୨୦୧୮ରେ ବଲିଉଡରେ ଦେଖା ଦେଇଥିଲା ଅନେକ ବିବାଦ; ଜାଣନ୍ତୁ ସେ ବିବାଦଗୁଡ଼ିକ କ’ଣ ?

୨୦୧୮ ଥିଲା ବଲିଉଡ ଲାଗି ଏକ ବିବାଦର ବର୍ଷ। # ମି ଠୁ ଠାରୁ ଆରମ୍ଭ କରି ହତ୍ୟାଧମକ ଯାଏଁ, ଅନେକ ବିବାଦୀୟ ଘଟଣା ବିଦାୟୀ ବର୍ଷରେ ଦେଖିବାକୁ ମିଳିଥିଲା। ଆସନ୍ତୁ ତାହା ଉପରେ ନଜର ପକାଇବା । 

ତନୁଶ୍ରୀ ଦତ୍ତ ଏବ˚ ‘ମି ଠୁ’: ୨୦୦୮ରେ ‘ହର୍ନ‌୍‌ ଓକେ ପ୍ଲିଜ୍‌’ର ସୁଟି˚ ବେଳେ ନିଜକୁ ଅତି ମାତ୍ରାରେ ଚରିତ୍ରବନ୍ତ ଦାବି କରୁଥିବା ନାନା ପାଟେକରଙ୍କ ଅସଦାଚରଣର ଶିକାର ହୋଇଥିଲେ ତନୁଶ୍ରୀ ଦତ୍ତ। ତେବେ, ଜଣେ ପ୍ରସିଦ୍ଧ କଳାକାରଙ୍କ ବିରୋଧରେ ହଠାତ୍‌ ମୁହଁ ଖୋଲିପାରି ନ ଥିଲେ। ନାନାଙ୍କ ଦ୍ବାରା ନିର୍ଯାତିତା ହୋଇଥିବା କଥା ଚଳିତ ବର୍ଷ ହିଁ ସେ ସର୍ବସାଧାରଣକୁ ଆଣିଥିଲେ ଏବ˚ ସେଥି ସହ ଖୋଲିଥିଲା ‘ପାଣ୍ତୋରା ପେଡ଼ି’; ଆରମ୍ଭ ହୋଇଥିଲା ‘ମି ଠୁ’ ଆନ୍ଦୋଳନ। ନାନାଙ୍କ ପରେ ପରେ ଅଭିଯୋଗ ଉଠିଥିଲା ନିଜକୁ ମହାନ୍‌ ବୋଲାଉଥିବା ଆଲୋକନାଥ, ସାଜିଦ ଖାନ ଆଦିଙ୍କ ଭଳି ବଡ଼ ବଡ଼ ଲୋକଙ୍କ ବିରୋଧରେ।

ପଦ୍ମାବତ: ଗତ ବର୍ଷ ବିବାଦ ଆରମ୍ଭ ହୋଇଥିଲା ‘ପଦ୍ମାବତୀ’କୁ ନେଇ; ସ˚ଜୟ ଲୀଲା ଭ˚ସାଲୀଙ୍କ ଐତିହାସିକ ଫିଲ୍ମ। ସୁଟି˚ ପ୍ରାରମ୍ଭରୁ ହିଁ ରାଜପୁତମାନେ ବିରୋଧ କରିଥିଲେ। ସୁଟି˚ ସେଟ୍‌ରେ ଆକ୍ରମଣ, ସେଟ୍‌ ପୋଡ଼ି, ପ୍ରଯୋଜକ-ନିର୍ଦେଶକ ତଥା କଳାକାରଙ୍କୁ ହତ୍ୟା ଧମକ ସତ୍ତ୍ବେ ନିର୍ମାଣ ଶେଷ ହୋଇଥିଲା। ତାହା ପରେ ବିଭିନ୍ନ ରାଜନୈତିକ ଦଳ ଓ ନେତାମାନେ ମଧ୍ୟ ମୁଣ୍ତ ଖେଳାଇଥିଲେ। ଫଳରେ ଫିଲ୍ମଟି ଆଉ ଦିବାଲୋକ ଦେଖିବ କି ନା, ଜଣାପଡ଼ି ନ ଥିଲା। ମାମଲା ଅଦାଲତକୁ ଯିବା ପରେ ଚଳିତ ବର୍ଷ ମୁକ୍ତିଲାଭ କରିଥିଲା ‘ପଦ୍ମାବତ’ ନାମରେ। କେତେକ ଦୃଶ୍ୟ ଅବଶ୍ୟ କାଟ-ଛାଣ୍ଟ କରାଯାଇଥିଲା। ତେବେ, କରଣୀ ସେନାର ତୀବ୍ର ବିରୋଧ ଯୋଗୁଁ ରାଜସ୍ଥାନରେ ମୁକ୍ତିଲାଭ କରିପାରି ନ ଥିଲା।

