ଥରେ ଶ୍ରୀକାନ୍ତ ଦାସ ସ୍ୱରୂପଙ୍କୁ ପଲିଟିକାଲ୍‍ ସାଟାୟାର୍‍ ଥିମ୍‍ର ଗୀତଟିଏ ଭାବିବାକୁ କହିଲେ। ରିକ୍‌ସାରେ ଯାଉଯାଉ ହଠାତ୍‍ ସ୍ୱରୂପଙ୍କ ମୁହଁରୁ ବାହାରିଗଲା ଗୋଟିଏ ଲାଇନ୍‍- ‘ପାନଗୁଅା ଖଇର ଗୁଅାକାତି, ଭଲ ବେବସାୟ ରାଜନୀତି...।’ ଏଇଟା ଗୀତର ପ୍ରଥମ ଲାଇନ୍‍ ହେଲେ ଖୁବ୍‍ ଜମିଯିବ ବୋଲି ମତ ରଖିଲେ ଶ୍ରୀକାନ୍ତ। ତା’ ପରେ ଅନ୍ୟ ପଦ ପୂରଣ ପାଇଁ ମାନସିକ କସରତ୍‍ ଚଳାଇଲେ ସ୍ୱରୂପ। ଯା’ ହେଉ କିଛି ସମୟ ପରେ ତାଙ୍କ ପାଟିରୁ ବାହାରିଲା- ‘ଶୋଷଣ ସାଙ୍ଗକୁ ପ୍ରିୟାପ୍ରୀତି, ଅାହାକି ସୁନ୍ଦର ରାଜନୀତି...।’ ଏହି ଗୀତକୁ ପରବର୍ତ୍ତୀ କମର୍ସିଅାଲ୍‍ ରେକର୍ଡରେ ରଖାଯିବ ବୋଲି ସ୍ଥିର ହେଲା।

Advertisment

ଏହା ଭିତରେ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ସ୍ୱରୂପ ନାୟକଙ୍କୁ ‘ଡୋରା’ରେ ଗୀତ ଲେଖିବାକୁ ଅାମନ୍ତ୍ରଣ କଲେ। ‘ଡୋରା’ର ମ୍ୟୁଜିକ୍‍ ସିଟିଂ ସମୟରେ ସ୍ୱରୂପ ପ୍ରଶାନ୍ତ ନନ୍ଦଙ୍କୁ ‘ପାନଗୁଅା ଖଇର ଗୁଅାକାତି ଭଲ ବେବସାୟ ରାଜନୀତି...’ ଗୀତର ମୁଖୁଡ଼ାଟା ଶୁଣାଇଥିଲେ। ସୋ’ ମ୍ୟାନ୍‍ ପ୍ରଶାନ୍ତଙ୍କୁ ଏ ଲାଇନ୍‍ଟା ଏତେ ଭଲ ଲାଗିଲା ଯେ ସେ ତତ୍‍କ୍ଷଣାତ୍‍ କହିଥିଲେ, ‘‘ଏଇ ଗୀତଟା ଅାଉ କାହାକୁ ଦବୁନି, ଏଇଟାକୁ ଅାମେ ପରବର୍ତ୍ତୀ ଫିଲ୍ମରେ ରଖିବା।’’ ତା’ ପରେ ସ୍ୱରୂପ କହିଥିଲେ, ‘‘ଏଇଟାକୁ ତ ମୁଁ ଓ ଶ୍ରୀକାନ୍ତ କମର୍ସିଅାଲ୍‍ ରେକର୍ଡରେ ରଖିବୁ ବୋଲି ଠିକ୍‍ କରିଛୁ।’’ ପ୍ରଶାନ୍ତ କିନ୍ତୁ ଜିଦ୍‍ ଧରିଲେ ଗୀତଟା ସିନେମାରେ ରହିବ। ସ୍ୱରୂପ ନାୟକ ଏକ ସର୍ତ୍ତ ରଖିଲେ ଯେ ଯେଉଁ ସିନେମାରେ ଏଇ ଗୀତଟା ରହିଲେ ବି ଏହାକୁ ଶ୍ରୀକାନ୍ତ ଦାସ ଗାଇବେ। ପ୍ରଶାନ୍ତ ବି ସେଥିରେ ରାଜି ହେଲେ।

