କଙ୍ଗନାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଫ୍ଲପ୍ ସାବ୍ୟସ୍ତ ହେଲା ଫିଲ୍ମ ‘ଧାକଡ଼’, ୮ମ ଦିନରେ ବିକ୍ରି ହେଲା ମାତ୍ର ୨୦ଟି ଟିକେଟ

ମୁମ୍ବାଇ: ଭାଙ୍ଗିଗଲା କଙ୍ଗନାଙ୍କ ସ୍ବପ୍ନ। ଉନ୍ନତ ଶୈଳୀରେ ଫିଲ୍ମ ‘ଧାକଡ’ର ସୁଟିଂ କରିଥିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ଫିଲ୍ମଟି ଅନେକ ବଡ଼ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି ଆଶା କରିଥିଲେ କଙ୍ଗନା। ହେଲେ ଏବେ ତାଙ୍କ ଆଶା ଆଶାରେ ରହିଯାଇଛି। ଫିଲ୍ମଟି କଙ୍ଗନାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଫ୍ଲପ୍ ଫିଲ୍ମ ସାବ୍ୟସ୍ତ ହୋଇଛି। ଫିଲ୍ମ ରିଲିଜର ଅଷ୍ଟମ ଦିନରେ ମାତ୍ର ୨୦ଟି ଟିକେଟ ବିକ୍ରି ହୋଇଥିବା ବେଳେ ଫିଲ୍ମଟି ମାତ୍ର ୪୪୨୦ ଟଙ୍କା ଆୟ କରିଛି।

କୌଣସି ବଲିଉଡ ଫିଲ୍ମ ସହିତ ପୂର୍ବରୁ ଏଭଳି ହୋଇନଥିଲା। ‘ଧାକଡ଼’ର ଶୋଚନୀୟ ଅବସ୍ଥାକୁ ଦେଖି କଙ୍ଗନା ରାଣାୱତ ଏବେ ସମାଲୋଚନାର ଶିକାର ହୋଇଛନ୍ତି। ଲଗାତାର ଫିଲ୍ମ ଫ୍ଲପ୍ ହେଉଥିବାରୁ ଏବେ ଲୋକେ କଙ୍ଗନାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛି।

ବଲିଉଡ ହଙ୍ଗାମା ଅନୁଯାୟୀ, ଫିଲ୍ମର ନିର୍ମାଣରେ ୮୦-୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ରିଲିଜ୍ ପୂର୍ବରୁ ଫିଲ୍ମକୁ ପ୍ରେକ୍ଷାଳୟ ଓ ଓଟିଟିରେ ରିଲିଜ୍ କରିବା ପାଇଁ ଯୋଜନା କରୁଥିଲେ ନିର୍ମାତା। ହେଲେ ଏବେ ଫିଲ୍ମଟି ବକ୍ସ ଅଫିସରେ ମାଟି କାମୁଡ଼ିବା ପରେ ନିର୍ମାତାମାନେ ଓଟିଟି ଏବଂ ସାଟେଲାଇଟ୍ ଅଧିକାର ବିକ୍ରୟ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୧.୨ କୋଟି ଆୟ କରିଥିବା ବେଳେ ଶନିବାର ଦିନ ଏହି ଚଳଚ୍ଚିତ୍ର ୧.୦୫ କୋଟି ଟଙ୍କା ଆୟ କରିଥିଲେ। ହେଲେ ଆଗକୁ ଆୟ ବଢ଼ିବା ପରିବର୍ତ୍ତେ କମ ହେବାକୁ ଲାଗିଥିଲା। ଅଷ୍ଟମ ଦିନର ଆୟ ଦେଖି ଏବେ ଲୋକେ କଙ୍ଗନାଙ୍କୁ ପରିହାସ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର