ଡାକ୍ତରାଣୀ-ଅଭିନେତ୍ରୀ ଅଦିତି ଶଙ୍କର

ଅଭିନୟ କଳାର ଆକର୍ଷଣ ଏତେ ଶକ୍ତିଶାଳୀ ଯେ ତାହା ଜଣକୁ ଯେ କୌଣସି ଗୁରୁତ୍ବପୂର୍ଣ୍ଣ ପେସା ଛାଡ଼ି ଆସିବାକୁ ବାଧ୍ୟ କରିଥାଏ। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ତାମିଲ ଅଭିନେତ୍ରୀ ଅଦିତି ଶଙ୍କର। ରୋଗୀସେବା ପରି ଏକ ମହନୀୟ ସେବାକୁ ଆଦରିଥିବା ଅଦିତି ମାତ୍ର ଦୁଇଟି ଫିଲ୍ମରେ କାମ କଲା ପରେ ଆଉ ଅଭିନୟ ଛାଡ଼ି ପାରୁନାହାନ୍ତି। ଅବଶ୍ୟ ଏଥିପାଇଁ ସେ ନିଜ ନିର୍ଦ୍ଦେଶକ ପିତା ଏସ୍‌. ଶଙ୍କରଙ୍କ ଉତ୍ତରଦାନକୁ ବଜାୟ ରଖିବାରେ ସଫଳ ହୋଇଛନ୍ତି।

ତାମିଲ ସିନେ ଦୁନିଆରେ ମାତ୍ର ଦୁଇଟି ସିନେମା ଭେଟି ଦେଇ (ଗୋଟିଏ ମାତ୍ର ମୁକ୍ତିଲାଭ କରିଛି) ମଧ୍ୟ ଦର୍ଶକଙ୍କ ମନରେ ଏକ ଉଲ୍ଲେଖନୀୟ ଛାପ ଛାଡ଼ିବାରେ ସଫଳ ହୋଇଛନ୍ତି। ଅଭିନୟ ଛଡ଼ା ଗୀତ ଗାଇବାରେ ମଧ୍ୟ ପ୍ରବୀଣା ଥିବା ଅଦିତି ଏହି କଳାକାର ଜୀବନରୁ ଶାଶ୍ବତ ସୁଖ ଲାଭ କରୁଥିବା କହିଛନ୍ତି। ତାମିଲନାଡୁର ଚେନ୍ନାଇରେ ଏକ ତାମିଲ ହିନ୍ଦୁ ପରିବାରରେ ୧୯୯୩ ଜୁନ୍‌ ୧୯ରେ ଜନ୍ମିତା ଅଦିତି ଏମ୍‌ବିବିଏସ୍‌ ଡିଗ୍ରି ହାସଲ କରିଛନ୍ତି। ତେବେ ଶିକ୍ଷା ପରେ ସେ ଡାକ୍ତରୀ ପେସା ଅପେକ୍ଷା ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ପିତା ଏସ୍‌. ଶଙ୍କରଙ୍କ ପଦାନୁସରଣ କରିବାକୁ ପସନ୍ଦ କରିଥିଲେ। ପରିବାର ଲୋକେ ତାଙ୍କୁ ରୋଗୀସେବା କରିବାକୁ ପ୍ରବର୍ତ୍ତାଇଥିଲେ, ତଥାପି ତାଙ୍କର ମନ ସ୍ବେଚ୍ଛାକୃତ ଭାବେ ଅଭିନୟ ଆଡ଼କୁ ହିଁ ଢଳିବାକୁ ଲାଗିଥିଲା। ଅଦିତିଙ୍କର ସୁଠାମ ଚେହେରା ତାଙ୍କୁ ଏ ଦିଗରେ ଆଗକୁ ବଢ଼ିବା ପାଇଁ ଖୋରାକ ଯୋଗାଇଥିଲା।

ଏବେ ବି ରୋଗୀସେବାରୁ ସଂପୂର୍ଣ୍ଣ ଓହରି ନ ଥିବା ଅଦିତି ଧୀରେ ଧୀରେ ଫିଲ୍ମରେ ମନୋନିବେଶ କରୁଥିବା ଦେଖାଯାଇଛି। ୨୦୨୨ ମସିହା ତାଙ୍କ ପାଇଁ ଗୌରବ ଆଣିବାରେ ଲାଗିଛି। ଚଳିତବର୍ଷ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ତଥା ଲୋକପ୍ରିୟ ନିର୍ଦ୍ଦେଶକ ମୁଥୈୟାଙ୍କ ନିର୍ଦ୍ଦେଶିତ ତାମିଲ ଫିଲ୍ମ ‘ବିରୁମାନ୍‌’ର ଲୋକପ୍ରିୟତା ତଥା ବ୍ୟାବସାୟିକ ସଫଳତା ପରେ ସେ ବେଶୀ ଉତ୍ସାହିତ ହୋଇପଡ଼ିଛନ୍ତି। ତାଙ୍କର ଏହି ପ୍ରଥମ ପଦାର୍ପଣରେ ତାଙ୍କ ଅଭିନୀତ ଗ୍ରାମ୍ୟ ସୁନ୍ଦରୀ ‘ତେନମୋଝି’ ଭୂମିକାକୁ ଦର୍ଶକ ଖୁବ୍‌ ଗ୍ରହଣ କରିବା ସହ ସମୀକ୍ଷକମାନେ ମଧ୍ୟ ସକାରାତ୍ମକ ଟିପ୍ପଣୀ କରିଛନ୍ତି।

ଆସନ୍ତା ନଭେମ୍ବରରେ ମୁକ୍ତିଲାଭ କରିବାକୁ ଥିବା ମାଡୋନ୍ନା ଅଶ୍ବିନୀ ନିର୍ଦ୍ଦେଶିତ ଅଦିତିଙ୍କର ଦ୍ବିତୀୟ ତାମିଲ ଫିଲ୍ମ ‘ମାଭୀରନ୍‌’ ମଧ୍ୟ ପ୍ରଥମ ଫିଲ୍ମର ସଫଳତା ଦୋହରାଇବ ବୋଲି ଚର୍ଚ୍ଚା ହେଉଛି। ତେବେ ନିଜ ପିତାଙ୍କ ନିର୍ଦ୍ଦେଶିତ କୌଣସି ଫିଲ୍ମରେ ଅଭିନୟ କଲେ ତାଙ୍କ ସ୍ବପ୍ନ ସାକାର ହେବ ବୋଲି ଅଦିତି କହିଛନ୍ତି। ଅଦିତିଙ୍କର ଅଭିନୟ ଜୀବନର ଭବିଷ୍ୟତ ବେଶ ଉଜ୍ବଳ ବୋଲି ପ୍ରଶଂସକ ମହଲରେ ଆଲୋଚନା ହେଉଛି। ଚଳିତବର୍ଷ ଫେବ୍ରୁଆରିରେ ସେ ତାଙ୍କର ପ୍ରଥମ ବ୍ୟାବସାୟିକ ଗୀତରେ ମଧ୍ୟ କଣ୍ଠଦାନ କରିଥିଲେ। ସାମାଜିକ ଗଣମାଧ୍ୟମ ମଞ୍ଚ ଇନ୍‌ଷ୍ଟାଗ୍ରାମରେ ବେଶ ସକ୍ରିୟ ଥିବା ଅଦିତିଙ୍କର ଏବେ ସାଢ଼େ ୧୬ ଲକ୍ଷ ଅନୁଗାମୀ ଅଛନ୍ତି। ବିଶେଷ କରି ଭାରତୀୟ ବେଶଭୂଷା ପରିଧାନ କରିବାକୁ ଆଗ୍ରହ ରଖିଥିବା ଅଦିତିଙ୍କର ବିବାହ ସମ୍ପର୍କରେ ଏକ ଗୁଜବ ଖେଳି ବୁଲୁଥିବା ବେଳେ ତାହାକୁ ପରିବାରବର୍ଗ ଓ ନିଜେ ଅଦିତି ଖଣ୍ଡନ କରିଛନ୍ତି। ନିଜକୁ କଣ୍ଠ ସଂଗୀତ ଓ ଅଭିନୟରେ ପ୍ରତିଷ୍ଠିତ କରିସାରିବା ପରେ ସେ ଦାମ୍ପତ୍ୟ ଜୀବନ କଥା ଚିନ୍ତା କରିବେ ବୋଲି ଅଦିତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର