ସିଦ୍ଧାନ୍ତଙ୍କ ଏହି ସ୍ୱପ୍ନ ଏଯାଏଁ ପୂରଣ ହୋଇନାହିଁ

ଭୁବନେଶ୍ୱର: ଓଡ଼ିଆ ସିନେଜଗତର ଜଣେ ଲୋକପ୍ରିୟ ଅଭିନେତା ହେଲେ ସିଦ୍ଧାନ୍ତ ମହାପାତ୍ର। ସେ ପଙ୍କଜ ପାଣିଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ଶ୍ରଦ୍ଧାଞ୍ଜଳି’ରେ ଅଭିନୟ କ୍ଷେତ୍ରରେ ପାଦ ଦେଇଥିଲେ। ଏହି ଓଡ଼ିଆ ଛବିରେ ସେ ନାୟକ ଭୂମିକାରେ ଅଭିନୟ କରିଥିଲେ। ‘ଶ୍ରଦ୍ଧାଞ୍ଜଳି’ ପରେ ସିଦ୍ଧାନ୍ତ ତିରୁମାଳା ପିକ୍ଚର୍ସର ‘ପଥର ଖସୁଚି ବଡ଼ ଦେଉଳୁ’ ରେ ନାୟକ ଭୂମିକା କରିଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ବିଖ୍ୟାତ ଚିତ୍ରଉତ୍ତୋଳନକାରୀ ତଥା ନିର୍ଦ୍ଦେଶକ ରାଜୁ ମିଶ୍ର।

ଏହାପରେ ସିଦ୍ଧାନ୍ତ ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ଇତିମଧ୍ୟରେ ଓଲିଉଡରେ ୨୬ ବର୍ଷ ବିତାଇ ସାରିଲେଣି। ଏହି ସମୟ ମଧ୍ୟରେ ସିଦ୍ଧାନ୍ତ ବହୁ ଓଡ଼ିଆ ସିନେମାରେ ନାୟକ, ଖଳନାୟକ ଓ ଚରିତ୍ର ଅଭିନେତା ଭାବେ ଅଭିନୟ କରି ସାରିଲେଣି।

ସିଦ୍ଧାନ୍ତ ଗୋଟିଏ ସିନେମାର କାର୍ଯ୍ୟକାରୀ ପ୍ରଯୋଜକ ବି ବନିଥିଲେ। ହଁ, ସେ ସନକ ଦେବତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ପୁଅ ମୋର ଜଗତଜିତା’ ରେ ପରଦା ପଛରେ ରହି ପ୍ରଯୋଜନା ସମ୍ଭାଳିଥିଲେ। ଅବଶ୍ୟ ଏଥିରେ ସିଦ୍ଧାନ୍ତ ନାୟକ ଭାବେ ବି ପରଦା ଉପରକୁ ଆସିଥିଲେ।

ତେବେ ଆପଣ ଜାଣନ୍ତି କି ସିଦ୍ଧାନ୍ତଙ୍କ ଏକ ସ୍ୱପ୍ନ ଏଯାଏଁ ଅଧୁରା ରହିଯାଇଛି। କିଛି ବର୍ଷ ତଳେ ସିଦ୍ଧାନ୍ତ ମହାପାତ୍ର ନିର୍ଦ୍ଦେଶକ ହେବା ଲାଗି ଅଣ୍ଟା ଭିଡ଼ିଥିଲେ। ଏହି ଚଳଚ୍ଚିତ୍ରର ଶୀର୍ଷକ ବି ସ୍ଥିରୀକୃତ ହୋଇଥିଲା। ଏହି ସିନେମାର ଶୀର୍ଷକ ରହିଥିଲା ‘କାହାର କେତେ ଦମ୍‌’। ‘ଆରେ ସାଥୀ ଆ’ ଭଳି ଓଡ଼ିଆ ଛବିର ନିର୍ମାଣ କରିଥିବା ପ୍ରଯୋଜନା ସଂସ୍ଥା ଏହି ସିନେମାର ପ୍ରଯୋଜନା କରିବାକୁ ଆଗେଇ ଆସିଥିଲେ।

‘କାହାର କେତେ ଦମ୍‌’ ପାଇଁ କିଛି ନୂଆ କଳାକାରଙ୍କ ଅଡିସନ୍‌ ବି ନିଆଯାଇଥିଲା। କିନ୍ତୁ ତା’ପରେ ଏହାର ନିର୍ମାଣ କାର୍ଯ୍ୟ ଆଗେଇ ପାରି ନଥିଲା। ଏହାପରେ ସିଦ୍ଧାନ୍ତ ଅନ୍ୟ କୌଣସି ସିନେମାର ନିର୍ଦ୍ଦେଶନା ଦେବା ଲାଗି ଆଗ୍ରହ ଦେଖାଇ ନାହାନ୍ତି। ଏ ଦୃଷ୍ଟି ରୁ ଗୌର ଘୋଷ, ଅକ୍ଷୟ ମହାନ୍ତି (କାଶ୍ୟପ) ,ଗୋବିନ୍ଦ ତେଜ୍‌, ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ରାଧା ପଣ୍ଡା, ଶ୍ରୀତମ ଦାସ ଆଦି ନାମୀ ଅଭିନେତାଙ୍କ ଭଳି ସେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପି ପାରିନାହାନ୍ତି। ତାଙ୍କର ଏହି ଅଭିଳାଷ ଏଯାଏଁ ପୂରଣ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର