ମୁମ୍ବାଇ: ନୀରବତା ଭାଙ୍ଗିଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ। ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ସହ ତାଙ୍କର ବିବାଦ ହୋଇଥିବା ନେଇ କିଛି ଦିନ ହେବ ଚର୍ଚ୍ଚା ହେଉଥିବା ବେଳେ ଏବେ ଏକ ସାକ୍ଷାତକାରରେ ସେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସନ୍ଦୀପଙ୍କ ନାମ ନନେଇ ସେ ତାଙ୍କୁ କଡ଼ା ଜବାବ ଦେଇଥିବା ଦେଖାଯାଇଛି।
ସୂଚନା ମୁତାବକ, ପ୍ରଥମେ ପ୍ରଭାସଙ୍କ ଅଭିନୀତ ଏବଂ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ନିର୍ଦ୍ଦେଶିତ "ସ୍ପିରିଟ୍" ଫିଲ୍ମରେ ଦୀପିକାଙ୍କୁ କାଷ୍ଟ କରାଯାଇଥିଲା। କିନ୍ତୁ ଅଭିନେତ୍ରୀ ଅଧିକ ପାରିଶ୍ରମିକ ଦାବି କରିବା ସହ ସୁଟିଂ ଟାଇମ୍ ପାଇଁ ୱାଙ୍ଗା ତାଙ୍କୁ ଫିଲ୍ମରୁ ବାହାରର ରାସ୍ତା ଦେଖାଇଥିଲେ। ଏହି ବିବାଦକୁ ନେଇ ଏବେ ଦୀପିକା କହିଛନ୍ତି ଯେ, "ଜଣେ ନିର୍ଦ୍ଦେଶକ ମୋତେ ଏକ ଫିଲ୍ମ ଅଫର୍ କରିଥିଲେ। ମୁଁ ଏହାକୁ ସୃଜନଶୀଳ ଭାବରେ ପସନ୍ଦ କରିଥିଲି। ଯେତେବେଳେ ଟଙ୍କା ବିଷୟରେ ଆଲୋଚନା ହେଲା, ମୁଁ ମୋର ପାରିଶ୍ରମିକ କହିଲି। ତା'ପରେ ସେ କହିଲେ ଯେ, ପ୍ରକୃତରେ ଆମେ ଏତେ ଟଙ୍କା ଦେଇପାରିବୁ ନାହିଁ। ଆମକୁ ମୁଖ୍ୟ ଅଭିନେତାଙ୍କୁ ମଧ୍ୟ ପାରିଶ୍ରମିକ ଦେବାକୁ ପଡିବ। ତେଣୁ ମୁଁ କହିଲି ଠିକ୍ ଅଛି, ତା'ପରେ ଟାଟା ବାଏ-ବାଏ। ମୁଁ ମୋର ଟ୍ରାକ୍ ରେକର୍ଡ ଜାଣେ। ମୁଁ ଜାଣେ ମୋର ମୂଲ୍ୟ କ’ଣ। ମୁଁ ଏହା ମଧ୍ୟ ଜାଣେ ଯେ ତାଙ୍କର ଫିଲ୍ମଗୁଡ଼ିକ ମୋ ଫିଲ୍ମଗୁଡ଼ିକ ପରି ଭଲ ଆୟ କରିପାରୁନାହିଁ।"