ହାଲୋୱିନ୍ ରାଣୀ ହାଇଡିଙ୍କ ଜିଆ ଅବତାର

ହାଲୋୱିନ୍‌ର ରାଣୀ ଭାବେ ସୁପରିଚିତା ସୁପର୍‌ମଡେଲ୍ ହାଇଡି କ୍ଲମ୍ ଏ ବର୍ଷ ମଧ୍ୟ ପ୍ରଶଂସକମାନଙ୍କୁ ନିଜର ଅଦ୍ଭୁତ ରୂପ ମାଧ୍ୟମରେ ସ୍ତମ୍ଭୀଭୂତ କରିଦେଇଛନ୍ତି। ନିକଟରେ ୪୯ ବର୍ଷୀୟା ହାଇଡି ନ୍ୟୁୟର୍କରେ ତାଙ୍କ ୨୧ତମ ହାଲୋଵିନ୍ ପାର୍ଟିର ଆୟୋଜନ କରିଥିଲେ। କୋଭିଡ୍-୧୯ ମହାମାରୀ କାରଣରୁ ଗତ ଦୁଇ ବର୍ଷ ହେଲା ତାଙ୍କର ବହୁପ୍ରତୀକ୍ଷିତ ହାଲୋୱିନ୍ ଆସର ଆୟୋଜିତ ହୋଇପାରି ନ ଥିଲା। ତେଣୁ ଏଥର ହାଇଡି କେଉଁ ରୂପ ଧାରଣ କରିବେ ସେ ନେଇ ବିଶେଷ ଉତ୍କଣ୍ଠା ଦେଖାଦେଇଥିଲା। ସେ ଏକ ବିଶାଳ ତଥା ବାସ୍ତବିକ ଜିଆର ଅବତାର ଧାରଣ କରି ବ୍ଲୁ କାର୍ପେଟ୍‌ରେ ଚାଲିଥିଲେ। ତାଙ୍କ ସ୍ବାମୀ ଟମ୍ କାଉଲିଟ୍‌ଜ ଜଣେ ମାଛ ଧରାଳି ଭାବେ ବନଶୀରେ ଜିଆରୂପୀ ହାଇଡିଙ୍କୁ ଥୋପ ଭଳି ବ୍ୟବହାର କରୁଥିବାର ଦେଖାଯାଇଥିଲା।

Insider

ଏହି କୀଟ କଷ୍ଟ୍ୟୁମ୍ ପ୍ରସ୍ତୁତ କରିବା ଲାଗି ଏହାର ନିିର୍ମାତାଙ୍କୁ ଏକାଧିକ ମାସ ଲାଗିଥିଲା। ସ୍ବତନ୍ତ୍ର ଭାବେ ନିର୍ମିତ କୃତ୍ରିମ କଷ୍ଟ୍ୟୁମ୍‌ଟିକୁ ମୁଣ୍ଡରୁ ଗୋଡ଼ ଯାଏ ଧାରଣ କରିବା ପରେ ହାଇଡିଙ୍କୁ କେଇ ଘଣ୍ଟା ମେକ୍‌ଅପ୍ ଚେୟାର୍‌ରେ ବସିବାକୁ ପଡ଼ିଥିଲା। ତା ପରେ ଯାଇ ଏକ ଉଦ୍ଭଟ ଜିଆ ଭାବେ ସେ ନିଜ ପାର୍ଟିରେ ଯୋଗ ଦେଇଥିଲେ। ଏହି କଷ୍ଟ୍ୟୁମ୍ ମଧ୍ୟରୁ କେବଳ ତାଙ୍କର ଆଖି ଓ ପାଟି ବାହାରକୁ ଦିଶୁଥିଲା। ଅତୀତରେ ସେ ଏଲିଅନ୍, ବୃଦ୍ଧା, ହିନ୍ଦୁ ଦେବୀ କାଳୀ, ପ୍ରଜାପତି, କ୍ଲିଓପାଟ୍ରା ତଥା ବିକଟାଳ ଦିଶୁଥିବା ମଣିଷର ରୂପ ଧାରଣ କରି ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଆସିଛନ୍ତି। ତେବେ ଏଥରର ଜିଆ ରୂପ ପୂର୍ବ ସବୁ ରୂପକୁ ଅତିକ୍ରମ କରି ସବୁଠାରୁ ଉଦ୍ଭଟ ତଥା ଭୟଙ୍କର ହାଲଵିନ୍ କଷ୍ଟୁମ୍‌ର ଦାବିଦାର ହୋଇଛି ବୋଲି ଅନେକ ଲୋକ ମତ ପ୍ରକାଶ କରୁଛନ୍ତି। ହାଇଡିଙ୍କ ଦ୍ବାରା ଆୟୋଜିତ ଉକ୍ତ ପାର୍ଟିରେ ପୃଥିବୀର ସବୁଠାରୁ ଧନୀକ ବ୍ୟକ୍ତି ଏଲନ ମସ୍କ୍‌ ଓ ଗାୟିକା ଆଭା ମ୍ୟାକ୍‌ସଙ୍କ ସମେତ ବହୁ ତାରକା ଯୋଗ ଦେଇଥିଲେ। ୧୯୯୧ରେ ସୁପରମଡେଲ୍ ଭାବେ କ୍ୟାରିୟର୍ ଆରମ୍ଭ କରି ପରେ ‘ଆମେରିକାସ୍‌ ଗଟ୍ ଟାଲେଣ୍ଟ୍’ କାର୍ଯ୍ୟକ୍ରମର ବିଚାରକ ଭାବେ ବିଶ୍ବ ପ୍ରସିଦ୍ଧି ଅର୍ଜନ କରିଥିଲେ। ଏବେ ସେ ଜଣେ ପ୍ରୟୋଜିକା ଓ ଉଦ୍ୟୋଗୀ ଭାବେ ମଧ୍ୟ ସୁପ୍ରତିଷ୍ଠିତ।

ସମ୍ବନ୍ଧିତ ଖବର