ସୁଟିଂ ସେଟରେ ଅଣନିଶ୍ବାସୀ ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ଦୀପିକା

ହାଇଦ୍ରାବଦ: ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ। ନିଶ୍ବାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ଜଣାପଡ଼ିଛି। ଏବେ ସେ ଫିଲ୍ମ ‘ପ୍ର‌ୋଜେକ୍ଟ କେ’ର ସୁଟିଂ ପାଇଁ ହାଇଦ୍ରାବାଦରେ ଅଛନ୍ତି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଅନୁଯାୟୀ, ଫିଲ୍ମ ‘ପ୍ର‌ୋଜେକ୍ଟ କେ’ର ସୁଟିଂ ସମୟରେ ସେଟରେ ହିଁ ତାଙ୍କୁ ହଠାତ ନିଶ୍ବାସ ନେବାରେ ସମସ୍ୟା ହୋଇଥିଲା। ଏହା ପରେ ତୁରନ୍ତ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ଏବେ ସେ ସୁସ୍ଥ ହୋଇ ପୁଣି ଥରେ ସୁଟିଂ ସେଟକୁ ଫେରିଛନ୍ତି। ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ଦୀପିକାଙ୍କ ହୃଦସ୍ପନ୍ଦନ ବଢ଼ିଯିବା ସହ ସେ ଅସହଜ ମନେ କରିଥିଲେ। ଏ‌ବେ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତେବେ ଦୀପିକାଙ୍କ ଟିମ ପକ୍ଷରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ କୌଣସି ସୂଚନା ଦିଆଯାଇନାହିଁ।

ଦୀପିକା ପାଦୁକୋନ୍ ବର୍ତ୍ତମାନ ‘ପ୍ରୋଜେକ୍ଟ କେ’ର ସୁଟିଂ ପାଇଁ ହାଇଦ୍ରାବାଦରେ ଅଛନ୍ତି, ଯେଉଁଥିରେ ପ୍ରଭାସ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ସହ ଦୀପିକା ସାଉଥ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ‘ପ୍ର‌ୋଜେକ୍ଟ କେ’ରେ ବିଗ୍ ବି ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଦିଶା ପଟାନୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ଦୀପିକା ପାଦୁକୋନ ଶାହରୁଖ ଖାନଙ୍କ ସହ ଫିଲ୍ମ ‘ପଠାନ’ ଏବଂ ହ୍ରିତିକ ରୋଶନଙ୍କ ସହ ଫିଲ୍ମ ‘ଫାଇଟର’ରେ ମଧ୍ୟ ନଜର ଆସିବେ, ଯାହାର ସୁଟିଂ ଆରମ୍ଭ ହୋଇସାରିଛି।

ସମ୍ବନ୍ଧିତ ଖବର