ଘରେ ସାମାଜିକ ଗଣମାଧ୍ୟମ ମନା: ସନ୍ନି ଲିଓନ

ଅଭିନେତ୍ରୀ ସନ୍ନି ଲିଓନ ସାର୍ବଜନୀନ ଜୀବନରେ ଯେଉଁଭଳି ଫୁଲାଫାଙ୍କିଆ ଆଚରଣ ପ୍ରଦର୍ଶନ କରନ୍ତି, ପାରିବାରିକ ଜୀବନରେ ସେ ତାହାର ସଂପୂର୍ଣ୍ଣ ଓଲଟା। ବାସ୍ତବରେ ତିନି ପିଲାଙ୍କ ମାଆର ଭୂମିକାକୁ ସେ ଖୁବ୍ ସତର୍କତାର ସହ ନିର୍ବାହ କରୁଛନ୍ତି। ପିଲାମାନଙ୍କ ବାଲ୍ୟକାଳ ଯେମିତି ଭଲରେ କଟିବ, ସେଥିପାଇଁ ସେ ଖୁବ୍ ଯତ୍ନବାନ ଥିବା ଜଣାପଡୁଛି। ଆମେ ଏଭଳି ଅନୁମାନ କରିବା ପଛର କାରଣ ହେଲା ସନ୍ନି ନିଜ ଘରେ ଏକ କଠୋର କଟକଣା ଲାଗୁ କରିଛନ୍ତି ଯେଉଁଥିରୁ ସେ ନିଜେ ଓ ସ୍ବାମୀ ଡାନିଏଲ୍ ୱେବର୍ ମଧ୍ୟ ବାଦ୍ ପଡ଼ିନାହାନ୍ତି। ଏହି କଠୋର କଟକଣାଟି ହେଉଛି- ଘରେ କେହି ସାମାଜିକ ଗଣମାଧ୍ୟମ ବ୍ୟବହାର କରିପାରିବେ ନାହିଁ। ୪୧ ବର୍ଷୀୟା ସନ୍ନିଙ୍କର ତିନି ସନ୍ତାନ-ନିଶା, ଆଶେର ଓ ନୋଆ ହେଉଛନ୍ତି ମାତ୍ର ଚାରିରୁ ଛଅ ବର୍ଷ ଭିତରର।

ସନ୍ନିଙ୍କର ବିଶ୍ବାସ, ଏ ବୟସରେ ସେମାନେ ଦୁନିଆର ଯାବତୀୟ କଥା ଜାଣିବା ଅନାବଶ୍ୟକ। ଏପରିକି ବାପା ଓ ମାଆଙ୍କ ଜୀବନରେ କ’ଣ ଘଟୁଛି ସେ କଥା ମଧ୍ୟ ତାଙ୍କ ପିଲାମାନେ ଚିନ୍ତା କରିବା ଦରକାର ନାହିଁ। ସେମାନେ ଏବେ ଶିଶୁସୁଲଭ କାର୍ଯ୍ୟକଳାପରେ ମଗ୍ନ ରହିବା ଦରକାର। ପରିବାର ଏକାଠି ସମୟ କାଟିବାକୁ ସନ୍ନି ସର୍ବାଧିକ ଗୁରୁତ୍ବ ଦିଅନ୍ତି। ତେଣୁ ତାଙ୍କ ଘରେ କେହି ସାମାଜିକ ଗଣମାଧ୍ୟମ ଦେଖନ୍ତି ନାହିଁ। ପିଲାମାନଙ୍କୁ ସେ ପାରୁପର୍ଯ୍ୟନ୍ତ ସାମାଜିକ ଗଣମାଧ୍ୟମରୁ ଦୂରେଇ ରଖିବାକୁ ଚାହାନ୍ତି। ସାମାଜିକ ଗଣମାଧ୍ୟମର ବିଭିନ୍ନ ନକାରାତ୍ମକ ପ୍ରଭାବ ସହିତ ସନ୍ନିଙ୍କ ପିଲାମାନଙ୍କ କ୍ଷେତ୍ରରେ ଏହା ବିଶେଷ ଧରଣର ମାନସିକ କୁପ୍ରଭାବର ଆଶଙ୍କା ବହନ କରିଥାଏ।

ସାମାଜିକ ଗଣମାଧ୍ୟମରେ ସନ୍ନିଙ୍କୁ ନେଇ ଯେଉଁଭଳି ବ୍ୟଙ୍ଗବିଦ୍ରୂପ କରାଯାଇଥାଏ ସେ ସମ୍ପର୍କରେ ସେ ଖୁବ୍ ସଚେତନ। ସେ ଏଭଳି ନକାରାତ୍ମକ ମନୋଭାବ ପଛର ବିଜ୍ଞାନକୁ ବୁଝନ୍ତି, ତେଣୁ ଯେଉଁମାନେ ତାଙ୍କୁ ଆକ୍ଷେପ କରନ୍ତି ସେମାନେ ତାଙ୍କୁ ବାସ୍ତବରେ ଜାଣନ୍ତି ନାହିଁ ବୋଲି ସନ୍ନିଙ୍କର ମତ। ତେଣୁ ସେ ତାହାକୁ ବ୍ୟକ୍ତିଗତ ଭାବେ ନିଅନ୍ତି ନାହିଁ। ହେଲେ ତାଙ୍କ ପିଲାମାନେ ଅଳ୍ପ ବୟସରେ ସେସବୁ ଦେଖି ହଜମ କରିବା ବାସ୍ତବରେ ଅସମ୍ଭବ। ତେଣୁ ଘରେ ଗଣମାଧ୍ୟମ ଦେଖିବା ନିେଷଧ ନିୟମଟି ସନ୍ନିଙ୍କର ଏକ ସୁଚିନ୍ତିତ ତଥା ବୁଦ୍ଧିମାନ ନିଷ୍ପତ୍ତି ବୋଲି ମନେହୁଏ। ଉଲ୍ଲେଖଯୋଗ୍ୟ, ୨୦୧୨ରେ ‘ଜିସ୍‌ମ ୨’ ଚଳଚ୍ଚିତ୍ର ଜରିଆରେ ବଲିଉଡ୍‌ କ୍ୟାରିଅର୍ ଆରମ୍ଭ କରିଥିବା ସନ୍ନି ଏବେ ମନୋରଂଜନ ଦୁନିଆରେ ବେଶ୍‌ ଚଳଚଞ୍ଚଳ ଅଛନ୍ତି।

ସମ୍ବନ୍ଧିତ ଖବର