କିଛି ଫିଲ୍ମର କ୍ରେଜ୍ ଆସେ ଆଉ ଚାଲିଯାଏ, ମୋ ଫିଲ୍ମର କ୍ରେଜ୍ ବର୍ଷ ବର୍ଷ ଧରି ରହେ: ଅନୁରାଗ କଶ୍ୟପ

ମୁମ୍ବାଇ: ବୁଧବାର ରିଲିଜ୍ ହୋଇଥିଲା କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’। ଏହି ଫିଲ୍ମର ରିଲିଜକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବୁଧବାର ଏହାର ଅନ୍ତ ଘଟିଥିଲା। ରିଲିଜ୍ ପୂର୍ବରୁ ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଥିବା ବେଳେ ରିଲିଜର ପରେ ତାହା ପ୍ରମାଣ ହେବାରେ ଲାଗିଛି। ଏମଧ୍ୟରେ ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ବକ୍ସ ଅଫିସ ଆୟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।

ବକ୍ସ ଅଫିସରେ ସଫଳତା ପାଇବା ଦ୍ବାରା ଫିଲ୍ମ ଯଦି ଚାଲୁଥାନ୍ତା, ତେବେ ମୁଁ ଏ ଇଣ୍ଡଷ୍ଟ୍ରିରେ ତିଷ୍ଠି ରହିପାରିନଥାନ୍ତି ବୋଲି କହିଛନ୍ତି ଅନୁରାଗ। ତାଙ୍କ କହିବା ମୁତାବକ, ଏକ ଚଳଚ୍ଚିତ୍ରର ହିଟ୍ କିମ୍ବା ଫ୍ଲପ୍ ବର୍ତ୍ତମାନ କେବଳ ସେହି ଚଳଚ୍ଚିତ୍ରର ବକ୍ସ ଅଫିସ ଆୟ ଉପରେ ନିର୍ଭର କରେ ବୋଲି କିଛି ଲୋକ ଭାବୁଛନ୍ତି। ଯଦି ଏହା ସତ ହୋଇଥାନ୍ତା, ତେବେ ଫିଲ୍ମ ନିର୍ମାଣ ହୋଇନଥାନ୍ତା। ଯଦି ଏହା ହୋଇଥାନ୍ତା, ମୁଁ ଏହି ଇଣ୍ଡଷ୍ଟ୍ରିରେ ଆଉ ନଥାନ୍ତି। ମୁଁ ୨୦ବର୍ଷ ଧରି ଚଳଚ୍ଚିତ୍ର ନିର୍ମାଣ କରୁଛି ଏବଂ ଆଗକୁ ବି କରିବି। ଫିଲ୍ମର ଆୟ ବକ୍ସ ଅଫିସରେ ଶେଷ ହୁଏ ନାହିଁ। ମୋର ଅନେକ ଚଳଚ୍ଚିତ୍ର ‘ଦେଭ୍ ଡି’, ‘ମନମରଜିଆନ୍’, ‘ଗୁଲାଲ୍’, ‘ବ୍ଲାକ୍ ଫ୍ରାଇଡେ’, ‘ଉଡାନ’ ଆଜି ମଧ୍ୟ ରୋଜଗାର କରୁଛି। ଓଟିଟିରେ ଅନେକ ଥର ମୋର ଏହି ସବୁ ଫିଲ୍ମ ଶୀର୍ଷରେ ରହିଛି। ନିକଟରେ ଓଟିଟିରେ ‘ରମନ ରାଘବ’ ଟ୍ରେଣ୍ଡ କରୁଥିଲା। ଅନେକ ସମୟରେ ବକ୍ସ ଅଫିସରେ ଧମାଲ କରିଥିବା ଫିଲ୍ମର କ୍ରେଜ ଅଧିକ ସମୟ ରହେ ନାହିଁ। କିନ୍ତୁ ଭଲ କାହାଣୀ ଥିବା ଫିଲ୍ମକୁ ଲୋକେ ଅନେକ ଥର ଦେଖିବାକୁ ପସନ୍ଦ କରନ୍ତି। କିଛି ଫିଲ୍ମର କ୍ରେଜ୍ ଆସେ ଆଉ ଚାଲିଯାଏ। ହେଲେ ମୋ ଫିଲ୍ମର କ୍ରେଜ୍ ବର୍ଷ ବର୍ଷ ଧରି ରହେ। ଏହି କାରଣରୁ ଏବେ ବି ମୁଁ ମୋ ପୁରୁଣା ଫିଲ୍ମରୁ ଭଲ ଆୟ କରୁଛି ଏବଂ ଇଣ୍ଡଷ୍ଟ୍ରିରେ ତିଷ୍ଠି ରହିଛି।

ସମ୍ବନ୍ଧିତ ଖବର