ବେଳେବେଳେ ସୁଯୋଗ ଆସେ କିନ୍ତୁ ପରିସ୍ଥିତି-ପରିବେଶ ଅନୁକୂଳ ନଥିବାରୁ ହାତଛଡ଼ା ହୋଇଯାଏ। ଓଲିଉଡ୍‌ ଅଭିନେତା ମନୁ ଦ୍ବିବେଦୀ ଦକ୍ଷିଣୀ ସିନେମାର ବିଖ୍ୟାତ ନିର୍ଦ୍ଦେଶକ ବାଲୁ ମହେନ୍ଦ୍ରଙ୍କ ପ୍ରସ୍ତାବକୁ ହାତଛଡ଼ା କରିବା ଏହାର ଏକ ଉଦାହରଣ।

Advertisment

୧୯୯୧ ମସିହାର କଥା। ସେତେବେଳେ ଚେନ୍ନାଇରେ ଓଡ଼ିଆ ଛବି ‘ଦାଦାଗିରି’ର ପୋଷ୍ଟ ପ୍ରଡକସନ୍ କାମ ଚାଲିଥାଏ। ଏହି ଫିଲ୍ମର ପ୍ରଯୋଜନା କରୁଥାନ୍ତି ରୁନୁ ପଣ୍ଡା ଓ ନିର୍ଦ୍ଦେଶନାରେ ଥାଆନ୍ତି ରାକେଶ ମହାନ୍ତି। ଉଭୟେ ସେତେବେଳେ ସିନେଇଣ୍ଡଷ୍ଟ୍ରି ପାଇଁ ନୂଆ। ଏଣେ ନିଜାମ ଏହାର କାହାଣୀକାର, ସଂଳାପକାର ଓ ଗୀତିକାର। ପ୍ରଥମ କରି ମୁବାରକ୍-ହରି ଯୋଡ଼ି ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଉଥାନ୍ତି। ଏଥିରେ ଉତ୍ତମ ମହାନ୍ତି, ନବାଗତା ଯୁବାଶ୍ରୀ, ପୃଥ୍ବୀରାଜ, ମିହିର ଦାସ, ସ୍ନିଗ୍‌ଧା ମହାନ୍ତି, ମନୁ ଦ୍ବିଦେବୀ, ପ୍ରତିଭା, ଦେବୁବୋଷ ଓ ରାଇମୋହନ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଚେନ୍ନାଇର ଏକ ଷ୍ଟୁଡିଓରେ ଦକ୍ଷିଣ ଭାରତର ପ୍ରଖ୍ୟାତ ନିର୍ଦ୍ଦେଶକ ବାଲୁ ମହେନ୍ଦ୍ର ‘ଦାଦାଗିରି’ର ରସେସ୍ ଦେଖିଥିଲେ। ଏକାଧିକ ବାର ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ସିନେମାଟୋଗ୍ରାଫର୍-ଡିରେକ୍ଟର୍ ବାଲୁ ମହେନ୍ଦ୍ର କମଲ ହାସନ୍-ଶ୍ରୀଦେବୀ ଅଭିନୀତ ‘ସଦ୍‌ମା’ ଯୋଗୁଁ ଚର୍ଚ୍ଚାରେ ଥାଆନ୍ତି। ‘ଦାଦାଗିରି’ର ନାୟକ ମନୁ ଦ୍ବିବେଦୀଙ୍କ ଅଭିନୟ ତାଙ୍କୁ ଭଲ ଲାଗିଲା। ସେହି ସମୟରେ ସେ ଏକ ତାମିଲ୍ ସିନେମା ତିଆରି କରୁଥାନ୍ତି। ସେହି ସିନେମାର ନାୟକଙ୍କ ଚେହେରା ସହ ମନୁଙ୍କର ଅନେକଟା ସାମଞ୍ଜସ୍ୟ ଥିଲା।

ନିର୍ଦ୍ଦେଶକ ବାଲୁ ଅନୁଭବ କଲେ ଯେ ତାଙ୍କ ନାୟକ ଅପେକ୍ଷା ମନୁ ଦେଖିବାକୁ ଭଲ ଓ ଅଭିନୟରେ ବି ଦକ୍ଷ। ଏଣୁ ମନୁଙ୍କୁ ନେଇ ଫିଲ୍ମଟି ଶେଷ କରିବାକୁ ସେ ଇଚ୍ଛା ପ୍ରକାଶ କଲେ। ସେ ମନୁଙ୍କ ସହ କଥାବାର୍ତ୍ତା ବି ହେଲେ। ହେଲେ ଚେନ୍ନାଇରୁ ଫେରିବା ପରେ ନିଜ ସିନେମା ‘ଦାଦାଗିରି’ର ରିଲିଜ୍ କାମରେ ବ୍ୟସ୍ତ ରହିଲେ ମନୁ। କାରଣ ସେ ନିଜେ ବି ଏହାର ଅନ୍ୟତମ ପ୍ରଯୋଜକ ଥିଲେ। ସଂଯୋଗବଶତଃ ‘ଦାଦାଗିରି’ ସୁପରହିଟ୍ ମଧ୍ୟ ହୋଇଗଲା। ତା’ପରେ ମନୁ ଆଉ ସାଉଥ୍ ଯିବା ଲାଗି ମନ ବଳେଇ ନାହାନ୍ତି।
-ଶିବଶଙ୍କର ଓଝା