ଭାରତୀୟ ଚଳଚ୍ଚିତ୍ର ଜଗତର ସବୁଠାରୁ ଦାମୀ ଅଭିନେତ୍ରୀ ସାଜିଲେ ଦୀପିକା

କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍ ତାଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ ଘୋଷଣା କରିଛନ୍ତି। ବାହୁବଳୀ ଅଭିନେତା ପ୍ରଭାସଙ୍କ ସହ ଆଗାମୀ ଚଳଚ୍ଚିତ୍ରରେ ସେ ନଜର ଆସିବେ। ପ୍ରଥମଥର ପାଇଁ ଏହି ଦୁଇ ମେଗାଷ୍ଟାର ଏକା ସଙ୍ଗେ ଆସୁଥିବାରୁ ବି ଟାଉନ୍‌ରେ ‌ଏହା ବେଶ୍‌ ଚର୍ଚ୍ଚା ସାଉଁଠୁଛି। ଏଥିସହ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଏହି ଚଳଚ୍ଚିତ୍ରରେ ଦୀପିକାଙ୍କ ସାଇନିଂ ଆମାଉଣ୍ଟ୍‌କୁ ନେଇ। ‘‌ବୈଜୟନ୍ତୀ ମୁଭିଜ୍‌’ ପ୍ରୟୋଜିତ ତଥା ଅଶ୍ବୀନ ନାଗ୍‌ ନିର୍ଦ୍ଦେଶନା ଦେବାକୁ ଯାଉଥିବା ଏହି ଚଳଚ୍ଚିତ୍ର ପାଇଁ ଦୀପିକା ପ୍ରାୟ ୨୦ କୋଟି ଟଙ୍କାର ସାଇନିଂ ଆମାଉଣ୍ଟ୍‌ ନେଇଛନ୍ତି। ଏହା ଏକ ବିଜ୍ଞାନ-ଭିତ୍ତିକ କାହାଣୀ ହେବ। ମିଳିଥିବା ଖବର ଅନୁଯାୟୀ, ଦୀପିକା ଏହି ଚଳଚ୍ଚିତ୍ର କରିବାକୁ ଅନିଚ୍ଛା ପ୍ରକାଶ କରିଥିବା ବେଳେ ଚଳଚ୍ଚିତ୍ର ନିର୍ମାତାମାନେ କେବଳ ଦୀପିକାଙ୍କୁ ହିଁ ଏହି ଚଳଚ୍ଚିତ୍ରରେ ‌ନେବାକୁ ଚାହୁଁଥିଲେ। ଖବର ଅନୁସାରେ, ଦୀପିକା ଏବେ ତାଙ୍କ ସହ ମୁଖ୍ୟ ଚରିତ୍ରରେ ଥିବା ଅଭିନେତାଙ୍କ ପାରିଶ୍ରମିକ ବିଷୟରେ ପ୍ରଥମେ ପଚାରନ୍ତି। ସେ କହିଛନ୍ତି, ମୁଁ ଏବେ ସେଇ ଉଚ୍ଚତା ଯାଏଁ ପହଞ୍ଚି ଗଲିଣି, ଯେଉଁଠାରେ ପୁରୁଷମାନଙ୍କ ଭଳି ମତେ ମଧ୍ୟ ସମାନ ଅଧିକାର ଓ ପାରିଶ୍ରମିକ ମିଳିବା ଦରକାର। କିନ୍ତୁ ପ୍ରଭାସ ଲଗାତାର ୫୦ କୋଟି ପାରିଶ୍ରମିକ ନେଉଥିବାରୁ ତାଙ୍କ ସହ ଦୀପିକାଙ୍କ ପାରିଶ୍ରମିକଙ୍କୁ ସମାନ କରିବା ସମ୍ଭବ ହୋଇନଥିଲା। ତେଣୁ ନିର୍ମାତାମାନେ ଦୀପିକାଙ୍କୁ ୨୦ କୋଟି ଦେବାକୁ କହିଥିଲେ। ଦୀପିକା ଏଥିରେ ରାଜି ହୋଇଛନ୍ତି। ଏଥିସହ ଭାରତୀୟ ଚଳଚ୍ଚିତ୍ର ଇତିହାସରେ ସବୁଠୁ ଅଧିକା ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର