୧୯୯୪ର ସୁପର୍ହିଟ୍ ଚଳଚ୍ଚିତ୍ର ‘ଦିଲ୍ଵାଲେ’ରେ ଅଜୟ ଦେବଗନଙ୍କ ଅଭିନୀତ ଅରୁଣ ସକ୍ସେନା ଚରିତ୍ର ହତାଶା ଜର୍ଜର କଣ୍ଠରେ କହିଥିବା ଏକ ସଂଳାପ ହେଉଛି: ‘ହମେ ତୋ ଅପ୍ନୋ ନେ ଲୁଟା, ଗୈରୋଁ ମେଁ କହାଁ ଦମ୍ ଥା, ମେରି କସ୍ତି ଡୁବି ଥି ୱହାଁ ଜହାଁ ପାନି କମ୍ ଥା।’ ସେ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ୩୦ ବର୍ଷ ପରେ ଉକ୍ତ ସଂଳାପ ଭଳି ଶୁଭୁଥିବା ନାମ ସହ ଅଜୟ ଦେବଗନଙ୍କ ଆଉ ଏକ ସିନେମା ‘ନୋଷ୍ଟାଲ୍ଜିଆ’ (ଅତୀତକୁ ନେଇ ଭାବପ୍ରବଣତା) ଜାତ କରିବା ସ୍ବାଭାବିକ। ନିର୍ଦ୍ଦେଶକ-ଲେଖକ ନୀରଜ ପାଣ୍ଡେ ‘ନୋଷ୍ଟାଲ୍ଜିଆ’ର ଆବେଗକୁ ନେଇ ଅଢ଼େଇ ଘଣ୍ଟାର ଏକ ପରିପକ୍ବ ପ୍ରେମକାହାଣୀ ଭେଟିଦେବାକୁ ଉଦ୍ୟମ କରିଛନ୍ତି। ସେ ନିଜ କ୍ଷେତ୍ର ବାହାରକୁ ଯାଇ ପ୍ରଥମ ଥର ପାଇଁ ଏକ ପ୍ରେମ କାହାଣୀରେ ହାତ ଦେଇଥିବାରୁ ସେ ଅଜୟ ଓ ତବୁଙ୍କ ଯୋଡ଼ିର ଚମତ୍କାର ସମ୍ଭାବନାକୁ ସଦୁପଯୋଗ କରିପାରିନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହା ହେଉଛି ଅଜୟ ଓ ତବୁ ଏକାଠି ଅଭିନୟ କରିଥିବା ଦଶମ ଚଳଚ୍ଚିତ୍ର।
ନୀରଜ ଏହି ପ୍ରେମ କାହାଣୀରେ ତାଙ୍କର ଚିରାଚରିତ ଅସମାନ୍ତରାଳ ନିର୍ମାଣ କୌଶଳ ପ୍ରୟୋଗ କରି ଦର୍ଶକ ମନରେ ଉତ୍କଣ୍ଠା ଜାତ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ବାସ୍ତବରେ ଏହାର ଦୁର୍ବଳ କାହାଣୀ, ପ୍ରତ୍ୟାଶିତ ମୋଡ଼ ଓ ଦୃଶ୍ୟଗୁଡ଼ିକର ବାରମ୍ବାରତା ଦର୍ଶକ ମନକୁ ରୋମାଞ୍ଚିତ କରିବା ବଦଳରେ ବିରକ୍ତ କରିଥାଏ। ପ୍ରସିଦ୍ଧ ଜାପାନୀ ଚଳଚ୍ଚିତ୍ର ‘ରାସୋମନ୍’ ନାମାନୁଯାୟୀ ଏକ ସିନେମା ନିର୍ମାଣ ଶୈଳୀ ରହିଛି, ଯାହାର ନାମ ‘ରାସୋମନ୍ ଇଫେକ୍ଟ’। ଏହି ଶୈଳୀକୁ ବ୍ୟବହାର କରି ଗୋଟିଏ ନିର୍ଦ୍ଦିଷ୍ଟ ଘଟଣାକୁ ଭିନ୍ନ ଭିନ୍ନ ଚରିତ୍ର ଦୃଷ୍ଟିରୁ ଅଲଗା ଅଲଗା ଢଙ୍ଗରେ ପ୍ରଦର୍ଶନ କରାଯାଇଥାଏ। ଏହି କାହାଣୀରେ ମଧ୍ୟ ଦର୍ଶକେ ଚଳଚ୍ଚିତ୍ରର ଆରମ୍ଭରୁ ଶେଷ ଯାଏ ଗୋଟିଏ ହତ୍ୟାକାଣ୍ଡର ଭିନ୍ନ ଭିନ୍ନ ସଂସ୍କରଣ ଦେଖିବାକୁ ପାଇବେ। ତେବେ ବେଖାପ ଏଡିଟିଂ ଯୋଗୁଁ ‘ରାସୋମନ୍ ଇଫେକ୍ଟ’ ପ୍ରଭାବହୀନ ଓ ଚର୍ବିତଚର୍ବଣ ମନେହୋଇଥାଏ।
ଏହି ସିନେମାର ଗୋଟିଏ ଭଲ ଦିଗ ହେଲା ଏଥିର ଚରିତ୍ରମାନଙ୍କ ବୟସ ଅନୁଯାୟୀ ଅଭିନେତାମାନଙ୍କୁ ଚୟନ କରାଯାଇଛି। ଦୁଇ ମୁଖ୍ୟ ଚରିତ୍ର କୃଷ୍ଣ ଓ ବସୁଧାଙ୍କ ଆଦ୍ୟ ଯୌବନ ଓ ମଧ୍ୟବୟସ ମଧ୍ୟରେ ଏହି କାହାଣୀ ଚିତ୍ରିତ ହୋଇଛି। ମଧ୍ୟବୟସ୍କ କୃଷ୍ଣ ଓ ବସୁଧା ଭୂମିକାରେ ଯଥାକ୍ରମେ ଅଜୟ ଦେବଗନ ଓ ତବୁ ଅଭିନୟ କରିଥିବା ବେଳେ ସେମାନଙ୍କ ଯୁବାବସ୍ଥାର ଚରିତ୍ରରେ ଯଥାକ୍ରମେ ଶାନ୍ତନୁ ମାହେଶ୍ବରୀ ଓ ସାଇ ମଞ୍ଜରେକର ଅଭିନୟ କରିଛନ୍ତି। ଅଜୟ ଗୁରୁଗମ୍ଭୀର ଚରିତ୍ରରେ ନିଜର ପାରଙ୍ଗମତା ପୂର୍ବରୁ ଅନେକ ଥର ଦେଖାଇସାରିଛନ୍ତି, ତେଣୁ ଅବ୍ୟକ୍ତ ଯନ୍ତ୍ରଣାର ପାହାଡ଼କୁ ଛାତିରେ ରଖି ବଞ୍ଚିଥିବା ପ୍ରେମିକ ଭାବେ ସେ ଖୁବ୍ ବିଶ୍ବସନୀୟ ଲାଗନ୍ତି; ତବୁ ମଧ୍ୟ ନିଜର ଅପରାଧବୋଧକୁ ତାଙ୍କ ଆଖି ଜରିଆରେ ଖୁବ୍ ଭଲଭାବେ ବ୍ୟକ୍ତ କରିଛନ୍ତି। ଏହି ସିନେମାର ସବୁଠାରୁ ଭାବପ୍ରବଣ ଦୃଶ୍ୟ ହେଉଛି ଦୁଇଜଣଙ୍କୁ ହତ୍ୟା କରିଥିବା ଦୋଷରେ କୃଷ୍ଣ ୨୫ ବର୍ଷ ଜେଲ୍ ଦଣ୍ଡ ପାଇବା ପରେ ବସୁଧା ଯେତେବେଳେ ତାକୁ ଜେଲ୍ରେ ଭେଟିବାକୁ ଯାଇଛି। ସେଥିରେ ଶାନ୍ତନୁ ଓ ସାଇଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ।
