ବର୍ଷେ ତଳେ ଦୀପା ଗର୍ଭାଶୟ କର୍କଟରେ ପୀଡ଼ିତ ହୋଇଥିଲେ। ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ ମଧ୍ୟ ସେ ବର୍ଷେ ହେଲା ଚିକିତ୍ସିତ ହେଉଥିଲେ। ତେବେ ଲକ୍ଡାଉନ ପାଇଁ ସେ ଆଉ ମୁମ୍ବାଇ ଯିବା ସମ୍ଭବ ହୋଇ ନ ଥିଲା। କ୍ୟାନ୍ସରର ତୃତୀୟ ପର୍ଯ୍ୟାୟରେ ଥିବା ବେଳେ ୩/୪ ମାସ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରେ ଲାଗିଥିଲା। ସେ ଭୁବନେଶ୍ବରର ନୀଳାଦ୍ରିବିହାରସ୍ଥିତ ଘରେ ରହି ଆସୁଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଭିନେତା ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ନାୟକଙ୍କ ସହଯୋଗରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପାଇଁ ଆର୍ଥିକ ସଙ୍କଟ ଦେଖା ଦେଇଥିବାରୁ ତାଙ୍କୁ ଅନେକ ସହଯୋଗର ହାତ ବଢ଼ାଇ ଥିଲେ। କିନ୍ତୁ ଆଜି ଦୀପା ସାହୁ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।
ଯେତେବେଳେ ଆଲବମ ଓଡ଼ିଆ ଦର୍ଶକଙ୍କ ମନୋରଞ୍ଜନର ବଳିଷ୍ଠ ମାଧ୍ୟମ ପାଲଟିଥିଲା, ଦୀପା ସାହୁ ଥିଲେ ସେତେବେଳର ସବୁଠୁ ଅଗ୍ରଣୀ ଅଭିନେତ୍ରୀ। ଦୀପାଙ୍କ ହସଠୁ ନେଇ ତାଙ୍କ ଅଭିନୟ ଶୈଳୀ ଦର୍ଶକ ଏ ପର୍ଯ୍ୟନ୍ତ ପାସୋରି ପାରିନାହାନ୍ତି। ‘ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି..’, ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା..’, ‘ଏକଡ଼ା ଏକଡ଼ା ରା..’ ଓ ‘ଝିଅ ମୁଁ ମେଡଇନ୍ ଓଡ଼ିଶା..’ ଭଳି ହିଟ୍ ଗୀତରେ ଅଭିନୟ କରି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ। ଏଥିସହ ଦୀପା ଓଡ଼ିଆ ଫିଲ୍ମ ‘ନାରୀ ଆଖିରେ ନିଆଁ’, ‘ସୁନା ଚଢ଼େଇ ମୋ ରୂପା ଚଢ଼େଇ’ ଓ ‘କଲେଜ୍ ଟାଇମ୍’ରେ ମଧ୍ୟ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ‘ବଡ଼ଘର ବଡ଼ ଗୁମର କଥା’ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ।