ଭୁବନେଶ୍ୱର: ଓଲିଉଡର ଜଣେ ନାୟକ ଓ ନାୟିକା ‘ଲଭ ଟେ୍ଵଣ୍ଟି ଟେ୍ଵଣ୍ଟି’ ଖେଳିବେ ବୋଲି କୁହାଗଲା କିଛି ମାସ ତଳେ। ଖୋଲାଖୋଲି ଭାବେ କହିବାକୁ ଗଲେ ଏହି ନାୟକ-ନାୟିକା ଯୋଡ଼ି ‘ଲଭ୍ ଟେ୍ଵଣ୍ଟି ଟେ୍ଵଣ୍ଟି’ ଟାଇଟଲ୍ରେ ନିର୍ମିତ ଏକ ଓଡ଼ିଆ ସିନେମାରେ ଅଭିନୟ କରିଥାନ୍ତେ।
ହେଲେ ଏବେ ଖେଳ ବଦଳିଯାଇଛି। ହଁ ଏଠାରେ ଯେଉଁ ଓଲିଉଡ୍ ଯୋଡ଼ିଙ୍କ କଥା କୁହାଯାଉଛି, ସେ ହେଲେ ଦୀପକ-ପିଙ୍କି ପ୍ରିୟଦର୍ଶିନୀ। ଦୀପକ ଓ ପିଙ୍କି ଯୋଡ଼ିର ପ୍ରଥମ ସିନେମା ଥିଲା ‘ସପନର ନାୟିକା’। ଏହାପରେ ଏହି ଯୋଡିକୁ ନେଇ ଜଣାଶୁଣା ପ୍ରଯୋଜକ ରବୀନ୍ଦ୍ର କୁମାର ପଣ୍ଡା ‘ଲଭ ଟେ୍ଵଣ୍ଟି ଟେ୍ଵଣ୍ଟି’ ଟାଇଟଲରେ ଏକ ଫିଲ୍ମ କାମ ଆରମ୍ଭ କରିଥିଲେ। ଏହି ସିନେମାରେ ନିର୍ଦ୍ଦେଶନା ଦେବାକୁ ଚୁକ୍ତିବଦ୍ଧ ହୋଇଥିଲେ ମୃତ୍ୟୁଞ୍ଜୟ ସାହୁ। କିନ୍ତୁ ତାହା ଫ୍ଲୋର୍କୁ ଯାଇନାହିଁ।
ଏଣେ ରବୀନ୍ଦ୍ର କୁମାର ପଣ୍ଡାଙ୍କ ନିବେଦନର ଏକ ନୂଆ ସିନେମା ‘ତୁ ମୋ’ ନୀଳନୟନା’ ର କାମ ଆରମ୍ଭ ହୋଇଯାଇଛି। ଏଥିରେ ପିଙ୍କି ପ୍ରିୟଦର୍ଶିନୀ ଦୀପଙ୍କର ନୀଳନୟନା। ଏହି ସିନେମାର ପ୍ରଯୋଜନା କରିଛନ୍ତି ରଂଜିତ ପ୍ରଧାନ, ଡଲି ଓ ବୁଲୁ ପ୍ରଧାନ। ଏକ୍ସେଲ୍ ମୁଭିଜ୍ ଓ ଉସିଙ୍ଗ୍ ଷ୍ଟାର୍ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନବାଗତା ପ୍ରଶାନ୍ତ ଲେଙ୍କା ଓ ସୁଧୀର ପୂଜାରୀ। ଏହାର ସଂଳାପ ଲେଖିଛନ୍ତି ଅଜୟ ସାମଲ ଓ ସଙ୍ଗୀତ ନିର୍ଦ୍ଦେଶକ ହେଲେ ବୈଦ୍ୟନାଥ ଦାସ।