ବସୁଧାଙ୍କ ସ୍ବାମୀ ଅଭିଜିତ (ଜିମ୍ମି ଶେର୍ଗିଲ) ଚରିତ୍ର ସବୁଠାରୁ ଅଧିକ ନିରାଶ କଲା। ଅଭିଜିତ ଏକ ଜଟିଳ ତଥା ରହସ୍ୟମୟ ଚରିତ୍ର ହୋଇଥିବାରୁ ଆଗକୁ ତା’ ଠାରୁ ଅପ୍ରତ୍ୟାଶିତ ପଦକ୍ଷେପର ଆଶା ସୃଷ୍ଟି ହୁଏ ସତ କିନ୍ତୁ ଶେଷ ପର୍ଯ୍ୟନ୍ତ ତାହାର କୌଣସି ଫଳ ମିଳେ ନାହିଁ। ସେହିପରି ସିନେମାର ପ୍ରଥମାର୍ଦ୍ଧକୁ ଅଯଥାରେ ପ୍ରଲମ୍ବିତ କରାଯାଇଥିବା ଭଳି ମନେହେଲା। ସଂଗୀତ ନିର୍ଦ୍ଦେଶକ ଏମ୍. ଏମ୍. କୀରାବନୀ ଚଳଚ୍ଚିତ୍ରରେ ପାଞ୍ଚଟି ଶ୍ରୁତିମଧୁର ଗୀତ ଦେଇଛନ୍ତି, ହେଲେ ସିନେମାର ପ୍ରଚ୍ଛଦ ସଂଗୀତ ଦୃଶ୍ୟର ଆବେଗକୁ ପ୍ରବୃଦ୍ଧ କରିବା ବଦଳରେ କେଉଁ ଦୃଶ୍ୟରେ କିପରି ଅନୁଭବ କରିବାକୁ ହେବ ଦର୍ଶକକୁ ନିର୍ଦ୍ଦେଶ ଦେଉଥିବା ଭଳି ମନେହୁଏ। ଅତୀତରେ ‘ଏ ୱେଡ୍ନେସ୍ଡେ’, ‘ସ୍ପେସାଲ୍ ୨୬’, ‘ବେବି’ ପରି ରୋମାଞ୍ଚଧର୍ମୀ ଆକ୍ସନ୍ ସିନେମା ନିର୍ମାଣ ଲାଗି ପ୍ରସିଦ୍ଧ ନୀରଜ ପାଣ୍ଡେଙ୍କ ପାଇଁ ‘ଔରୋଁ ମେଁ କହାଁ ଦମ୍ ଥା’ ନିଶ୍ଚିତ ଭାବେ କିଛି ନୂଆ କରିବାର ଇଚ୍ଛାରୁ ଜାତ ହୋଇଥିବ। କିନ୍ତୁ ଅନୁମାନସାପେକ୍ଷ କାହାଣୀ, ଧିମା ଗତି, ଅପରିପକ୍ବ ଏଡିଟିଂ, ପାର୍ଶ୍ବ ଚରିତ୍ରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଆଦି ଏହି ସିନେମାଟିକୁ ଦିଶାହୀନ କରିଦେଇଛି।
ନିର୍ଦ୍ଦେଶକ: ନୀରଜ ପାଣ୍ଡେ
ମୁଖ୍ୟ ଚରିତ୍ରରେ: ଅଜୟ ଦେବଗନ, ତବୁ, ଶାନ୍ତନୁ ମାହେଶ୍ବରୀ, ସାଇ ମଞ୍ଜରେକର ଓ ଜିମ୍ମି ଶେର୍ଗିଲ