ନବମ ଦଶକରେ ଓଲିଉଡ୍ରେ ରାଜ୍ କରୁଥିବା ଅଣଓଡ଼ିଆ ନାୟିକା ରଚନା ବାନାର୍ଜୀଙ୍କ ପ୍ରଥମ ସିନେମା ଥିଲା ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ‘ସାଗର ଗଙ୍ଗା’। ଏଥିରେ ତାଙ୍କର ନାୟକ ଥିଲେ ନବାଗତ ଅନୁପ ଶାହା। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଅଶ୍ରୁମୋଚନ ଓ ରାଇମୋହନ ପରିଡ଼ାଙ୍କୁ ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା। ଶଙ୍କର ତ୍ରିପାଠୀ ଏହାର ସଂଳାପ ଲେଖିଥିବା ବେଳେ ରାଧାକୃଷ୍ଣ ଭଞ୍ଜ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ଅନୁପ-ରଚନାଙ୍କ ଯୋଡ଼ିକୁ ଆଉ କୌଣସି ଛବିରେ ଦେଖିବାକୁ ମିଳିନାହିଁ।
ନବମ ଦଶକର ନମ୍ବର ୱାନ୍ ନାୟିକା ରଚନା ବାନାର୍ଜୀଙ୍କ ସହ ସିଦ୍ଧାନ୍ତଙ୍କ ଯୋଡ଼ି ବେଶ୍ ଜମିଥିଲା। ହେଲେ ତିନି ନବାଗତଙ୍କର ବି ନାୟିକା ବନିଥିଲେ ରଚନା।
ସେହିପରି ନବାଗତ ସଞ୍ଜୟ ନାୟକ, ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ରୁପା ଗାଁର ସୁନାକନିଆଁ’ରେ ନାୟକ ଭୂମିକାରେ ଥିଲେ; ତାଙ୍କର ନାୟିକା ଥିଲେ ରଚନା। ତିରୁମାଲା ପିକ୍ଚର୍ସ ବ୍ୟାନରରେ ନିର୍ମିତ ଏହି ସିନେମାରେ ଦେବୁ ବୋଷ, ନମ୍ରତା ଦାସ, ରାଜୀବ ମହାନ୍ତି ଓ ରାଇମୋହନ ପ୍ରମୁଖ ବି ଅଭିନୟ କରିଥିଲେ। ତେବେ ସଞ୍ଜୟଙ୍କ ସହ ଆଉ କୌଣସି ଛବିରେ ନଜର ଆସି ନଥିଲେ ରଚନା। ଏଣେ ଶିଶୁ କଳାକାରରୁ ନାୟକ ବନିଥିବା ସୂରଜ କୁମାରଙ୍କ ପ୍ରଥମ ଫିଲ୍ମର ନାୟିକା ଥିଲେ ରଚନା। ବ୍ରଜରାଜ ମୁଭିଜ୍ ବ୍ୟାନରରେ ନିର୍ମିତ ‘ଯଶୋଦା’ର ପ୍ରଯୋଜକ ଥିଲେ ବସନ୍ତ ନାୟକ। ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଯଶୋଦା’ରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାନ୍ତ, ଅଞ୍ଜନା, ଉତ୍ତମ ମହାନ୍ତି, ଅପରାଜିତା, ସ୍ବରୂପ ନାୟକ, ଅଶ୍ରୁମୋଚନ ଓ ମହେନ୍ଦ୍ର ଦାଶ ପ୍ରମୁଖ ଅଭିନୟ କରିଥିଲେ। ବିଜୟ ମିଶ୍ର ଏହାର ସଂଳାପ ଲେଖିଥିବା ବେଳେ ସ୍ବରୂପ ନାୟକ ଥିଲେ ସଙ୍ଗୀତକାର। ‘ଯଶୋଦା’ ପରେ ଅନ୍ୟ କୌଣସି ଓଡ଼ିଆ ଛବିରେ ସୂରଜ-ରଚନାଙ୍କ ଯୋଡ଼ି ନଜର ଆସିନାହିଁ।
- ଶିବଶଙ୍କର ଓଝା