ଏକଦା ଓଡ଼ିଅା ସଂଗୀତ ଜଗତରେ ବେଶ୍‍ ପ୍ରସିଦ୍ଧି ଅର୍ଜନ କରିଥିଲେ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ। ସତୁରି ଦଶକରେ ସେ ଗାଇଥିବା ଅନେକ ଗୀତ ଲୋକପ୍ରିୟତା ହାସଲ କରିଥିଲା। ସେ ସମୟରେ ଶ୍ରୀକାନ୍ତ ଓ ଅଭିନେତା-ଗୀତିକାର-ସଂଗୀତକାର ସ୍ୱରୂପ ନାୟକ ପ୍ରତି ବର୍ଷ ଦୁର୍ଗାପୂଜା ଉପଲକ୍ଷେ ନୂଆ ଗୀତ କରୁଥାଆନ୍ତି। ଶ୍ରୀକାନ୍ତ-ସ୍ୱରୂପ ଯୋଡ଼ିଙ୍କର ‘ଲେ ଲବିନା ଟିକେ ପଛକୁ ଅନା...’, ‘ବାଟ ଛାଡ଼ ଅାସୁଛି...’ ଏବଂ ‘ଅାକାଶର ବୁକୁଚିରି ଜହ୍ନ ହସେ କିରିକିରି...’ ଭଳି ଗୀତ ସୁପରହିଟ୍‌ ହୋଇଥିଲା।

‘ଡୋରା’ ପରେ ପ୍ରଶାନ୍ତ ନନ୍ଦ ଅାରମ୍ଭ କଲେ ‘ଜଗାବଳିଅା’। ଏହି ସିନେମାରେ ଗୀତ ଲେଖିଥିଲେ ସ୍ୱରୂପ ନାୟକ ଅାଉ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର। ‘ପାନ ଗୁଆ ଖଇର..’ ଶ୍ରୀକାନ୍ତ ଦାସଙ୍କ କଣ୍ଠରେ ରେକର୍ଡ କରାଯିବ ବୋଲି ସ୍ଥିର ହେଲା। ଏଥିପାଇଁ ପ୍ରଶାନ୍ତ ନନ୍ଦ, ଶାନ୍ତନୁ ମହାପାତ୍ର, ଦେବାଶିଷ ମହାପାତ୍ର, ତୃପ୍ତି ଦାସ, ସ୍ୱରୂପ ନାୟକ ଓ ଶ୍ରୀକାନ୍ତ ଦାସଙ୍କ ପାଇଁ ବମ୍ୱେ ଯିବା ଲାଗି ଟିକେଟ୍‍ କରାଗଲା। ବମ୍ୱେର ମେହେବୁବ୍‍ ଷ୍ଟୁଡିଓରେ ଗୀତ ରେକର୍ଡିଂ ହେବାର ଥାଏ। ଟ୍ରେନ୍ ଟାଇମ୍‍ ହୋଇ ଯାଉଥାଏ କିନ୍ତୁ ଶ୍ରୀକାନ୍ତ ଦାସ ଭୁବନେଶ୍ୱର ରେଳ ଷ୍ଟେସନ୍‍ରେ ପହଞ୍ଚି ନଥାନ୍ତି। ସମସ୍ତେ ବ୍ୟସ୍ତ, କୁଅାଡ଼େ ଗଲେ ଶ୍ରୀକାନ୍ତ? ଶେଷରେ ଟ୍ରେନ୍ ଛାଡ଼ିଦେଲା ହେଲେ ଶ୍ରୀକାନ୍ତ ପହଞ୍ଚିଲେ ନାହିଁ। ଟ୍ରେନ୍‌ରେ ପ୍ରଶାନ୍ତ, ସ୍ୱରୂପଙ୍କ ଉପରେ ଖୁବ୍‍ ବିରକ୍ତ ହେଲେ ଓ ରାଗରେ କହିଲେ- ‘‘ଏବେ ତୁ ଏ ଗୀତ ଗାଇବୁ।’’ ଶ୍ରୀକାନ୍ତଙ୍କ କହିବାନୁଯାୟୀ ଅସୁସ୍ଥତା ହେତୁ ସେ ସେଦିନ ବମ୍ୱେ ଯାଇପାରି ନ ଥିଲେ। ପରିଶେଷରେ ଦେବାଶିଷ ଓ ସ୍ୱରୂପଙ୍କ କଣ୍ଠରେ ‘ପାନଗୁଅା ଖଇର ଗୁଅାକାତି...’ ଗୀତଟି ରେକର୍ଡ ହେଲା ଏବଂ ଏହି ଗୀତଟି ଖୁବ୍‌ ଲୋକପ୍ରିୟ ହୋଇଥିଲା। ଗୀତଟି ଗାଇ ନ ପାରି ପରେ ଖୁବ୍‍ ପଶ୍ଚାତ୍ତାପ କରିଥିଲେ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ।