ଦୁହିତା ସର୍ବସ୍ବ ମାତା

ଅତୀତରେ ଝିଅଟିଏ ଜନ୍ମ ହେଲେ ବାପା-ମାଆ ଦୁଃଖୀ ହେଇଯାଉଥିଲେ। ରକ୍ଷଣଶୀଳ ସମାଜରେ ଝିଅ ପାଇଁ କିଛି ସ୍ବାଧୀନତା ନ ଥିଲା। ତା’ଛଡ଼ା ପଦାକୁ ଗୋଡ଼ କାଢ଼ିବା, ଉଚ୍ଚଶିକ୍ଷା କରିବା, ଚାକିରି କରିବା; ଏସବୁରେ ନାନାପ୍ରକାର ପ୍ରତିବନ୍ଧକ ଥିଲା। ଶେଷରେ ତାକୁ ପରଘରକୁ ଯିବାକୁ ପଡ଼ୁଥିଲା। ଏବେ କିନ୍ତୁ ଚିତ୍ର ବଦଳିଯାଇଛି। ଆଉ ପୁଅ ନୁହେଁ, ଝିଅଟିଏ ହେଲେ ବାପା-ମା’ ଷୋଳପଣ ଖୁସି। ଝିଅ ଯେମିତି ବାପା-ମା’ଙ୍କ କଥା ବୁଝୁଛି, ପୁଅମାନେ ବୁଝୁନାହାନ୍ତି। କିଛିଦିନ ତଳେ ‘ବଧାଇ ହୋ’ ଚଳଚ୍ଚିତ୍ର ମାଧ୍ୟମରେ ଅଭିନେତ୍ରୀ ନୀନା ଗୁପ୍ତା ଚର୍ଚ୍ଚାକୁ ଆସିଥିଲେ। ଏବେ ପୁଣି ନିଜ ଜୀବନର ଗୁମର ଖୋଲି ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

କଥାଟି ହେଉଛି ନିଜ ଝିଅ ସମ୍ପର୍କରେ ସେ ଗୋଟେ ନିଚ୍ଛକ ସତ ଖୋଲିଛନ୍ତି। ନୀନା ପ୍ରଥମେ କ୍ରିକେଟର ବିବିଆନ୍ ରିଚାର୍ଡସ୍‌ଙ୍କ ସହ କପଲ୍ ଲାଇଫ୍ ବିତାଉଥିଲେ। ୨୦୦୮ରେ ପୁଣି ଦିଲ୍ଲୀ ଅବସ୍ଥାପିତ ବିବେକ ମେହରାଙ୍କୁ ବିବାହ କରିଥିଲେ। ଏହା ଭିତରେ ନୀନାଙ୍କର କନ୍ୟା ସନ୍ତାନଟିଏ ହେଇଥିଲା। ଝିଅର ନାଁ ମସାବା। ଦୁଇ ଦୁଇ ଜଣ ଲାଇଫ୍ ପାର୍ଟନରଙ୍କୁ ପାଇ ମଧ୍ୟ ନୀନା କାହା ସହିତ ଲମ୍ବା ସମୟ ଧରି ରହି ପାରି ନ ଥିଲେ। ହେଲେ ଝିଅ ମସାବା ମୁହଁକୁ ଚାହିଁ ସେ ସୁରୁଖୁରୁରେ ଜୀବନ ଅତିବାହିତ କଲେ। ସ୍ବାମୀ ନଥାନ୍ତୁ କି ଦାମ୍ପତ୍ୟ ସୁଖ ନ ଥାଉ, ମୋ ଝିଅ ଅଛି ତ ମୁଁ ଅଛି। ଏହାଠାରୁ ବଳି ବଡ଼ ସୁଖ ମୋ ପାଇଁ କିଛି ନାହିଁ ବୋଲି କହିଛନ୍ତି ନୀନା।

ସାଥ ସାଥ, ଗାନ୍ଧୀ, ମଣ୍ଡି, ଉତ୍ସବ, ଲୈଲା, ଅଗ୍ନିଦାହ, ବଟୱାରା, ସ୍ବର୍ଗ, ଦୃଷ୍ଟି, ବାସ୍ତୁହରା, ବଳବାନ, ଅଙ୍ଗାର, ଖଲନାୟକ, ଅନ୍ତ, ନଜର, ମୁଲକ, ସର୍ଦ୍ଦାର କା ଗ୍ରାଣ୍ଡସନ୍ ପରି ସତୁରିରୁ ଅଧିକ ସିନେମାରେ ଅଭିନୟ କରିଥିବା ନୀନା ଝିଅକୁ ଧରି ବ୍ୟକ୍ତିଗତ ଜୀବନ ବିତାଇଥିବାରୁ ତାଙ୍କୁ ଦୁହିତା ସର୍ବସ୍ବ ମାତା କହିବାରେ ଦ୍ବିରୁକ୍ତି ନାହିଁ।

ସମ୍ବନ୍ଧିତ ଖବର