ମୁମ୍ବାଇ: ବଲିଉଡ୍ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲଙ୍କର ଦ୍ରିଶା ଆଚାର୍ଯ୍ୟଙ୍କ ସହ ନିକଟରେ ବିବାହ ସରିଯାଇଛି। କରଣ ଦେଓଲଙ୍କ ବିବାହ ଅବସରରେ ଏବେ ପୂରା ପରିବାର ଉପରେ ଲୋକଙ୍କ ଦୃଷ୍ଟି ଯାଇଛି।
ଆପଣ ଜାଣିଥିବେ ଯେ ଧର୍ମେନ୍ଦ୍ର ହେମାମାଳିନୀଙ୍କୁ ଦ୍ବିତୀୟ ବିବାହ କରିଛନ୍ତି। ତାଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌର୍ଙ୍କୁ ନେଇ ବିଭିନ୍ନ ସମୟରେ ବିଭିନ୍ନ କଥା ଉଠିଛି। ଶୁଣା ହେଉଥିଲା ଯେ ହେମାମାଳିନୀଙ୍କୁ ବିବାହ କରିବା ପାଇଁ ପ୍ରକାଶ କୌର୍ ଧର୍ମେନ୍ଦ୍ରଙ୍କ ସମ୍ମୁଖରେ ଏକ ସର୍ତ୍ତ ରଖିଥିଲେ।
ଧର୍ମେନ୍ଦ୍ର ୧୯୫୪ ମସିହାରେ ୧୯ ବର୍ଷୀୟା ପ୍ରକାଶ କୌର୍ଙ୍କୁ ବିବାହ କରିଥିଲେ। ସେମାନଙ୍କର ସନ୍ନି ଦେଓଲ୍, ବବି ଦେଓଲ୍, ବିଜେତା ଦେଓଲ୍, ଅଜେତା ଦେଓଲ୍ ନାମରେ ୪ ପିଲା ବି ଅଛନ୍ତି।
ଏପରି ତ ଦେଖିବାକୁ ଗଲେ ପ୍ରକାଶ କୌର୍ ବିଶେଷ ଲାଇମ୍ଲାଇଟ୍ରେ ରହନ୍ତି ନାହିଁ। ମାତ୍ର ଏକ ପତ୍ରିକାକୁ ନିଜର ସାକ୍ଷାତ୍କାର ଦେଇ ସେ କହିଥିଲେ, ‘ହେମାମାଳିନୀଙ୍କୁ ବିବାହ କରିବାକୁ ମୁଁ ଧର୍ମେନ୍ଦ୍ରଙ୍କ ସମ୍ମୁଖରେ ସର୍ତ୍ତ ରଖିବା କଥା ମିଛ। କଥା ଉଠୁଥିଲା ଯେ ମୁଁ ମୋର ପୁଅ ସନ୍ନି ଦେଓଲ ଓ ବବି ଦେଓଲଙ୍କ କ୍ୟାରିୟର୍ ଗଢ଼ିବା ପାଇଁ ଧର୍ମେନ୍ଦ୍ରଙ୍କ ଆଗରେ ସର୍ତ୍ତ ରଖିଥିଲି। ମାତ୍ର ମୁଁ କହିବାକୁ ଚାହୁଁଛି, ସେମାନେ କ’ଣ ତାଙ୍କ ପିଲା ନୁହଁ କି? ମୁଁ ସେମାନଙ୍କୁ ଯେତିକି ଭଲପାଏ, ଧର୍ମେନ୍ଦ୍ର ବି ସେତେ ଭଲପାଆନ୍ତି। ତେଣୁ ସର୍ତ୍ତ କଥା ପୂରା ମିଛ।’