ମୁମ୍ବାଇ: ଲୋକପ୍ରିୟ ଫେସନ୍ ପତ୍ରିକା ପେପର୍ ମାଗାଜିନ୍ ପାଇଁ ଅଭିନେତା ରଣବୀର ସିଂହ କରିଥିବା ନଗ୍ନ ଫଟୋସୁଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମହିଳାଙ୍କ ଭାବନାକୁ ଆଘାତ ହେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ରଣବୀର ସିଂହଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ଅଧୀନରେ ଧାରା ୫୦୯, ୨୯୨, ୨୯୪ ଲାଗିଥିବା ବେଳେ ଆଇଟି ଆକ୍ଟ ଅଧୀନରେ ସେକ୍ସନ ୬୭ଏ ଧାରା ଲାଗିଛି। ତାଙ୍କ ବିରୋଧରେ ମଙ୍ଗଳବାର ଚେମ୍ବୁର ପୁଲିସ୍ ଷ୍ଟେସନ୍ରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ଏକ ସ୍ବେଚ୍ଛାସେବୀ ସଂଗଠନର ଜଣେ ମହିଳା କର୍ମୀ ଓ ଜଣେ ମହିଳା ଓକିଲଙ୍କ ଦ୍ବାରା ୨ଟି ଭିନ୍ନ ଅଭିଯୋଗ ହୋଇଛି।
ଉଲ୍ଲେଖଯୋଗ୍ୟ, ଲୋକପ୍ରିୟ ଫେସନ୍ ପତ୍ରିକା ପେପର୍ ମାଗାଜିନ୍ ପାଇଁ ରଣବୀର ତାଙ୍କର ଏହି ନଗ୍ନ ଫଟୋସୁଟ୍ କରି ଗତ ୨୧ ତାରିଖରୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛନ୍ତି। ଏକ କସ୍ମୋପଲିଟାନ୍ ମାଗାଜିନ୍ ପାଇଁ ଏପରି ଫଟୋସୁଟ୍ କରିଥିବା ବର୍ଟ ରେନୋଲ୍ଡସଙ୍କ ଠାରୁ ସେ ପ୍ରେରିତ ହୋଇ ଏପରି ଫଟୋସୁଟ୍ କରିଥିବା ସୂଚନା ରହିଛି। ରଣବୀର ଫଟୋସୁଟ୍ରେ ଏକ ଅନ୍ତର୍ବସ୍ତ୍ର ପରିଧାନ କରିଛନ୍ତି, ମାତ୍ର ତାହା ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ହେଉନାହିଁ।
ରଣବୀରଙ୍କ ଏହି ନଗ୍ନ ଫଟୋସୁଟ୍ ଟ୍ବିଟର୍ରେ ଖୁବ୍ ଜୋର୍ରେ ଟ୍ରେଣ୍ଡ୍ କରିବାରେ ଲାଗିଛି। ଏହି ଫଟୋକୁ ବ୍ୟବହାର କରି ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଅନେକ ମିମ୍ ବନାଉଥିବାର ଦେଖିବାକୁ ମିଳିଛି। ରଣବୀରଙ୍କ ଉଦ୍ଦେଶ୍ୟରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଖୁବ୍ ମଜା ମଜା କମେଣ୍ଟ୍ ସବୁ ଦେଇଛନ୍ତି।