ମୁମ୍ବାଇ: ହିନ୍ଦୀ ସିନେମା ଜଗତରେ ଭାରତ ନାମରେ ଲୋକପ୍ରିୟତା ପାଇଥିବା ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ମନୋଜ କୁମାରଙ୍କ ପରଲୋକ ଘଟିଛି।
ମନୋଜ କୁମାର ଶୁକ୍ରାବର ସକାଳେ ମୁମ୍ବାଇସ୍ଥିତ କୋକିଲାବେନ ହସ୍ପିଟାଲରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ମନୋଜଙ୍କ ଦେହାନ୍ତ ଖବର ଶୁଣିବା ପରେ ବଲିଉଡର ତାରକାମାନେ ଶୋକ ବ୍ୟକ୍ତ କରିଛନ୍ତି।
ଏହି ଦୁଃଖ ସମୟରେ ମନୋଜଙ୍କ ପାର୍ଥିକ ଶରୀରର ଦର୍ଶନ ତଥା ଅଭିନେତାଙ୍କ ପରିବାରକୁ ଭେଟିବା ପାଇଁ ସୁପରଷ୍ଟାର ଧର୍ମେନ୍ଦ୍ର ବି ଆସି ପହଞ୍ଚି ଯାଇଛନ୍ତି।
କିଛିଦିନତଳେ ଧର୍ମେନ୍ଦ୍ରଙ୍କର ଆଖିର ଅପରେସନ୍ ହୋଇଥିଲା। ଅଭିନେତାଙ୍କ ବାମ ଆଖିରେ ବ୍ୟାଣ୍ଡେଜ୍ ଲଗାଯାଇଥିବାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା। ଆଖିର ଅସ୍ତ୍ରୋପଚାର ସତ୍ତ୍ବେ ଘନିଷ୍ଠ ସାଙ୍ଗ ମନୋଜ କୁମାରଙ୍କ ଦେହାନ୍ତ ଖବର ଶୁଣି ନିଜକୁ ଅଟକାଇ ପାରି ନଥିଲେ ଧର୍ମେନ୍ଦ୍ର। ଖବର ପାଇ ସଙ୍ଗେସଙ୍ଗେ ଶେଷଥର ମନୋଜଙ୍କୁ ଦେଖିବା ପାଇଁ ଧାଇଁ ଆସିଥିଲେ ।
ଏହି ଦୁଃଖ ସମୟରେ ଧର୍ମେନ୍ଦ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମନୋଜ ମୋର ଘନିଷ୍ଠ ବନ୍ଧୁ ଥିଲେ। କହିବାକୁ ଗଲେ ସିନେମା ଶିଳ୍ପରେ ଏକାଠି ଆମର ପିଲାଦିନ କଟିଛି। ସିନେମା କ୍ୟାରିୟର ବି ଏକାଠି ଆରମ୍ଭ କରିଥିଲୁ। ମନୋଜଙ୍କ ସିନେମା ଜୀବନ କଥା କହିଲେ ସେ ସହିଦ, ଉପକାର ଏବଂ ରଙ୍ଗ ଦେ ବସନ୍ତୀ ଭଳି ଚଳଚ୍ଚିତ୍ରରେ ଖୁବ ଚମତ୍କାର ଅଭିନୟ କରିଥିଲେ।
ମନୋଜ କୁମାର ପୂରବ୍ ଔର୍ ପଶ୍ଚିମ, ମେରା ନାମ ଜୋକର୍, ହିମାଲୟକି ଗୋଦ୍ ମେ, ଗୁମନାମ୍, ଉପକାର, ରୋଟି କପଡ଼ା ଔର୍ ମକାନ୍, କ୍ରାନ୍ତି, ଶୋର୍, ପଥର କେ ସନମ୍, ବେଇମାନ୍, ଶୋର୍, କଲୟୁଗ ଔର୍ ରାମାୟଣ ଏବଂ ଜୟହିନ୍ଦ୍ ଆଦି ସିନେମା ଲାଗି ସ୍ମରଣୀୟ ହୋଇରହିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/04/oHNnbXRN8WHD1524uPZa.jpg)