ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ଧନୁଷଙ୍କ ବଡ଼ ପୁଅ ୟାତ୍ରା ରାଜାଙ୍କ ନାମରେ କଟିଛି ଚାଲାଣ। ୧୭ ବର୍ଷୀୟ ଏହି ଷ୍ଟାର୍କିଡ୍ ଟ୍ରାଫିକ ନିୟମକୁ ଅଣଦେଖା କରିବା ପରେ ତାଙ୍କ ନାମରେ ଚାଲାଣ କଟିଛି। ସେ ବିନା ହେଲ୍ମେଟ୍ ଓ ଲାଇସେନ୍ସରେ ଚେନ୍ନାଇର ପୋସ୍ ଗାର୍ଡେନ୍ ଅଞ୍ଚଳରେ ଏକ ସୁପରବାଇକ୍ ଚଳାଉଥିବା ବେଳେ ଧରାପଡିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।
ଭିଡିଓରେ ୟାତ୍ରା ରାଜା ଜଣେ ଗାଇଡ୍ (ପ୍ରଶିକ୍ଷକ) ଙ୍କ ସାହାଯ୍ୟରେ ରାସ୍ତାରେ ବାଇକ ଧରି ବୁଲୁଥିବା ଦେଖାଯାଇଛି। ଜଣାପଡ଼ିଛି ଯେ ସେ ବାଇକ୍ ଚଳାଇବା ଶିଖୁଥିଲେ। ତେବେ ଭିଡିଓ ସାମ୍ନାକୁ ଆସିବା ପରେ ତାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କାରଣ ୟାତ୍ରା ହେଲମେଟ ପିନ୍ଧି ନଥିଲେ କିମ୍ବା ତାଙ୍କ ବାଇକରେ ନମ୍ବର ପ୍ଲେଟ ସ୍ପଷ୍ଟ ଦେଖାଯାଉ ନଥିଲା। କୁହାଯାଉଛି ଯେ ଯେତେବେଳେ କର୍ତ୍ତୃପକ୍ଷ ଧନୁଷ ଏବଂ ତାଙ୍କ ପୁଅଙ୍କ ସହ ଯୋଗାଯୋଗ କରିଥିଲେ, ସେତେବେଳେ ଜାଣିବାକୁ ମିଳିଲା ଯେ ତାଙ୍କ ନିକଟରେ କୌଣସି ଡ୍ରାଇଭିଂ ଲାଇସେନ୍ସ ବି ନାହିଁ।
ଭିଡିଓରେ ତାଙ୍କର ପରିଚୟ ନିଶ୍ଚିତ କରିବାକୁ ପୁଲିସ୍ ୟାତ୍ରାଙ୍କ ମାଆ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲା। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଧନୁଷ ଓ ଐଶ୍ବର୍ଯ୍ୟା ଏକ ବର୍ଷ ପୂର୍ବେ ପରସ୍ପରଙ୍କଠାରୁ ଅଲଗା ହୋଇ ଯାଇଛନ୍ତି। ତେବେ ଉଭୟ ପିତାମାତା ସେମାନଙ୍କର ଦୁଇ ପୁଅଙ୍କ ଦାୟିତ୍ବ ବହନ କରୁଛନ୍ତି।
୨୦୦୪ ମସିହା ନଭେମ୍ବର ୧୮ ତାରିଖରେ ଧନୁଷ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ତଥା ଚଳଚ୍ଚିତ୍ର ନିର୍ମାତା ଐଶ୍ବର୍ଯ୍ୟାଙ୍କୁ ବିବାହ କରିଥିଲେ। ଦୁଇ ବର୍ଷ ପରେ, ୨୦୦୬ ମସିହାରେ ପୁଅ ୟାତ୍ରା ଜନ୍ମ ହୋଇଥିବା ବେଳେ୨୦୧୦ରେ ସେମାନଙ୍କ ଦ୍ବିତୀୟ ପୁତ୍ର ସନ୍ତାନ ଲିଙ୍ଗ ଜନ୍ମଲାଭ କରିଥିଲା।