କ˚ଗନାଙ୍କ ମାତ୍ରାଧିକ ହସ୍ତକ୍ଷେପ: ‘ମଣିକର୍ଣ୍ଣିକା: ଦ କ୍ବିନ୍‌ ଅଫ୍‌ ଝାନସୀ’ର ସୁଟି˚ ଆରମ୍ଭ ହେବା ଦିନରୁ ବିବାଦରେ ରହିଆସିଛନ୍ତି କ˚ଗନା ରନୌତ। ନିର୍ଦେଶନାରେ ଏତେ ହସ୍ତକ୍ଷେପ କଲେ ଯେ, ନିର୍ଦେଶକ ରାଧା କୃଷ୍ଣ ପ୍ରଥମେ ଦୂରେଇଯାଇଥିଲେ। ତାହା ପରେ ଫିଲ୍ମ ଛାଡ଼ିଦେଲେ ସୋନୂ ସୂଦ ଏବ˚ ସ୍ବାତୀ ସେମଵାଲ। ବାରମ୍ବାର ବିଭ୍ରାଟ ଘଟିବାରୁ ବଜେଟ୍‌ ଷାଠିଏ କୋଟିରୁ ଯାଇ ପହଞ୍ଚିଥିଲା ୧୨୦ କୋଟିରେ। ଏବେ ଫିଲ୍ମ ମୁକ୍ତିଲାଭ ଅପେକ୍ଷାରେ। ନିର୍ଦେଶକ ଭାବେ ଦର୍ଶକେ ଦେଖିବେ ଦୁଇ ଦୁଇଟି ନାମ- କ˚ଗନା ଓ ରାଧା କୃଷ୍ଣ।

ପ୍ରିୟଙ୍କାଙ୍କ ‘ଭାରତ’ ଛାଡ଼!: ଆଶା କରାଯାଉଥିଲା, ସଲମାନ ଖାନଙ୍କ ସହ ପ୍ରିୟଙ୍କା ଚୋପ୍ରା ଦେଖିବାକୁ ମିଳିବେ ‘ଭାରତ’ରେ। ତେବେ ‘ଭାରତ’ ଛାଡ଼ିଦେଲେ ପ୍ରିୟଙ୍କା। କାରଣ, ଅଜଣା! ଏହାକୁ ନେଇ ସଲମାନ କ୍ଷୁବ୍‌ଧ।

ପ୍ରେରଣାଙ୍କ ଜେଲ୍‌ ଯାତ୍ରା: ବଲିଉଡ୍‌ ପ୍ରଯୋଜିକା ପ୍ରେରଣା ଅରୋଡ଼ା ପ୍ରଯୋଜନା ସ˚ପର୍କିତ ବହୁ ବିବାଦରେ ଛନ୍ଦିହୋଇ, ଶେଷରେ ଜେଲ୍‌ ଯାଇଥିଲେ। ତାଙ୍କ ବିରୋଧରେ ଠକେଇ ଓ ଜାଲିଆତି ମାମଲା ଅଦାଲତରେ ପହଞ୍ଚାଇଥିଲେ ଜନ ଆବ୍ରାହମ, ଅଭିଷେକ କପୂର ଓ ବାସୂ ଭଗନାନୀ।

ପା‌େପାନଙ୍କ ପାପ: ଟେଲିଭିଜନ୍‌ ରିଅଲିଟି ସୋ ‘ଦ ଭଏସ୍‌ ଇଣ୍ତିଆ କିଡ୍‌ସ’ର ଉପସ୍ଥାପକ ପାପୋନ ଜଣେ ନାବାଳିକାଙ୍କୁ ଚୁମ୍ବନ ଦେଇ ବିବାଦକୁ ଆସିଥିଲେ। ସେ ଯେତେ ସଫେଇ ଦିଅନ୍ତୁ ନା କାହିଁକି ତାଙ୍କ ମିଠା ଚୁମ୍ବନକୁ ବିଷାକ୍ତ ଦ˚ଶନ ଭାବେ ଅନେକ ଗ୍ରହଣ କରିଥିଲେ। ଫଳରେ ସେ ତଡ଼ାଖାଇଥିଲେ।

ସଲମାନଙ୍କୁ ହତ୍ୟା ଧମକ: ରାଜସ୍ଥାନର ଅପରାଧୀ ଲରେନ୍‌ସ ବି‌ଶ୍ନୋଈ, ସର୍ବସାଧାରଣରେ ସଲମାନ ଖାନଙ୍କୁ ହତ୍ୟା ଧମକ ଦେବା, ଏ ବର୍ଷର ଆଉ ଏକ ବିବାଦୀୟ ଘଟଣା ଥିଲା। ସେ କହିଥିଲା- ସଲମାନକୁ ଯୋଧପୁରରେ ହତ୍ୟା କରାଯିବ ଏବ˚ ସେ ଜାଣିବ, ବିଶ୍ନୋଈ ସ˚ପ୍ରଦାୟର ପ୍ରକୃତ ପରିଚୟ। ଉଲ୍ଲେଖଯୋଗ୍ୟ ଯେ, ହରିଣ ଶିକାର ଅଭିଯୋଗରେ ସଲମାନଙ୍କୁ ଅଦାଲତରେ ଛିଡ଼ାକରିଥିଲା, ଏହି ସ˚ପ୍ରଦାୟ।

ସମ୍ବନ୍ଧିତ ଖବର