ମୁମ୍ବାଇ: 'ଗ୍ୟାଙ୍ଗସ୍ ଅଫ୍ ୱାସେପୁର', 'ମୁକ୍କାବାଜ', 'ସାକ୍ରେଡ୍ ଗେମ୍ସ' ଭଳି ଚମତ୍କାର ପ୍ରୋଜେକ୍ଟ ତିଆରି କରିଥିବା ନିର୍ଦ୍ଦେଶକ ଅନୁରାଗ କଶ୍ୟପ ବଲିଉଡ୍ ଛାଡି ଏବେ ସାଉଥ୍ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କରିଛନ୍ତି। ସେଠାରେ କାମ କରିବାକୁ ଭଲ ଲାଗୁଥିବା କହିଛନ୍ତି ଅନୁରାଗ। 'ମହାରାଜା', 'ରାଇଫଲ୍ କ୍ଲବ୍' ଭଳି ଦକ୍ଷିଣ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ଅନୁରାଗ। କିନ୍ତୁ ଏହି ସମୟ ମଧ୍ୟରେ ସେ ଚଳଚ୍ଚିତ୍ର ନିର୍ମାଣରୁ ଦୂରେଇ ରହିଛନ୍ତି। ତାଙ୍କର ଶେଷ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଥିଲା 'କେନେଡି' ଯାହା ଭାରତରେ ମୁକ୍ତିଲାଭ କରିନଥିଲା।
ଫିଲ୍ମ ନିର୍ମାଣରୁ ବିରତି ନେଇଥିବାରୁ ଲୋକେ ତାଙ୍କୁ ଟ୍ରୋଲ କରୁଥିଲେ। ଏବେ ସେମାନଙ୍କୁ ଜବାବ ଦେଇଛନ୍ତି ଅନୁରାଗ। ସେ କହିଛନ୍ତି, "ମୁଁ ଫିଲ୍ମ ନିର୍ମାଣ କରିବା ଛାଡ଼ିନାହିଁ। ଏବେ ଶାହରୁଖ ଖାନଙ୍କଠାରୁ ବି ଅଧିକ ବ୍ୟସ୍ତ ଅଛି।ମୁଁ ଗୋଟିଏ ସହର ଛାଡି ଅନ୍ୟ ଏକ ସହରକୁ ଆସିଛି। କିନ୍ତୁ ମୁଁ ଚଳଚ୍ଚିତ୍ର ନିର୍ମାଣ ଛାଡି ନାହିଁ। ଏହା ସେହି ଲୋକମାନଙ୍କୁ ଜବାବ ଯେଉଁମାନେ ଭାବୁଛନ୍ତି ଯେ ମୁଁ ବିରକ୍ତ ହୋଇଯାଇଛି ଏବଂ ଦୂରେଇ ଯାଇଛି। ମୁଁ ଏବେ ବି ଚଳଚ୍ଚିତ୍ର ନିର୍ମାଣ କରୁଛି ଏବଂ ଶାହରୁଖ ଖାନଙ୍କଠାରୁ ଅଧିକ ବ୍ୟସ୍ତ ଅଛି (କାରଣ ମୁଁ ଶାହରୁଖଙ୍କ ଭଳି ଟଙ୍କା ଆୟ କରୁନାହିଁ)। ୨୦୨୮ ପର୍ଯ୍ୟନ୍ତ ମୋ ପାଖରେ କୌଣସି ତାରିଖ ନାହିଁ। ମୁଁ ୫ଟି ପ୍ରୋଜେକ୍ଟ ପାଇଁ ନିର୍ଦ୍ଦେଶନା ଦେଉଛି, ଯାହା ଚଳିତ ବର୍ଷ ରିଲିଜ୍ ହୋଇପାରେ। ମୋର ସବୁଠାରୁ ଲମ୍ବା ଆଇଏମଡିବି ସମୟସୀମା ଅଛି ଏବଂ ମୋର ଏତେ କାମ ଅଛି ଯେ ମୋତେ ଦିନକୁ ୩ଟି ପ୍ରୋଜେକ୍ଟକୁ ନା କହିବାକୁ ପଡୁଛି।"