ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ତାଙ୍କ ସ୍ବାମୀଙ୍କ ସହିତ ୮ମ ବିବାହ ବାର୍ଷିକ ପାଳନ କରିବା ପାଇଁ  ବିଦେଶ ଯାଇଥିଲେ। ଏହି ସମୟରେ ଦମ୍ପତି ଲୁଟର ଶିକାର ହୋଇଥିବା ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଥିଲେ।

Advertisment

ବିଦେଶରେ ଲୁଟର ଶିକାର ହେବାପରେ ଦିବ୍ୟଙ୍କା ତାଙ୍କ ସ୍ବାମୀଙ୍କ ସହିତ ମଙ୍ଗଳବାର ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏହି ସମୟରେ ବିମାନବନ୍ଦର‌ରେ ଉପସ୍ଥିତ ଥିବା ଫଟୋଗ୍ରାଫରଙ୍କୁ ଦିବ୍ୟଙ୍କା ହସିହସି ପୋଜ ଦେଇଥିଲେ। ଦିବ୍ୟଙ୍କା ଗଣମାଧ୍ୟମକୁ କହିଥିଲେ,‘ବିଦେଶରୁ ନିଜ ଘରକୁ ଫେରିବା ପରେ ଶାନ୍ତି ଲାଗୁଛି। ବି‌‌ଦେଶ ସିନା ବୁଲିବାକୁ ଯାଇଥିଲୁ କିନ୍ତୁ ବାସ୍ତବ ଖୁସି ଆମ ଦେଶରେ ଅଛି।’

କିଛିଦିନ ତଳେ ଦିବ୍ୟଙ୍କ‌ାଙ୍କ ସ୍ବାମୀ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରି କହିଥିଲେ, ‘୮ମ ବିବାହ ବାର୍ଷିକ ପାଳନ କରିବା ପାଇଁ ଆମେ ୟୁରୋପ ଯାତ୍ରା କରିଥିଲୁ। ଏହି ଯାତ୍ରା ଆମର ଭଲରେ ଯାଉଥିଲା। ଗତକାଲି ଆମେ ଫ୍ଲୋରେନ୍ସରେ ରହିବାକୁ ଆସିଥିଲୁ। ଯେଉଁ ହୋଟେଲରେ ରହିବାର ଥିଲା ତାହାକୁ ଆମେ ଦେଖିବାକୁ ଯାଉଥିଲୁ।

ତେଣୁ ପାର୍କିଂରେ କାର ଛାଡ଼ି ଦେଇଥିଲୁ। ହୋଟେଲ ଦେଖି କାରରୁ ଜିନିଷ ନେବାକୁ ଯାଉଥିବା ବେଳେ ଆମେ ତାହାର ଦୃଶ୍ୟ ଦେଖି ଚକିତ ହୋଇ ଯାଇଥିଲୁ। କାରଣ କାରର ଦ୍ବାର ଭଙ୍ଗା ଯାଇଥିଲା। ଚାରିପାର୍ଶ୍ବର କାଚ ଭାଙ୍ଗି ଦିଆଯାଇଥିଲା। କାର ଭିତରେ ଥିବ‌ା ଜରୁରୀ ଓ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଯାଇଥିଲା।

ଆମେ ସ୍ଥାନୀୟ ପୁଲିସକୁ ଏଘଟଣା ବିଷୟରେ ଜଣାଇଥିଲୁ। ସେମାନେ ସିସିଟିଭି ଫୁଟେଜ ବିନା ମାମଲା ରୁଜୁ କରି ପାରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ। ସନ୍ଧ୍ୟା ୬ଟା ସୁଦ୍ଧା ପୁଲିସ ଷ୍ଟେସନ ବନ୍ଦ ହୋଇଯାଇଥିଲା।

ଲୁଟର ଶିକାର ହେବାପରେ  ଦିବ୍ୟଙ୍କା ଇନଷ୍ଟାଗ୍ରାମରେ ଏକ ‌ପୋଷ୍ଟ ସେୟାର କରି ଲେଖିଥିଲେ, ‘ମୁଁ ଏବଂ ବିବେକ ଠିକ ଅଛୁ।  କିନ୍ତୁ ଆମର ପାସପୋର୍ଟ, କିଛି ଜରୁରୀ  ଓ ମୂଲ୍ୟବାନ ସମାଗ୍ରୀ ଚୋରି ହୋଇଯାଇଛି।’