ଏ ବର୍ଷ ନିଜର ପୂର୍ବ ରେକର୍ଡ ଭାଙ୍ଗିପାରନ୍ତି ନିର୍ଦ୍ଦେଶକ ସଞ୍ଜୟ ନାୟକ

ଭୁବନେଶ୍ବର: ଏବର୍ଷ ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ନାୟକ ନିଜର ପୂର୍ବ ରେକର୍ଡ ଭାଙ୍ଗି ପାରନ୍ତି। କାରଣ ଏବର୍ଷ ତାଙ୍କର ସବୁଠାରୁ ଅଧିକ ସିନେମା ମୁକ୍ତିଲାଭ କରିବାର ସମ୍ଭାବନା ଦେଖା ଦେଇଛି। ୨୦୨୧ରେ ତାଙ୍କର ଅତିକମରେ ୪ଟି ସିନେମା ରିଲିଜ୍ ହୋଇପାରେ। ପୂର୍ବରୁ ତାଙ୍କ ନିର୍ଦ୍ଦେଶିତ ୩ଟି ଫିଲ୍ମ ଗୋଟିଏ ବର୍ଷ ଭିତରେ ରିଲିଜ୍ ହେବାର ରେକର୍ଡ ରହିଛି।

ଏବେ ସଞ୍ଜୟ ନାୟକଙ୍କ ଯେଉଁ କେତୋଟି ଫିଲ୍ମ ପାଇପଲାଇନରେ ରହିଛି ସେଥିମଧ୍ୟରେ ଗୋଟିଏ ହେଲା ‘ଆଉ ଗୋଟେ ଲଭ୍ ଷ୍ଟୋରି’। ସଞ୍ଜୟ ନାୟକ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ବି ରଚନା କରିଛନ୍ତି। ଏଥିରେ ଜ୍ୟୋତି ଓ ଭୂମିକା ମୁଖ୍ୟ ଭୂମିକରୋ ଅଛନ୍ତି। ରମେଶ ବାରିକ ‘ଆଉ ଗୋଟେ ଲଭ୍ ଷ୍ଟୋରି’ର ପ୍ରଯୋଜକ। ଠିକ୍ ସେହିପରି ଜ୍ୟୋତି ଓ ଭୂମିକାଙ୍କୁ ନେଇ ସେ ଅନ୍ୟ ଯେଉଁ ସିନେମା ତିଆରି କରୁଛନ୍ତି, ତାହା ହେଲା ‘ମନ ମୋ’ ନେଇଗଲୁରେ’। ସୁନୀଲ ଦାସ ଏହାର ନିର୍ମାତା। ରମେଶ ବାରିକଙ୍କ ପ୍ରଯୋଜିତ ସବୁ ଏ ଲଭ୍ ପାଇଁ’ର ବି ନିର୍ଦ୍ଦେଶକ ସଞ୍ଜୟ ନାୟକ। ଏଥିରେ ହରିହର ଦାଶ ନାୟକ ଓ ନବାଗତା ସ୍ଥିତପ୍ରଜ୍ଞା ନାୟିକା ଭୂମିକାରେ ଅଛନ୍ତି। ନିକଟରେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଜ୍ୟୋତି, ଲିପସା, ଅର୍ଚ୍ଚିତା ମହାନ୍ତିଙ୍କ ଅଭିନୀତ ‘ତୁ ଭାରି ବିଉଟିଫୁଲ୍’ର ୱାର୍ଲ୍ଡ ପ୍ରମିୟର୍ ମଞ୍ଜରୀ ଟିଭିରେ ହୋଇଯାଇଛି।
ଏହାଛଡ଼ା ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ନିର୍ଦେଶିତ ତଥା ଚନ୍ଦନ, ନମ୍ରତା ସିଂହଦେଓ ଏବଂ ଶ୍ରୀତମ୍ ଦାସଙ୍କ ଅଭିନୀତ ‘ତୋ ପାଇଁ ଫେରିବି ବସୁଧା ଚିରି, ଚନ୍ଦନ, ତମନ୍ନାଙ୍କ ଅଭିନୀତ ‘ଲୁଚେଇ ଦେ ମତେ ଛାତି ଭିତରେ’ ଆଦି ସିନେମା ଏବର୍ଷ ରିଲିଜ୍ ହୋଇପାରେ। ଏତଦବ୍ୟତୀତ ସଞ୍ଜୟ ନାୟକ ଅନ୍ୟ ସିନେମା ବି ତିଆରି କରିପାରନ୍ତି, ଯାହା ୨୦୨୧ରେ ବଡ଼ ପରଦାକୁ ଆସିବ।

ସମ୍ବନ୍ଧିତ ଖବର