ମୁମ୍ବାଇ: ଷ୍ଟାର୍ପ୍ଲସ୍ରେ ପ୍ରସାରିତ ହେଉଥିବା 'ସାଥ ନିଭାନା ସାଥିଆ' ଧାରାବାହିକରୁ ରାତାରାତି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।
୨୦୨୨ ମସିହାରେ ଦେବୋଲିନା ତାଙ୍କ ଜିମ୍ ପ୍ରଶିକ୍ଷକ ଶାହନୱାଜ ଶେଖଙ୍କ ସହ କୋର୍ଟରେ ବିବାହ କରିଥିଲେ। ତାଙ୍କର ଏହି ପଦକ୍ଷେପ ଯୋଗୁ କିଛି ଅତି ଆପଣାର ଲୋକଙ୍କ ସହ ତାଙ୍କର ସଂପର୍କ ଖରାପ ହୋଇଯାଇଥିଲା। ସେହି ସଂପର୍କୀୟଙ୍କ ମଧ୍ୟରେ ତାଙ୍କ ଭାଇ ମଧ୍ୟ ଥିଲେ। ହେଲେ ଆଜି ରାକ୍ଷୀ ଅବସରରେ ଭାଇଙ୍କ ସହ ଦେବୋଲିନାଙ୍କ ସଂପର୍କ ସୁଧୁରି ଯାଇଛି। ଅଭିନେତ୍ରୀ ନିଜେ ଏହି ସୂଚନା ଦେଇଛନ୍ତି। 'ଇ-ଟାଇମ୍ସ' ସହିତ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ ଅଭିନେତ୍ରୀ ଏହି କଥାକୁ କହି ନିଜର ଖୁସି ବ୍ୟକ୍ତ କରିଛନ୍ତି।
ଦେବୋଲିନା ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଭାଇ ଅନ୍ଦିପଙ୍କ ସହ ତାଙ୍କର ସମ୍ପର୍କ ଏବେ ପୂରାପୂରି ଭଲ ହୋଇଯାଇଛି। ପ୍ରଥମ ଥର ପାଇଁ ଅଭିନେତ୍ରୀ ଗଣମାଧ୍ୟମରେ ତାଙ୍କ ଭାଇଙ୍କ ସହ ଥିବା ନିଜର ଖଟାମିଠା ସମ୍ପର୍କ ବିଷୟରେ କହିଛନ୍ତି। ସେ 'ଟାଇମ୍ସ'କୁ କହିଛନ୍ତି, ‘‘ମୁଁ ଜାଣେ ସେ ସେତେବେଳେ ରାଗିଥିଲେ। ମୁଁ ତାଙ୍କର ଭାବନାକୁ ବୁଝିପାରୁଛି। କିନ୍ତୁ ଆମେ ସମସ୍ତେ ଜାଣନ୍ତି ଯେ ସମୟ ସବୁ କିଛି ଠିକ୍ କରିଦିଏ। ଭାଇଭଉଣୀମାନେ ପରସ୍ପରର ରାଗ ବିଷୟରେ ଜାଣିଥାନ୍ତି। ଈଶ୍ବରଙ୍କ କୃପାରୁ ଆମ ଭିତରେ ସବୁ କିଛି ଠିକ୍ ହୋଇଯାଇଛି।’’
ଦେବୋଲିନା ନିଜ ଭାଇଙ୍କୁ ଜଣେ ସୁପର୍ ହିରୋ ବୋଲି ସମ୍ବୋଧନ କରି ଭାଇଭଉଣୀଙ୍କର ପରସ୍ପର ପ୍ରତି ସମର୍ଥନ ରହିବାଠାରୁ ବଡ଼ ଖୁସି ଆଉ କିଛି ନାହିଁ ବୋଲି ପ୍ରକାଶ କରିଛନ୍ତି।