ତିନିଥର ପ୍ରସ୍ତୁତ ହେବା ପରେ ବି ଲତାଦିଦିଙ୍କ ଅନ୍ତିମ ଦର୍ଶନରେ ଏହି କାରଣରୁ ସାମିଲ ହୋଇପାରିଲେ ନାହିଁ ଧର୍ମେନ୍ଦ୍ର

ମୁମ୍ବାଇ: କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ପ୍ରିୟ ଲତା ଦିଦିଙ୍କୁ ଅନ୍ତିମ ସଂସ୍କାର ପାଇଁ ଶିବାଜୀ ପାର୍କ ଗ୍ରାଉଣ୍ଡକୁ ନିଆଯାଇଥିଲା। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା।

ଲତାଙ୍କ ଅନ୍ତିମ ଦର୍ଶନ ପାଇଁ  ବଲିଉଡର ଭେଟେରାନ୍ ଅଭିନେତା  ଧର୍ମେନ୍ଦ୍ର ଦେଓଲ ତିନିଥର ପ୍ରସ୍ତୁତ ହୋଇଥିଲେ  ବିି ଶିବାଜୀ ପାର୍କ ଗ୍ରାଉଣ୍ଡକୁ ଯାଇ ପାରି ନଥିଲେ। ଏହି ଘଟଣାକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ଲତା ମଙ୍ଗେସକରଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ବିଚଳିତ ହୋଇପଡ଼ିଥିଲେ। ତାଙ୍କୁ ଠିକ ଲାଗି ନ ଥିଲା। ସେ ଦୁନିଆ ଛାଡ଼ି ଲତା ଦିଦିଙ୍କୁ ଯିବାର ଦେଖି ପାରି ନ ଥାଆନ୍ତେ। ତେଣୁ ଲତା ଦିଦିଙ୍କ ଅନ୍ତିମ ସଂସ୍କାରରେ ଯିବାକୁ ଥରେ ନୁହେଁ ତିନିଥର ପ୍ରସ୍ତୁତ ହୋଇଥିଲେ। ହେଲେ ପ୍ରତିଥର ସେ ଲତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେବାକୁ ସାହାସ ଜୁଟାଇ ପାରି ନ ଥିଲେ।

ଧର୍ମେନ୍ଦ୍ର ଲତା ଦିଦିଙ୍କ ସହ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ପୂରା ଦୁନିଆ ଦୁଃଖୀ ହୋଇଯାଇଛି। ବିଶ୍ବାସ ହେଉ ନାହିଁ କି ଆପଣ ଆମମାନଙ୍କୁ ଛାଡ଼ି ଚାଲିଗଲେ। ବହୁତ ମନେ ପଡ଼ିବେ ଆପଣ। ପ୍ରାର୍ଥନା କରୁଛି ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ।’

ଲତାଙ୍କ ଶେଷକୃତ୍ୟ ପାଇଁ ଶ୍ମଶାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପୱାର, ବଲିଉଡ ଅଭିନେତା ଶାହରୁଖ ଖାନ, ଅଭିନେତ୍ରୀ ଶ୍ରଦ୍ଧା କପୁର, ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଓ ତାଙ୍କ ପତ୍ନୀ ପହଞ୍ଚିଥିଲେ। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଲତାଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମୁମ୍ବାଇରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର