ଭାରତୀୟ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନି ପୁଣି ଚର୍ଚ୍ଚାକୁ ଫେରିଛନ୍ତି। ପଡ଼ିଆରେ ନିଜର ଚଉକା-ଛକାକୁ ନେଇ ଖବରର ଶୀର୍ଷକ ପାଲଟୁଥିବା ଧୋନି ଏବେ ବ୍ୟାଟ୍ ଛାଡ଼ି ବନ୍ଧୁକ ଧରିଛନ୍ତି! ଦେହରେ ଜର୍ସି ବଦଳରେ ରହିଛି କମାଣ୍ଡୋ ୟୁନିଫର୍ମ। ହଠାତ୍ ଧୋନିଙ୍କୁ ବନ୍ଧୁକର ଆବଶ୍ୟକତା କାହିଁକି ପଡ଼ିଲା ବୋଲି ଭାବି ଏବେ ତାଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଛନ୍ତି। ବ୍ୟାଟ୍ ଧରି ଅନେକ ମହାରଥୀଙ୍କ ରେକର୍ଡ ଭାଙ୍ଗିଥିବା ଧୋନି ବନ୍ଧୁକ ଧରିବା ପଛର କାରଣ କ’ଣ, ତାହା ଜାଣିବାକୁ ଅନାଇ ବସିଛନ୍ତି ତାଙ୍କ ପ୍ରଶଂସକ। 

Advertisment

ଗତ ରବିବାର ରିଲିଜ୍‌ ହୋଇଥିବା ‘ଦ ଚେଜ୍‌’ର ଟିଜର୍‌ରେ ମହେନ୍ଦ୍ର ସିଂହ ଧୋନି ଆକ୍‌ସନ୍‌ ମୋଡ୍‌ରେ ନଜରକୁ ଆସିଛନ୍ତି। ଧୋନିଙ୍କ ସହିତ ଅଛନ୍ତି ଲୋକପ୍ରିୟ ଅଭିନେତା ଆର୍‌ ମାଧବନ୍‌। ଦୁହେଁ ସେନା ପୋଷାକରେ ଦେଖିବାକୁ ମିଳିଛନ୍ତି। ‘ଜିଗ୍‌ରା’, ‘ବମ୍ବେ ଭେଲ୍‌ଭେଟ୍‌’ ଓ ‘ରମନ୍‌ ରାଘବ ୨.୦’ ଫେମ୍‌ ନିର୍ଦ୍ଦେଶକ ଭାସନ୍‌ ବାଲା ଏହାର ନିର୍ଦ୍ଦେଶନା ଦେଉଥିବା ଜଣାପଡ଼ିଛି। ମାଧବନ୍‌ ସୋସିଆଲ୍‌ ମିଡିଆରେ ‘ଦ ଚେଜ୍‌’ର ଟିଜର୍‌ ସେୟାର୍‌ କରିବା ପରେ ଏହା ଭାଇରାଲ୍‌ ହୋଇଛି। ଏଥିରେ ଧୋନି କମାଣ୍ଡୋ ୟୁନିଫର୍ମରେ ଥିବା ସହ କଳା ଚଷମା ପିନ୍ଧି ଶତ୍ରୁମାନଙ୍କ ଉପରେ ଗୁଳି ଚଳାଉଥିବା ଦେଖାଯାଇଛି। ମାଧବନ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଟିଜର୍‌ ରିଲିଜ୍‌ କରି ଲେଖିଛନ୍ତି, ‘‘ଗୋଟିଏ ମିସନ୍‌। ଦୁଇ ସାହସୀ ବ୍ୟକ୍ତି। ପ୍ରସ୍ତୁତ ହୁଅନ୍ତୁ, ଧମାକା  ଆରମ୍ଭ ହେବାକୁ ଯାଉଛି।’’

ତେବେ ଧେ‌ାନି ଏବେ ଅଭିନୟରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ବୋଲି ଅନେକେ ଚର୍ଚ୍ଚା ଆରମ୍ଭ କରିଛନ୍ତି। ତାଙ୍କର ଜଣେ ପ୍ରଶଂସକ ଲେଖିଛନ୍ତି, ‘‘ଆମର ଥାଲା ଏବେ ହିରୋ ହୋଇଗଲେ କି?’’ ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘‘ଧୋନି ପଡ଼ିଆରେ ଫିନିସ୍‌ର ଥିଲେ, ଏବେ ପରଦାରେ ଆକ୍ସନ୍‌ ହିରୋ।’’ ଅନ୍ୟ ଜଣେ ଲେଖିଛନ୍ତି ‘‘ପ୍ରଥମ ଦିନର ପ୍ରଥମ ସୋ’ ଆମର।’’  ମାତ୍ର ଧୋନି ତାଙ୍କ ଫେସ୍‌ବୁକ ପେଜ୍‌ରେ ଏହି ଟିଜର ପୋଷ୍ଟ୍‌ କରି ଲେଖିଛନ୍ତି, ‘‘ବଲିଉଡ୍‌ ଡେବ୍ୟୁ? ଏବେ ନୁହେଁ।’’ ବାସ୍ତବରେ ଏହା ଏକ କାର ଇନ୍‌ସୁରାନ୍‌ସ୍‌ କମ୍ପାନିର ବିଜ୍ଞାପନ ଫିଲ୍ମ।