ବେଙ୍ଗାଲୁରୁ: ପ୍ରଶଂସକଙ୍କ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନ ଥୋଗୁଦୀପା ଏବେ ଜେଲରେ। ତାଙ୍କ ବିରୋଧରେ ବେଙ୍ଗାଲୁରୁର କାମାକ୍ଷୀପାଲ୍ୟା ପୁଲିସ ଏକ ମାମଲା ରୁଜୁ ହେବା ପରେ ତାଙ୍କ ଫାର୍ମହାଉସରୁ ତାଙ୍କୁ ଗିରଫ କରାଯାଇଥିଲା। ଜୁନ୍ ୯ରେ କନ୍ନଡ ଅଭିନେତା ଦର୍ଶନଙ୍କ ବିରୋଧରେ ହତ୍ୟା ମାମଲା ପଞ୍ଜୀକୃତ ହୋଇଥିବା ବେଳେ ତାଙ୍କୁ ତାଙ୍କ ମହୀସୁରର ଫାର୍ମ ହାଉସରୁ ଗିରଫ କରିଥିଲା ପୁଲିସ | ଏବେ ସେ ବଲ୍ଲାରୀ ଜେଲରେ ଥିବା ବେଳେ ତାଙ୍କୁ ସର୍ଜରୀର ଆବଶ୍ୟକତା ପଡ଼ୁଛି ବୋଲି କୁହାଯାଉଛି।

Advertisment

ଗତ ୯ବର୍ଷ ହେଲାଣି ଦର୍ଶନ ଅଣ୍ଟା ବିନ୍ଧା ପାଇଁ ଚିକିତ୍ସା କରିଆସୁଥିଲେ। ମଣିପାଲ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ଏବେ ଜେଲକୁ ଯିବା ପରେ ତାଙ୍କ ଅଣ୍ଟାର ଯନ୍ତ୍ରଣା ବଢ଼ିଯାଇଥିବା ଜଣାଯାଇଛି। ଏହାର ପ୍ରତିକାର ଭାବେ ତାଙ୍କର ସର୍ଜରୀ ହେବା ଜରୁରୀ ଏବଂ ସଜରୀ ନହେଲେ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି କହିଛନ୍ତି ଦର୍ଶନଙ୍କ ଚିକିତ୍ସା କରୁଥିବା ଡାକ୍ତର। ଜେଲରେ ରହିବା ପରେ ବେଡ୍ ପରିବର୍ତ୍ତେ ତଳେ ଶୋଉଥିବାରୁ ତାଙ୍କର ଯନ୍ତ୍ରଣା ବଢ଼ିଥିବା କୁହାଯାଉଛି। ତେବେ ଡାକ୍ତରଙ୍କ ଏଭଳି ପରାମର୍ଶ ପରେ ଦର୍ଶନଙ୍କୁ ସର୍ଜରୀ ପାଇଁ ଅନୁମତି ମିଳିବ କି ନାହିଁ, ତା’ ଉପରେ ନଜର ରହିଛି।

ତେବେ ପୁଲିସ ଦାଖଲ କରିଥିବା ଚାର୍ଜସିଟ ଅନୁଯାୟୀ ରେଣୁକା, ପବିତ୍ରାଙ୍କୁ ମେସେଜ କରିଥିଲେ ଯେ, “ତୁମେ ବହୁତ ହଟ୍। ଦୟାକରି ତୁମର ନମ୍ବର ପଠାଅ | ତୁମେ ମୋଠାରୁ କ’ଣ ଆଶା କରୁଛ? ମୁଁ ମୋର ବ୍ୟକ୍ତିଗତ ଅଙ୍ଗର ଫଟୋ ପଠାଇବି କି? ତୁମେ ମୋ ସହିତ ଗୁପ୍ତ ଭାବେ ଲିଭ-ଇନ୍ ସଂପର୍କରେ ରହିବ କି? ମୁଁ ତୁମକୁ  ପ୍ରତି ମାସରେ ୧୦,୦୦୦  ଟଙ୍କା ଦେବି |" ରେଣୁକା ବାରମ୍ବାର ଏଭଳି ମେସେଜ ପଠାଇବା ସହ ବ୍ୟକ୍ତିଗତ ଅଙ୍ଗର ଫଟୋ ପଠାଇବାରୁ ପବିତ୍ରା, ଅଭିଯୁକ୍ତ ପବନଙ୍କୁ ସବୁ ଜଣାଇଥିଲେ | ପବନ ଏହା ପରେ ପବିତ୍ରା ହୋଇ ରେଣୁକା ସହ କଥା ହୋଇଥିଲେ ଏବଂ ତାଙ୍କ ଠିକଣା ଆଣିଥିଲେ | ଏହା ପରେ ତାଙ୍କୁ ହତ୍ୟା କରାଯିବାର ଯୋଜନା କରାଯାଇଥିଲା |

ପୁଲିସର କହିବା ମୁତାବକ, ଦର୍ଶନ ପ୍ରଥମେ ରେଣୁକାଙ୍କ ଛାତିକୁ ଗୋଇଠା ମାରିଥିଲେ | ଏହା ଦ୍ୱାରା ତାଙ୍କ ଛାତିର ହାଡ ଭାଙ୍ଗିଯାଇଥିଲା | ପରେ ସେ ରେଣୁକାଙ୍କୁ ଟେକି ଏକ ଟ୍ରକ ଉପରକୁ ଫିଙ୍ଗିଥିଲେ, ଯାହା ଦ୍ୱାରା ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା | ଶେଷରେ ସେ ପବିତ୍ରାଙ୍କୁ ପଠାଇଥିବା ବ୍ୟକ୍ତିଗତ ଅଙ୍ଗର ଫଟୋ ଦେଖାଇ ରେଣୁକାଙ୍କ ବ୍ୟକ୍ତିଗତ ଅଙ୍ଗକୁ ଗୋଇଠା ମାରିଥିଲେ, ଯାହା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା |