ଡେରାଡୁନ୍: ଚୀନ୍ ଚଳଚ୍ଚିତ୍ର ଶିଳ୍ପରେ ଯଶ ଓ ସଫଳତା ଲାଭ କରିଥିବା ଉତ୍ତରାଖଣ୍ଡବାସୀ ତଥା ଅଭିନେତା ଦେବ ରତୂଡ଼ୀଙ୍କ ସମ୍ବନ୍ଧରେ କେତେକ ପ୍ରେରଣାଦାୟୀ କଥା ସ୍କୁଲ୍ ସେଠାକାର ପାଠ୍ୟପୁସ୍ତକରେ ସ୍ଥାନିତ ହୋଇଥିବା କଥା ‘ଦି ଟାଇମ୍ସ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି।
ସାନ୍ସି ପ୍ରଦେଶର ସିଆନ୍ ନଗରୀରେ ସ୍କୁଲ୍ର ୭ମ ଶ୍ରେଣୀ ପିଲାଙ୍କ ଇଂରାଜୀ ପାଠ୍ୟ ପୁସ୍ତକରେ ତାଙ୍କ ଉପରେ ବିଷୟଟିଏ ରହିଛି।
ଉଲ୍ଲେଖଯୋଗ୍ୟ, ୪୬ ବର୍ଷିୟ ଦେବ ରତୂଡ଼ୀ ହେଉଛନ୍ତି ଉତ୍ତରାଖଣ୍ଡର ତେହ୍ରି ଗର୍ୱାଲ୍ ଜିଲ୍ଲା ଅନ୍ତର୍ଗତ କେମ୍ରିୟା ସୌର ଗାଁର ବାସିନ୍ଦା। ବ୍ରୁସ୍ ଲି’ଙ୍କୁ ଅନୁକରଣ କରୁଥିବା ଦେବ ୧୯୯୮ରେ ହିନ୍ଦୀ ସିନେମାରେ ଅଭିନୟ କରିବା ପାଇଁ ‘ମହାଭାରତ’ ଧାରାବାହିକରେ ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରିଥିବା ପୁନୀତ ଇସାର୍ଙ୍କ ଆଗରେ ଅଡିସନ୍ ଦେଇ ବିଫଳ ହୋଇଥିଲେ।
ଏହାପରେ, ପରିବାର ପ୍ରତିପୋଷଣ ପାଇଁ ଦିଲ୍ଲୀ ଯାଇ ଛୋଟମୋଟ କାମ କରିଥିଲେ। ପରେ ୨୦୦୫ରେ ଚୀନ୍ର ସେନ୍ଜେନ୍ରେ ଥିବା ଏକ ଭାରତୀୟ ରେସ୍ତୋରାଁରେ ମାସିକ ୧୦, ୦୦୦ ଟଙ୍କା ବେତନ ପାଇ ୱେଟର୍ ଭାବେ କାର୍ଯ୍ୟ କରିବାକୁ ଯାଇଥିଲେ।
କୃଷକ ପରିବାରରେ ଜନ୍ମିଥିବା ଦେବ ଭାରତରେ କରାଟେ ମଧ୍ୟ ଶିକ୍ଷା କରିଥିଲେ। ଚୀନ୍ରେ ମଣ୍ଡାରିନ୍ ଭାଷାରେ ତାଙ୍କର ଦକ୍ଷତା ଆସିଗଲା। ମାର୍ସାଲ୍ ଆର୍ଟରେ ମଧ୍ୟ ସେ ଅଧିକ ଦକ୍ଷତା ହାସଲ କଲେ। ୭ ବର୍ଷ ପରେ ସେ ଉକ୍ତ ରେସ୍ତୋରାଁର ମ୍ୟାନେଜର୍ ପଦକୁ ଉନ୍ନୀତ ହୋଇଥିଲେ।
୨୦୧୭ରେ ସେ ରେସ୍ତୋରାଁକୁ ଆସିଥିବା ଜଣେ ଚୀନ୍ ଚଳଚ୍ଚିତ୍ର ନିର୍ଦେଶକଙ୍କ ସହିତ ତାଙ୍କର ଭେଟ ହେଲା। ତାଙ୍କୁ ସେ ‘ସ୍ବାତ୍’ ନାମରେ ଟିଭି ସିରିଜ୍ରେ ଛୋଟ ଭୂମିକାଟିଏ ଦେଲେ। ସେଥିରେ ସଫଳତା ହାସଲ କରି ଦେବ କ୍ରମେ ୩୫ଟି ଚୀନା ସିନେମା ଓ ଟେଲିଭିଜନ୍ ସିରିଏଲ୍ କଲେ।
ତାଙ୍କର ଏଇ ଅଧ୍ୟବସାୟ ଓ ସଫଳତା କଥା ପାଠ୍ୟପୁସ୍ତକରେ ସ୍ଥାନ ପାଇଛି।