ଇଂରେଜୀ ସିନେମା ‘ବାର୍ବି’ ଯୋଗୁଁ ବଜାରରେ ରଙ୍ଗର ଅଭାବ

ସମଗ୍ର ବିଶ୍ବରେ ‘ବାର୍ବି କଣ୍ଢେଇ’ର ପ୍ରସିଦ୍ଧି ଅନନ୍ୟ। ଫିକା ଗୋଲାପି ବା ପିଙ୍କ୍‌ ରଙ୍ଗର ପୋଷାକ ପରିହିତା ‘ବାର୍ବି’ ସମ୍ପର୍କରେ ଯାହା ବି ପ୍ରଚାରିତ ହେଲେ ତାହା ତତ୍କାଳ ଲୋକପ୍ରିୟ ହୋଇଥାଏ। ତେବେ ଆସନ୍ତା ଜୁଲାଇ ୨୧ରେ ମୁକ୍ତିଲାଭ କରିବାକୁ ଥିବା ଇଂରେଜୀ ସିନେମା ‘ବାର୍ବି’ ଏବେ ଭିନ୍ନ କାରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛି। ଏହି ବ୍ୟୟବହୁଳ ହଲିଉଡ୍‌ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରସ୍ତୁତ ହୋଇଥିବା ସେଟ୍‌ରେ ଏତେ ପରିମାଣରେ ଗୋଲାପି ରଙ୍ଗ ବ୍ୟବହୃତ ହୋଇଥିଲା ଯେ ସେଥିଯୋଗୁଁ ଆନ୍ତର୍ଜାତିକ ବଜାରରେ ଏହି ରଙ୍ଗର ଅଭାବ ଦେଖାଦେଇଥିଲା।

ଲଣ୍ଡନ ସହର ସନ୍ନିକଟ ଲାଭେସଡେନ୍‌ ସ୍ଥିତ ଵାର୍ନର ବ୍ରଦର୍ସ ଷ୍ଟୁଡିଓରେ ଉକ୍ତ ଫିଲ୍ମ ପାଇଁ ସେଟ୍‌ ନିର୍ମାଣ କରାଯାଇଥିଲା। ଫିଲ୍ମର ବାର୍ବି ଚରିତ୍ରଟି ବସବାସ କରୁଥିବା ତାହାର ସ୍ବପ୍ନର ମହଲକୁ ସଂପୂର୍ଣ୍ଣ ଗୋଲାପି ରଙ୍ଗର କରିବାକୁ ଆମେରିକୀୟ ସିନେ ନିର୍ଦ୍ଦେଶିକା ଗ୍ରେଟା ଗେରଵିଗ ନିର୍ଦ୍ଦେଶ ଦେଇଥିଲେ। ଏପରିକି କାନ୍ଥବାଡ଼ ଠାରୁ ଆରମ୍ଭ କରି ଆସବାବପତ୍ର ପର୍ଯ୍ୟନ୍ତ ସମଗ୍ର ସେଟ୍‌କୁ ବାର୍ବି ଚରିତ୍ର ସହ ଜଡ଼ିତ ଗୋଲାପି ରଙ୍ଗରେ ଆଚ୍ଛାଦିତ କରାଯାଇଥିଲା। ଏହାର କାରଣ ହେଉଛି ଫିଲ୍ମ ସାରା ଏହି ରଙ୍ଗ ମାଧ୍ୟମରେ ହିଁ ଶିଶୁସୁଲଭତା ବଜାୟ ରହିପାରିବ ବୋଲି ଗ୍ରେଟା ଆଶା ରଖିଥିଲେ। ତେଣୁ ସେଟ୍‌ରେ ବିପୁଳ ପରିମାଣର ଗୋଲାପି ରଙ୍ଗ ବ୍ୟବହୃତ ହୋଇଥିଲା। ଫଳସ୍ବରୂପ, ଫିଲ୍ମଟିର ପ୍ରସ୍ତୁତି ସମୟରେ ବିଶ୍ବବ୍ୟାପୀ ଏହି ରଙ୍ଗର ଉତ୍କଟ ଅଭାବ ଦେଖାଯାଇଥିବା ଜଣାଯାଇଛି। ଏଥିରେ ବାର୍ବି ଭୂମିକାରେ ଅଷ୍ଟ୍ରେଲୀୟ ଅଭିନେତ୍ରୀ ମାର୍ଗଟ୍ ରବି ଓ ପ୍ରେମିକ କେନ୍ ଭୂମିକାରେ କାନାଡିଆନ୍ ତାରକା ରୟାନ୍ ଗୋସଲିଙ୍ଗ୍‌ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର