ସିନେମାରେ ଅଭିନୟ କରିବା ଲାଗି ଆକର୍ଷଣୀୟ ଦିଶିବା ଯେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସେ ଧାରଣାକୁ ଅନେକ ଅଭିନେତା ଓ ଅଭିନେତ୍ରୀ ଭୁଲ୍ ପ୍ରମାଣିତ କରିସାରିଲେଣି। ଆଜି ଦିନରେ ଦକ୍ଷତା ଓ ଅଭିନୟ ପ୍ରଦର୍ଶନ ଜରିଆରେ ସାଧାରଣ ଦିଶୁଥିବା ଅଭିନେତାମାନେ ସିନେମା ପରଦାରେ ଖୁବ୍ ଝଲସୁଛନ୍ତି। ଏବେ ଏଥିପାଇଁ ଆକର୍ଷଣୀୟ ଚେହେରାଧାରୀ ଅଭିନେତାମାନଙ୍କୁ କ୍ଷତି ସହିବାକୁ ପଡୁଛି। ସିନେମା ନିର୍ମାତାମାନେ ସାଧାରଣ ଦିଶୁଥିବା ଚରିତ୍ର ପାଇଁ ଅଭିନେତା ଓ ଅଭିନେତ୍ରୀ ଖୋଜୁଥିବାରୁ ଗୌହର ଖାଁ, ଡିନୋ ମୋରିଆ, ଦିଆ ମିର୍ଜା, ଫ୍ରେଡି ଦାରୁଵାଲା ଓ କୃତି ସେନନ୍ଙ୍କୁ ନିକଟ ଅତୀତରେ କେତେକ ସିନେମାର କାମ ହାତଛଡ଼ା କରିବାକୁ ପଡ଼ିଛି।
କୃତି ସେନନ୍ ଏକ ସାକ୍ଷାତକାରରେ କହିଥିଲେ ଯେ ଏକଦା ତାଙ୍କୁ ନିଜ ନିଖୁଣ ଚେହେରା ପାଇଁ ଅନେକ ସ୍ଥାନରେ ପ୍ରତ୍ୟାଖ୍ୟାତ ହେବାକୁ ପଡ଼ିଥିଲା। ବଲିଉଡ୍ର ଆଉ ଜଣେ ପ୍ରତିଷ୍ଠିତା ଅଭିନେତ୍ରୀ ଗୌହର ଖାଁ ୨୦୨୨ରେ ପ୍ରକାଶ କରିଥିଲେ ଯେ ଓସ୍କାର ପୁୁରସ୍କାରପ୍ରାପ୍ତ ‘ସ୍ଲମ୍ଡଗ୍ ମିଲିଅନେର୍’ ଚଳଚ୍ଚିତ୍ରର ଅଭିନେତ୍ରୀ ହେବା ପାଇଁ ସେ ଅଡିସନ୍ ଦେଇଥିଲେ, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ସୁନ୍ଦରୀ ହୋଇଥିବାରୁ ତାଙ୍କୁ ତାହା ମିଳି ନ ଥିଲା। ଅଭିନେତା ଫ୍ରେଡି ଦାରୁଵାଲା ଓ ଡିନୋ ମୋରିଆ ଅନୁରୂପ ଭାବେ ଅତ୍ୟନ୍ତ ଭଲ ଦିଶୁଥିବାରୁ ନିର୍ଦେଶକମାନେ ସେମାନଙ୍କୁ ଖାରଜ କରିଥିବାର ଆମେ ଜାଣୁ। ସେହିପରି ବଲିଉଡ୍ର ସୁପ୍ରସିଦ୍ଧ ଅଭିନେତ୍ରୀ ଦିଆ ମିର୍ଜା ସମାନ କାରଣରୁ ଅନେକ ସିନେମାରେ ଅଭିନୟର ସୁଯୋଗ ହରାଇଛନ୍ତି। ଏଥିପାଇଁ ସେ ନିଜ ସୌନ୍ଦର୍ଯ୍ୟକୁ ଏକ ଅଜବ ସମସ୍ୟା ଭାବେ ଅଭିହିତ କରନ୍ତି।