ଚୋରି ହେବାର ଦୁଇ ଦିନ ପରେ ମିଳିଲା କୁକୁର, ପୁଲିସ ଷ୍ଟେସନରେ ଆସି ଦେଇଗଲେ ମହିଳା

ମୁମ୍ବାଇ: ଓସ୍କାର ବିଜେତା ପପ ଗାୟିକା ଲେଡି ଗାଗାଙ୍କ ଚୋରି ହୋଇଯାଇଥିବା କୁକୁର ଶେଷରେ ମିଳିଛନ୍ତି | ଏହି କୁକୁରକୁ ଖୋଜି ଆଣିଦେଲେ ୩ କୋଟି ୬୫ ଲକ୍ଷ ଟଙ୍କା ମିଳିବ ବୋଲି ଲେଡି ଗାଗା ଘୋଷଣା କରିଥିଲେ | ଲସ ଏଞ୍ଜେଲସ ପୁଲିସ ପକ୍ଷରୁ କୁହାଯାଇଛି ଯେ ଜଣେ ମହିଳା ଦୁଇଟି କୁକୁରକୁ ନେଇ ପୁଲିସ ଷ୍ଟେସନ୍କୁ ଆସିଥିଲେ | ତେବେ ଏହି ମହିଳାଙ୍କର କୁକୁର ଚୋରି ପଛରେ କୌଣସି ହାତ ନଥିବାର ଜଣାପଡିବା ପରେ ତାଙ୍କୁ ଛାଡିଦିଆଯାଇଛି |

ତେବେ କୁକୁରଙ୍କୁ କିଏ ଚୋରି କରିଥିଲା ସେ ବାବଦରେ ଜଣାପଡିନାହିଁ | ସନ୍ଦେହ କରାଯାଉଛି ଯେ, ଲେଡି ଗାଗାଙ୍କ କୁକୁର ଚୋରି ଖବର ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ଦୃବୁର୍ତ୍ତ ଜଣକ କୁକୁର ଦୁଇଟିକୁ ରାସ୍ତା କଡରେ ଛାଡି ପଳାଇଥିଲା | ଆଉ ଏହା ପରେ ମହିଳା ଜଣକ ଉଦ୍ଧାର କରି ପୁଲିସ ଜିମା ଦେଇଥିଲେ | ସୂଚନା ଥାଉ କି ଦୁଇ ଦିନ ତଳେ ଲେଡି ଗାଗାଙ୍କ ଘର ବାହାରେ ଜଣେ ଅଜ୍ଞାତବ୍ୟକ୍ତି ଗାଗାଙ୍କର ଦୁଇଟି କୁକୁରକୁ ଚୋରି କରି ନେଇଯାଇଥିଲା |

ଘର ବାହାରେ ଲେଡି ଗାଗାଙ୍କର ଜଣେ କର୍ମଚାରୀ କୁକୁର ଦୁଇଟିକୁ ବୁଲାଉଥିବାବେଳେ ଜଣେ ଦୃବୁର୍ତ୍ତ ଗୁଳିମାଡ କରି ଫ୍ରେଞ୍ଚ ବୁଲଡଗସ ପ୍ରଜାତିର ଦୁଇଟି କୁକୁରକୁ ଚୋରି କରିନେଇଯାଇଥିଲା | ଆଉ ଲେଡି ଗାଗା ଘୋଷଣା କରିଥିଲେ ଯେ ଯଦି କେହି ଦୁଇଟି ଚୋରି ହୋଇଯାଇଥିବା କୁକୁରକୁ ଆଣିଦେବେ, ତେବେ ତାଙ୍କୁ ପୁରସ୍କାର ରାଶି ଭାବରେ ୫ ଲକ୍ଷ ଡଲାର ବା ୩ କୋଟି ୬୫ ଲକ୍ଷ ଟଙ୍କା ମିଳିବ | ଆଉ ଆଜି ପୁଲିସ କୁକୁର ମିଳିଥିବା ନେଇ ସ୍ପଷ୍ଟ କରିଛି |

ସମ୍ବନ୍ଧିତ ଖବର