ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ଏବେ ଛାଡପତ୍ର ନେଇଛନ୍ତି। ଗୁରୁବାର ମୁମ୍ବାଇ ପରିବାର ଅଦାଲତରେ ଏହି ଦମ୍ପତି ଛାଡପତ୍ର ପ୍ରକ୍ରିୟା ସମାପ୍ତ କରିଛନ୍ତି। ଏହି ଖବର ସେମାନଙ୍କ ଉଭୟ ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଛି।
ଏହି ସୂଚନା କୋର୍ଟରେ ଉପସ୍ଥିତ ଜଣେ ଓକିଲ ଗଣମାଧ୍ୟମକୁ ଦେଇଥିବା ଜଣାଯାଇଛି। ସେ କହିଛନ୍ତି ଯେ ଛାଡପତ୍ରର ଚୂଡ଼ାନ୍ତ ଶୁଣାଣି ଏବଂ ସମସ୍ତ ଔପଚାରିକତା ପୂରଣ କରିବା ପାଇଁ ଉଭୟ ସକାଳ ୧୧ଟାରୁ ପରିବାର ଅଦାଲତରେ ଉପସ୍ଥିତ ଥିଲେ। ବିଚାରପତି ଉଭୟଙ୍କୁ ଜଣେ ପରାମର୍ଶଦାତାଙ୍କ ପାଖକୁ ପଠାଇ ଦେଇଥିଲେ, ଏହି ଅଧିବେଶନ ୪୫ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ୪୫ ମିନିଟ ପରେ ଦୁହେଁ ଛାଡ଼ପତ୍ର ପାଇଁ ନିଷ୍ପତ୍ତି ନେଇସାରିଥିବା ଅଦାଲତଙ୍କୁ ଜଣାଇଥିଲେ। ଉଭୟ ପାରସ୍ପରିକ ସହମତିରେ ଅଲଗା ହେବାକୁ ଚାହୁଁଥିବା କହିଥିଲେ। ଗୁରୁବାର ଅପରାହ୍ନ ପ୍ରାୟ ୪:୩୦ ସମୟରେ, ବିଚାରପତି ଆନୁଷ୍ଠାନିକ ଭାବରେ ସେମାନଙ୍କୁ ଛାଡପତ୍ର ପ୍ରଦାନ କରିଥିଲେ।
ତେବେ ଛାଡ଼ପତ୍ର ପରେ ଧନଶ୍ରୀ ଭରଣପୋଷଣ ବାବଦରେ ଚହଲଙ୍କଠାରୁ ୬୦କୋଟି ଟଙ୍କା ନେବେ ବୋଲି ଚର୍ଚ୍ଚା ହେଉଛି। ଏହି ଖବର ଆସିବା ପରେ ଏବେ ଲୋକେ ଧନଶ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଧନ ନେଇଗଲା ସ୍ତ୍ରୀ ବୋଲି ଜଣେ ସୋସିଆଲ ମିଡିଆରେ ଛାଡ଼ପତ୍ର ଖବର ତଳେ କମଣ୍ଟେ କରିଥିବା ବେଳେ ଅନ୍ୟ ଜଣେ ଲେଖିଛନ୍ତି ଧନଶ୍ରୀଙ୍କୁ ଅନଫଲୋ କର।