ମୋ ବାପା ସୁଶାନ୍ତଙ୍କ ଭଳି ମୃତ୍ୟୁବରଣ କରନ୍ତୁ ବୋଲି ଚାହୁନି; ଏଭଳି ଟ୍ବିଟ କରି ଏହି ୩ଜଣଙ୍କୁ ସାହାଯ୍ୟ ମାଗିଲେ କେଆରକେଙ୍କ ପୁଅ

ମୁମ୍ବାଇ: ୨୦୨୦ରେ ଦିବଂଗତ ଅଭିନେତା ଇରଫାନ୍ ଖାନ୍ ଏବଂ ଋଷି କପୁରଙ୍କ ବିଷୟରେ ବିବାଦୀୟ ଟ୍ୱିଟ୍ କରିବା ପରେ ଅଭିନେତା ତଥା ସମୀକ୍ଷକ କମଲ ଆର ଖାନଙ୍କୁ ଅଗଷ୍ଟ ୨୯ରେ ଗିରଫ କରାଯାଇଥିଲା। ଏକ ସପ୍ତାହ ପରେ ୨୦୨୧ରେ ଜଣେ ଫିଟନେସ୍ ପ୍ରଶିକ୍ଷକଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ସେ ଦ୍ୱିତୀୟ ଥର ପାଇଁ ସେପ୍ଟେମ୍ବର ୩ରେ ଗିରଫ ହୋଇଥିଲେ। ସେପ୍ଟେମ୍ବର ୪ରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଆଜି ସେ ଜେଲରୁ ମୁକୁଳିଛନ୍ତି।

ଜେଲରୁ ବାହାରିବା ପ‌ରେ କେଆରକେଙ୍କ ପୁଅ ଫୈଜଲ କମଲ ଏକ ଆଶ୍ଚର୍ଯ୍ୟ କଲା ଭଳି ଟ୍ବିଟ କରି ଅଭିନେତା ଅଭିଷେକ ବଚ୍ଚନ, ରିତେଶ ଦେଶମୁଖ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବସୀଙ୍କୁ ସାହାଯ୍ୟ ମାଗିଛନ୍ତି। କେଆରକେଙ୍କ ଆକାଉଣ୍ଟରୁ ଟ୍ବିଟ କରି ପୁଅ ଫୈଜଲ କମଲ ଲେଖିଛନ୍ତି, ମୁଁ କେଆରକେଙ୍କ ପୁଅ ଫୈଜଲ କମଲ। ମୁମ୍ବାଇରେ ମୋ ବାପାଙ୍କୁ ହତ୍ୟା କରିବା ପାଇଁ କିଛି ଲୋକ ତାଙ୍କୁ ନିର୍ଯାତନା ଦେଉଛନ୍ତି। ମୁଁ ଏବେ ଲଣ୍ଡନରେ ରହୁଛି। ମୋ ବାପାଙ୍କୁ କିପରି ସାହାଯ୍ୟ କରିବି ମୁଁ ଜାଣିପାରୁ ନାହିଁ। ମୋ ବାପାଙ୍କ ଜୀବନ ବଞ୍ଚାଇବାକୁ ମୁଁ ଅଭିନେତା ଅଭିଷେକ ବଚ୍ଚନ, ରିତେଶ ଦେଶମୁଖ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବସୀଜୀଙ୍କୁ ଅନୁରୋଧ କରୁଛି। ମୁଁ ଏବଂ ମୋ ଭଉଣୀ ତାଙ୍କ ବିନା ମରିଯିବୁ। ଯେହେତୁ ସେ ଆମର ଜୀବନ,ସେଥିପାଇଁ ମୁଁ ମୋ ବାପାଙ୍କ ଜୀବନ ବଞ୍ଚାଇବାକୁ ଲୋକଙ୍କୁ ସମର୍ଥନ କରିବାକୁ ମଧ୍ୟ ଅନୁରୋଧ କରୁଛି। ଆମେ ଚାହୁଁନାହୁଁ ଯେ ସେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ଆତ୍ମହତ୍ୟା କରନ୍ତୁ।

ସମ୍ବନ୍ଧିତ ଖବର