ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଦିବ୍ୟାଦିଶାଙ୍କୁ ଦର୍ଶକ ଖୁବ୍ ଶୀଘ୍ର ଏକ ନୂଆ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ। ହେଲେ ଏଥିରେ ସେ ନାୟିକା ବନିନାହାନ୍ତି, ବରଂ ତାଙ୍କୁ ଆଇଟମ୍ ଗାର୍ଲ ରୂପରେ ଦେଖିବାକୁ ମିଳିବ। ଏଠାରେ ଯେଉଁ ସିନେମା କଥା କୁହାଯାଉଛି, ତାହା ହେଲା ‘ପ୍ରିୟେ ତୁ ମୋ ସିଏ’। ଏଥିରେ ଦିବ୍ୟାଦିଶାଙ୍କୁ ଟାଇଟଲ ଗୀତରେ ଦେଖିବାକୁ ମିଳିବ। ଏହି ଗୀତ ଦୃଶ୍ୟରେ ନାୟକ ଅମ୍ଳାନ ଓ ବବି ମିଶ୍ର ଥିବା ଜଣାଯାଇଛି।
‘ପ୍ରିୟେ ତୁ ମୋ ସିଏ’ରେ ଅମ୍ଳାନଙ୍କ ନାୟିକା ଭୂମିକାରେ ଅଛନ୍ତି ଏଲିନା। ଏହାଛଡ଼ା ବବି ମିଶ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ଅସିତ ପତି, ଭୂପତି, ସୁଧାଂଶୁ ମୋହନ ସାହୁ ଓ ସୋମା ଭୌମିକ ପ୍ରମୁଖଙ୍କୁ ବି ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ପାଇବେ ସିନେପ୍ରେମୀ। ଏହାର ଅଧିକାଂଶ ସୁଟିଂ ବାରିପଦାଠାରେ କରାଯାଇଛି। ଝିଲିକ୍ ମୋସନ୍ ପିକଚର୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ସୁଧାଂଶୁ ମୋହନ ସାହୁ ଏହାର ନିର୍ଦ୍ଦେଶକ। ବୈଦ୍ୟନାଥ ଦାଶ ଏହାର ସଙ୍ଗୀତକାର। ଶରଣାରବିନ୍ଦ ଓଝା ଏହି ସିନେମାର ସଂଳାପକାର। ଏହା ହେଉଛି ଅମ୍ଳାନ-ଏଲିନା ଯୋଡ଼ିର ପ୍ରଥମ ସିନେମା।
ଉଲ୍ଲେଖଯୋଗ୍ୟ, ଦିବ୍ୟାଦିଶା ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’, ‘ତୁ କହିଦେ ଆଇ ଲଭ ୟୁ’, ବାଳ –ଦ ରିଦିମ୍ ଅଫ୍ ଲାଇଫ୍ ’ ‘ମିଷ୍ଟର ମଜନୁ’, ‘ପ୍ରେମ ଏଟିଏମ୍’ ଓ ‘ଧୋରେ ବାବୁ ଧୋ’ଆଦି ଓଡ଼ିଆ ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି। ଏବେ ବି ତାଙ୍କ ହାତରେ ଏବେ ଢେର୍ ସିନେମା ରହିଛି।