ନୂଆଦିଲ୍ଲୀ: କିଛି ଦିନ ତଳେ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କ ବହୁ ପ୍ରତୀକ୍ଷିତ "ଦିଲ-ଲୁମିନାଟି" କନ୍ସର୍ଟ ଆୟୋଜକଙ୍କୁ ନୋଟିସ ପଠାଇଥିଲେ ତେଲେଙ୍ଗାନା ସରକାର | କନ୍ସର୍ଟରେ ଡ୍ରଗ୍ସ, ହିଂସା ଏବଂ ମଦ୍ୟପାନକୁ ପ୍ରୋତ୍ସାହିତ କରୁଥିବା ଗୀତଗୁଡ଼ିକ ଗାଇବାକୁ ଅନୁମତି ଦିଆଯିବ ନାହିଁ ସ୍ପଷ୍ଟ କରିଥିଲେ ସରକାର | ଏହା ଉପରେ ବିଭିନ୍ନ କନସର୍ଟରେ ଦିଲଜିତଙ୍କ ପ୍ରତିକ୍ରିୟା ଦେଇସାରିଥିବା ବେଳେ ଏବେ ଉତ୍ତରପ୍ରଦେଶରେ କରିଥିବା କନସର୍ଟରେ ପୁଣିଥରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲଜିତ | ସେ କହିଛନ୍ତି ଯଦି ଗୀତ ଉପରେ ପ୍ରତିବନ୍ଧକ ଲଗାଉଛ ତେବେ ପ୍ରଥମେ ବଲିଉଡ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଅ |
ସେ କହିଛନ୍ତି ଯେ, 'ମୁଁ ସମସ୍ତଙ୍କୁ ବହୁତ ଭଲ ପାଏ। ସେଥିପାଇଁ ଦିଲଜିତ୍ ବନାମ କିଛି ନାହିଁ | ମୁଁ ମୋର "ଦିଲ-ଲୁମିନାଟି" ଟୁର ସମୟରେ ପ୍ରତ୍ୟେକ ସହରରୁ ଅପାର ଭଲପାଇବା ପାଇଛି | କନ୍ସର୍ଟରେ ଡ୍ରଗ୍ସ, ହିଂସା ଏବଂ ମଦ୍ୟପାନକୁ ପ୍ରୋତ୍ସାହିତ କରୁଥିବା ଗୀତଗୁଡ଼ିକ ଗାଇବା ଉପରେ ପ୍ରତିବନ୍ଧକ ଲାଗିବା ପରେ କିଛି ଲୋକ ଡ୍ରଗ୍ସ, ହିଂସା ଏବଂ ମଦ୍ୟପାନ ସହ ଜଡିତ ଗୀତ ନଗାଇ ଗୀତକୁ ସୁପରହିଟ କରିକି ଦେଖାଓ ବୋଲି ଚ୍ୟାଲେଞ୍ଜ କରୁଛନ୍ତି | ସେମାନଙ୍କୁ କହିବାକୁ ଚାହେଁ ଯେ, 'ପଟିଆଲା ପେଗ'ଠାରୁ 'ବର୍ଣ ଟୁ ସାଇନ ', 'ଗୋଟ', 'ଲଭର', 'କିନ୍ନି କିନ୍ନି' ଭଳି ମୋର ଅନେକ ଗୀତ ସୁପରହିଟ ହୋଇଛି | ଏସବୁ ଗୀତରେ ଡ୍ରଗ୍ସ, ହିଂସା ଏବଂ ମଦ୍ୟପାନ ବିଷୟରେ କିଛି ନାହିଁ |"
ସେ ଆହୁରି କହିଥିଲେ, "ସାଧାରଣ ଜଣେ ଆର୍ଟିଷ୍ଟକୁ ଟାର୍ଗେଟ ନକରି ସରକାରଙ୍କୁ ଫିଲ୍ମ ଉପରେ ବି ପ୍ରତିବନ୍ଧକ ଲଗାଇବା ଜରୁରୀ | କାରଣ ଫିଲ୍ମରେ ବର୍ଷ ବର୍ଷ ହେଲାଣି ମଦ, ସିଗାରେଟ, ଡ୍ରଗ୍ସ, ବନ୍ଧୁକ, ହିଂସା ବିଷୟରେ ଦେଖାଯାଉଛି | ଯଦି ପ୍ରତିବନ୍ଧକ ନଲଗାଇପାରୁଛ ତେବେ ଫିଲ୍ମ ପାଇଁ ଯାହା ନିୟମ ଅଛି ମୋ ପାଇଁ ବି ସେହି ନିୟମ କରାଯିବା ଜରୁରୀ |" ତାଙ୍କର ଏହି ବୟାନ ଏବେ ଭାଇରାଲ ହେବାରେ ଲାଗିଛି |