‘ତୁ ମୋ’ ସୁନା ଚଢେଇ’ର ଅଡିଓ ରିଲିଜ୍‌ ପାର୍ଟିରେ ଝଗଡା , ମୁହାଁମୁହିଁ ହେଲେ ଓଲିଉଡ ନାୟିକା ଓ ନିର୍ଦ୍ଦେଶକ

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟିକା ଏଲ୍‌ସା ଓ ଲୋକପ୍ରିୟ ନିର୍ଦ୍ଦେଶକ ଏସ୍‌ ଦିଲୀପ ପଣ୍ଡାଙ୍କ ମଧ୍ୟରେ ନୂଆ ସିନେମା ‘ତୁ ମୋ’ ସୁନା ଚଢେଇ’ର ଅଡିଓ ରିଲିଜ୍‌ ପାର୍ଟିରେ ଝଗଡା ଏବେ ଚର୍ଚ୍ଚାର ବିଷୟ ହୋଇଛି।ଗତକାଲି ଭୁବନେଶ୍ୱରର ଏକ ହୋଟେଲରେ ‘ତୁ ମୋ’ ସୁନା ଚଢେଇ’ର ଅଡିଓ ରିଲିଜ୍‌ ପାର୍ଟି ଚାଲିଥିଲା। ଏଥିରେ ପ୍ରଯୋଜକ ସୁଶାନ୍ତ ପଣ୍ଡା, ନିର୍ଦ୍ଦେଶକ ଏସ ଦିଲୀପ ପଣ୍ଡା,ନାୟିକା ଏଲ୍‌ସା,ସଂଳାପ ଲେଖକ ଡ଼ ରଜନୀ ରଂଜନଙ୍କ ସମେତ ଫିଲ୍ମ ୟୁନିଟର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
ଏହି ଫିଲ୍ମ ପାଇଁ ଏଲ୍‌ସା ପ୍ରଯୋଜକ ସୁଶାନ୍ତ ପଣ୍ଡା,ସଂପାଦକ ଚନ୍ଦ୍ରଶେଖର ମିଶ୍ର ଓ ନୃତ୍ୟ ନିର୍ଦ୍ଦେଶକ ଏସ୍‌.କେ.ମୁରଲୀଧରନ୍‌ଙ୍କୁ ଧନ୍ୟବାଦ ଜଣାଇଥିଲେ। ହେଲେ ସେ ‘ତୁ ମା’ ସୁନା ଚଢେଇ’ର ନିର୍ଦ୍ଦେଶକ ଏସ୍‌ ଦିଲୀପ ପଣ୍ଡାଙ୍କ ନାଆଁ ନେଇ ନଥିଲେ। ଏହାକୁ ନେଇ ନିର୍ଦ୍ଦେଶକ ଉତ୍‌କ୍ଷିପ୍ତ ହୋଇଥିଲେ। ଏପରି କି ସେ ନାୟିକା ଏଲ୍‌ସାଙ୍କୁ ଠେଲି ଦେଇଥିବାର ଅଭିଯୋଗ କରିଛନ୍ତି ଏଲ୍‌ସା।
ଏହାପରେ ଏଲ୍‌ସା ଆହୁରି ଅଭିଯୋଗ କରିଥିଲେ ଯେ ନିର୍ଦ୍ଦେଶକ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଫିଲ୍ମରୁ ତାଙ୍କର ସିନ୍‌ କାଟି ଦେଇଥିଲେ। ଏପରିକି ପ୍ରଥମେ ତାଙ୍କ ଉପରେ ପିକ୍ଚରାଇଜ୍‌ ହେବାକୁ ଥିବା ଗୋଟିଏ ଗୀତ ଅନ୍ୟ ନାୟିକାଙ୍କୁ ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ।
ଏ ସଂପର୍କରେ ନିର୍ଦ୍ଦେଶକ ଦିଲୀପ ପଣ୍ଡା ନିଜର ସଫେଇ ଦେଇ କହିଛନ୍ତି ଯେ ନାୟିକା ଏଲସା ତାଙ୍କୁ ଧନ୍ୟବାଦ ନ ଜଣାଇବା ବାଧିଥିଲା,କାରଣ ସେ ଏଲସାଙ୍କୁ ଏତେ ବଡ଼ ରୋଲ୍‌ ଦେଇଥିିଲେ। ତା’ଛଡା ତାଙ୍କ ଉପରେ ଯେଉଁ ଗୀତଟି କଟିଯାଇଛି ବୋଲି ଅଭିଯୋଗ ଉଠିଛି,ତା’ହା ସଂପୂର୍ଣ୍ଣ ଅସତ୍ୟ ଓ ଅମୂଳକ।ସେହି ଗୀତଟି ଦେଖାଇ ଦେଲେ‘ତୁ ମୋ’ ସୁନା ଚଢେଇ’ର କାହାଣୀ ଜଣାପଡ଼ିଯିବ ବୋଲି ଅନୁଭବ କରି ସେମାନେ ସେହି ଗୀତଟିର ପ୍ରଦର୍ଶନ କରି ନଥିଲେ।


ଏଲସା ତାଙ୍କ ପ୍ରତି ଅକୃତଜ୍ଞ ହେବା ଠିକ୍‌ ନଥିଲା। ଏପରି ସେହି ସମୟରେ ଏଲସାଙ୍କ ବାପା ମଧ୍ୟ ଅଧିକ ଉତ୍‌କ୍ଷିପ୍ତ ହେବା ଅନୁଚିତ ଥିଲା ବୋଲି ନିର୍ଦ୍ଦେଶକ କହିଛନ୍ତି। ତେବେ ସେ ଯାହା ହେଉନା କାହିଁକି ନିର୍ଦ୍ଦେଶକ ଓ ନାୟିକାଙ୍କର ଏଭଳି ମୁହାଁମୁହିଁ ହେବା ଘଟଣା ଆଗକୁ କି ମୋଡ଼ ନେଉଛି,ତାହା ଦେଖିବା କଥା।

ସମ୍ବନ୍ଧିତ ଖବର