ମୁମ୍ବାଇରୁ ପ୍ରକାଶିତ 'ମିଡ୍-ଡେ' ଖବରକାଗଜରେ ଅପରାଧ ଖବର ଦାୟିତ୍ବରେ ଥିବା ସାମ୍ବାଦିକ ଜ୍ୟୋତିର୍ମୟ ଦେ’ଙ୍କ ହତ୍ୟାକାଣ୍ଡକୁ ପୂର୍ବରୁ ନେଟ୍ଫ୍ଲିକ୍ସରେ 'ସ୍କୁପ୍' ନାମକ ଧାରାବାହିକ ନାଟକୀୟ ଢଙ୍ଗରେ ଉପସ୍ଥାପନା କରିଥିବାବେଳେ କନୁ ବହଲ୍ 'ଡେସପାଚ୍' ଚଳଚ୍ଚିତ୍ରରେ ଉକ୍ତ ହତ୍ୟାକାଣ୍ଡଭିତ୍ତିକ କାହାଣୀକୁ ବାସ୍ତବଧର୍ମୀ- ଯାହାକୁ ‘ନିରସ’ କୁହାଯାଇପାରେ, ଢଙ୍ଗରେ ପ୍ରଦର୍ଶିତ କରିଛନ୍ତି। ମୁଖ୍ୟ ଚରିତ୍ର ଜୟ ବାଗ୍ (ମନୋଜ ବାଜପେୟୀ)ଙ୍କ ବ୍ୟକ୍ତିଗତ ଓ ପେସାଦାର ଜୀବନର ସୂକ୍ଷ୍ମ ଅଧ୍ୟୟନ ଶୈଳୀରେ ନିର୍ମିତ ଏହି ଅଢ଼େଇ ଘଣ୍ଟାର ସିନେମା ଦର୍ଶକଙ୍କୁ ଚମତ୍କୃତ ବା ଚକିତ କରିବ ନାହିଁ, ବରଂ ବିତୃଷ୍ଣା, ବିରକ୍ତି ଓ ଘୃଣା ପରି ଭାବନାରେ ଭରିଦେବେ। ପୁଣି ନଗ୍ନତା, ଅଭଦ୍ର ଭାଷାର ଅତ୍ୟଧିକ ପ୍ରୟୋଗ ଦୃଷ୍ଟିରୁ ଏହି ସିନେମାକୁ ପରିବାର ସହିତ ଦେଖିବା ଉପଦେଶଯୋଗ୍ୟ ନୁହେଁ। ତଥାପି ଜଣେ ସାମ୍ବାଦିକ ଯେତେବେଳେ ବଡ଼ ଦୁର୍ନୀତିର ଖବର ଉନ୍ମୋଚନ କରିବାକୁ ଉଦ୍ୟମ କରେ, ସେତେବେଳେ ସେ କିପରି ଛୋଡ଼ବଡ଼ ଅପରାଧୀଙ୍କ ଠାରୁ ଆରମ୍ଭ କରି ବେଳେବେଳେ ନିଜ ଅନୁଷ୍ଠାନର ମଧ୍ୟ ଶତ୍ରୁ ପାଲଟିଯାଏ ତାହା 'ଡେସ୍ପାଚ୍' ସିନେମାର ସବୁଠାରୁ ବଡ଼ ବାର୍ତ୍ତା ରୂପେ ଦେଖାଯାଇପାରେ।
ଏ କାହାଣୀର କେନ୍ଦ୍ରରେ ଅଛନ୍ତି 'ଡେସ୍ପାଚ୍' ଖବରକାଗଜରେ କାମ କରୁଥିବା ମଧ୍ୟବୟସ୍କ ଅନୁସନ୍ଧାନକାରୀ ସାମ୍ବାଦିକ- ଜୟ ବାଗ୍। ସିନେମା ଆରମ୍ଭରୁ ଦେଖାଇଦିଆଯାଏ ଯେ ଏହା ସେହି କାଳଖଣ୍ଡରେ ପର୍ଯ୍ୟବସିତ, ଯେତେବେଳେ ଖବରକାଗଜ ନ୍ୟୁଜ୍ରୁମକୁ ୱେବ୍ ପୋର୍ଟାଲ୍ ପ୍ରବେଶ କରି ମୁଦ୍ରିତ ଗଣମାଧ୍ୟମର ଗୁରୁତ୍ବ ହ୍ରାସ କରିବାକୁ ଉଦ୍ୟମ କରୁଥାଏ। ଏହି ପରିବର୍ତ୍ତନ ସହ ଲଢ଼ିବା ପାଇଁ ଖବରକାଗଜ ସାମ୍ବାଦିକ ଜୟ ତାଙ୍କ ପରବର୍ତ୍ତୀ ବଡ଼ ଖବର ଖୋଜୁଛନ୍ତି (ପ୍ରଥମ ପୃଷ୍ଠାରେ ବାଇ ଲାଇନ୍ ଷ୍ଟୋରି ପ୍ରକାଶ କରାଇବା ଲାଗି ଜୟଙ୍କ କ୍ଷୁଧାକୁ ପ୍ରାୟ ସବୁ ସାମ୍ବାଦିକ ହୃଦୟଙ୍ଗମ କରିପାରିବେ)। ଇତିମଧ୍ୟରେ ତାଙ୍କ ବ୍ୟକ୍ତିଗତ ଜୀବନର ଭଙ୍ଗୁର ସ୍ଥିତି ସହ ମଧ୍ୟ ଦର୍ଶକ ପରିଚିତ ହୁଏ। ପତ୍ନୀ ଶ୍ବେତା (ଶାହାନା ଗୋସ୍ବାମୀ), ସହକର୍ମୀ ତଥା ପ୍ରେମିକା ପ୍ରେରଣା (ଅର୍ଚ୍ଚିତା ଅଗ୍ରୱାଲ)ଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତଗୁଡ଼ିକୁ ଦେଖାଇବାରେ ନିର୍ଦେଶକ କନୁ କଦାପି ସଂକୋଚ କରିନାହାନ୍ତି। କାହାଣୀରେ ଆଗକୁ ଜୟଙ୍କୁ ଏକ ବଡ଼ ଦୁର୍ନୀତିର ସୂଚନା ମିଳୁଛି, ଯାହା ତାଙ୍କ ମୁଖମଣ୍ଡଳକୁ ସିନେମାସାରା ଚିନ୍ତିତ ଓ ଚାପଗ୍ରସ୍ତ କରିରଖୁଛି। ବାସ୍ତବ ଜୀବନ ପରି ଏହି ସିନେମାରେ ଏତେଗୁଡ଼ିଏ ଚରିତ୍ର ଓ ଘଟଣା ରହିଛି ଯେ ଜଣେ ଦର୍ଶକ ଏସବୁ ମନେ ରଖିବା ବା ବୁଝିବା ସହଜ ନୁହେଁ। ନିର୍ଦେଶକଙ୍କ ନିର୍ମାଣ ଶୈଳୀରୁ ବୁଝିହୁଏ ଯେ ସେ କାହାଣୀର ବୋଧଗମ୍ୟତା ବା ମନୋରଂଜନକାରୀ ଦିଗ ଠାରୁ ଏହାର ଅସଲ ଜୀବନ ସହିତ ସାମଞ୍ଜସ୍ୟକୁ ଅଧିକ ଗୁରୁତ୍ବ ଦେଇଥାନ୍ତି। ତଥାପି ସିରିୟସ୍ ସିନେପ୍ରେମୀଙ୍କୁ ବି ଏହାର ଗୋଳମାଳିଆ ଚିତ୍ରନାଟ୍ୟ ଅସହଜ ମନେ କରାଇପାରେ।
ଜୟ ସିନେମାର ମୁଖ୍ୟ ଚରିତ୍ର ହୋଇଥିଲେ ହେଁ ତାକୁ ଏହାର ନାୟକ ବୋଲି କହିହେବ ନାହିଁ, କାରଣ ତା’ ବ୍ୟକ୍ତିତ୍ବ, ବ୍ୟବହାର, କାର୍ଯ୍ୟଶୈଳୀ ଦୃଷ୍ଟିରୁ ସେ କଦାପି ପସନ୍ଦଯୋଗ୍ୟ ନୁହେଁ। ଏଭଳି ଏକ ଚରିତ୍ର ଓ ତା' ଜଟିଳ ଭାବନାକୁ ମନୋଜ ବାଜପେୟୀ ନିଖୁଣତାର ସହ ଉତାରି ପାରିଛନ୍ତି। ଏହାର ଖଳନାୟକ ଶେଷ ପର୍ଯ୍ୟନ୍ତ ଅଜ୍ଞାତ ରହି ନିଜ କୁକର୍ମ ଉପରେ ପରଦାକୁ ସୁରକ୍ଷିତ ରଖିଛି। ଜୟ ଚରିତ୍ରର ଏକ ବିଡ଼ମ୍ବନା ହେଲା ସେ ନିଜ 'କ୍ଷମତା' ଠାରୁ ଅଧିକ ସୂଚନା ପାଇଯାଇଥିବାରୁ ତାକୁ ଜୀବନରୁ ମାରିଦେବାର ଧମକ ମିଳୁଛି, ଯେତେବେଳେକି ତା’ ପେସା ହେଉଛି ପାରୁପର୍ଯ୍ୟନ୍ତ ଅଧିକ ସୂଚନା ସଂଗ୍ରହ କରିବା।
୮ ବର୍ଷର ଉଦ୍ୟମର ଫଳ 'ଡେସ୍ପାଚ୍' ବୋଲି ଏହାର ନିର୍ଦେଶକ ଠାଏ ପ୍ରକାଶ କରିଥିଲେ। ଏହା ସତ୍ତ୍ବେ ସାମ୍ବାଦିକତା ବୃତ୍ତିରେ ଥିବା ଦର୍ଶକଙ୍କ ଛଡ଼ା ଅନ୍ୟମାନଙ୍କୁ ଏହା ବିଶେଷ ଭାବେ ପ୍ରଭାବିତ କରିପାରିବ ନାହିଁ, ଯଦିଓ ବର୍ତ୍ତମାନ ସମୟରେ ଅନୁସନ୍ଧାନମୂଳକ ସାମ୍ବାଦିକତାର ମୃତପ୍ରାୟ ସ୍ଥିତି ତାଙ୍କୁ ଅଧିକ ବିଚଳିତ କରିପାରେ।